ଆତ୍ମ ସ୍ବାଭିମାନକୁ ତଳିତଳାନ୍ତ କରିଛି କରୋନା

ଖଣ୍ଡଗିରି : ମହାମାରୀ କରୋନା କବଳରେ ଅନେକଙ୍କ ବେଉସା ଉଜୁଡ଼ି ଯାଇଛି। ଫଳରେ ରୋଜଗାର ହରାଇଥିବା ବହୁ ଲୋକଙ୍କୁ ଏବେ ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ପରିସ୍ଥିତି ଏମିତି ହୋଇଛି ଯେ ଅନେକ ଆତ୍ମସ୍ବାଭିମାନ ଅପେକ୍ଷା ଜୀବନକୁ ପ୍ରାଧାନ୍ୟ ଦେବାକୁ ବାଧ୍ୟ ହେଉଛନ୍ତି। ଦିନେ କାହା ପାଖରେ ହାତ ନ ପତାଇବାକୁ ଦୃଢ଼ମନା ମଣିଷଟି ଆଜି ପର ହାତଟେକାକୁ ଅପେକ୍ଷା କରୁଛି। ଏମିତି ଅବସ୍ଥାରେ ଆଜି ଦିବାକର ପଲେଇ ଓ ଶ୍ରୀହର୍ଷ ଗୌଡ଼ଙ୍କ ପରିବାର।

ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିଲେ ହେଁ ଶ୍ରୀହର୍ଷ ଓ ଦିବାକର ପାଠ ପଢ଼ି ନିଜେ ରୋଜଗାର କରିବାକୁ ଇଚ୍ଛା ରଖିଥିଲେ। ପାଠ ପଢ଼ା ପରେ ରୋଜଗାର କରିବା ପାଇଁ ଭୁବନେଶ୍ବର ଆସିଥିଲେ। ଚାକିରି ମିଳି ନଥିଲା। ତେଣୁ ବ୍ୟବସାୟ କରି ସ୍ବାବଲମ୍ବୀ ହେବାକୁ ଉଦ୍ୟମ କରିଥିଲେ। ପ୍ରଥମେ କିଛି ଟଙ୍କା ଋଣ ଆଣି କଞ୍ଚା ମାଲ୍ କିଣି ବ୍ୟବସାୟ ଆରମ୍ଭ କରିଥିଲେ। ଧୂପକାଠି, ଫିନାଇଲ୍, ପାପୋଛ, କଣ୍ଢେଇ, ସୋରିଷ ଫୁଟଣ ଇତ୍ୟାଦି ହାତରେ ତିଆରି କରି ରାସ୍ତାକଡ଼ରେ, ହାଟ ବଜାରରେ ବିକ୍ରି କରି ରୋଜଗାରକ୍ଷମ ହୋଇଥିଲେ। ଗତବର୍ଷ କରୋନାର ପ୍ରଥମ ଲହର ସମୟରେ ବେପାର ପ୍ରାୟ ବୁଡ଼ିଗଲା। ସଞ୍ଚିତ ଧନ ସବୁ ଖର୍ଚ୍ଚ ହୋଇଗଲା। ତେବେ ପରେ ପୁଣି ଟିକିଏ ଅଣ୍ଟା ସଳଖିବା ବେଳକୁ ପୁଣି ଦ୍ବିତୀୟ ଲହର ଦାଉ ସାଧିଛି। ବେପାର ପୂରା ଠପ୍ ହୋଇଯାଇଛି।

କେବଳ ‌ସେମାନଙ୍କ ଦୁଇ ପରିବାର ନୁହେଁ, ସେମାନଙ୍କ କାମରେ ନିୟୋଜିତ ଥିବା ଆହୁରି ୧୫ଜଣ ଦୃଷ୍ଟିଶକ୍ତିବାଧିତ ମହିଳା ଓ ପୁରୁଷ ମଧ୍ୟ ରୋଜଗାର ହରାଇ ବସିଛନ୍ତି। ଏବେ ଗୋଟିଏ ବେଳା ଖାଇବାକୁ ମଧ୍ୟ ଟଙ୍କା ନାହିଁ। ତମା‌ଣ୍ଡୋ ଅଞ୍ଚଳରେ ରହୁଥିବା ଏହି ଦୁଇ ପରିବାରକୁ କିଛି ପରିଚିତ ଲୋକେ ସାହାଯ୍ୟ କରୁଛନ୍ତି। ଆତ୍ମ ସ୍ବାଭିମାନକୁ ବାଧୁଥିଲେ ବି ପେଟ ପାଇଁ ସେମାନେ ପର ହାତଟେକାକୁ ଅପେକ୍ଷା କରୁଛନ୍ତି ‌ବୋଲି କହିଛନ୍ତି। ଯଦି କେହି ବଦାନ୍ୟ ବ୍ୟକ୍ତି ସେମାନଙ୍କୁ କିଛି ସାହାଯ୍ୟ କରିବାକୁ ଚାହାନ୍ତି କିମ୍ବା କିଛି କଞ୍ଚାମାଲ୍ ଯୋଗାଇ ଦେବାକୁ ଇଛା କରନ୍ତି, ତେବେ ୮୬୫୮୯୫୫୫୩୨ରେ ଯୋଗାଯୋଗ କରିବାକୁ ସେମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର