ଭୁବନେଶ୍ବର: ବହି ‌କିଣିବାକୁ ଯେଉଁଠି ଦିନେ ଗହଳି ଲାଗୁଥିଲା, ଆଜି ସେଠି କାଁ ଭାଁ ପାଦ ପଡ଼ୁଛି। ବଜାରକୁ ବହି ନ ଆସୁଣୁ ଗପ ଓ ପତ୍ରିକା ପ୍ରେମୀମାନେ ଯାଇ ପଚାରି ବୁଝୁଥିବା ବ‌େଳେ ଆଜି ବହି ବଜାର ପାଠକ ଶୂନ୍ୟ ହୋଇଯାଇଛି। ଥାକଥାକ ହୋଇ ବହି ସିନା ସଜା ହୋଇଛି, କିନ୍ତୁ ବହି କିଣିବାକୁ ଆଉ ଲୋକଙ୍କ ଭିତରେ ସଉକ ନାହିଁ। କରୋନା ମାଡ଼ରେ ଉଜୁଡ଼ି ଯାଇଛି ବହି ବଜାର। କରୋନା କଟକଣା ପାଇଁ ୬ ମାସ ପରେ ଗତ ସେପ୍ଟେମ୍ବର ୧ ତାରିଖରୁ ବହି ଦୋକାନ ଖୋଲିଛି। ତେବେ କରୋନା ସଂକ୍ରମଣ ଭୟରେ ଲୋକେ ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରୁଛନ୍ତି। ତେଣୁ ବହି ବଜାରରୁ ବହି କିଣିବା ପରିବର୍ତେ ଅନଲାଇନ୍‌ରେ ବହି ମଗାଇବାକୁ ପସନ୍ଦ କରୁଛନ୍ତି। ଯଦିଓ ବହି ବଜାରରୁ ଲୋକେ ବାଛି ବାଛି ବହି କିଣିବାକୁ ପସନ୍ଦ କରନ୍ତି, କିନ୍ତୁ ଏ ସମୟରେ ନିଜର ନିରାପତ୍ତା ଦୃଷ୍ଟିରୁ ଲୋକେ ଅନଲାଇନ୍‌ରେ ବହି ଅର୍ଡର ଦେବାକୁ ଅଗ୍ରାଧିକାର ଦେଉଛନ୍ତି।

Advertisment

ମାଷ୍ଟରକ୍ୟାଣ୍ଟିନ୍‌ରେ ଦୀର୍ଘ ୧୫ ବର୍ଷ ହେଲା ବହି ବିକ୍ରି କରି ଆସୁଥିବା ଶୁଭେନ୍ଦୁ ନାୟକ କହିଛନ୍ତି, ଏ ବଜାରରେ ପୁରୁଣା ବହି ବିକ୍ରେତାଙ୍କୁ ମିଶାଇ ପାଖାପାଖି ୪୦ଟି ବହି ବ୍ୟବସାୟ ପ୍ରତିଷ୍ଠାନ ରହିଛି। ମାତ୍ର ବହିଟିଏ ବିକ୍ରି ହେବା ବେଳକୁ ବେଳେବେଳେ ସନ୍ଧ୍ୟା ହୋଇଯାଉଛି। ଲାଗୁଛି ଯେମିତି ନୂଆ କରି ବହି ଦୋକାନ ଖୋଲିଛୁ। ୧୫ ବର୍ଷ ତଳକୁ ପଳେଇବା ଭଳି ମନେ ହେଉଛି। ମାସକୁ ୨୦ହଜାରରୁ ଅଧିକ ରୋଜଗାର ହେଉଥିଲେ ହେଁ ଏବେ ମାସକୁ ମୋଟ ବହି ବିକ୍ରି ୧୫ହଜାର ଟଙ୍କା ଅତିକ୍ରମ କରୁନାହିଁ। ସ୍କୁଲ୍‌ କଲେଜ୍‌ ଖୋଲିନଥିବାରୁ ପଢ଼ା ବହି ବିକ୍ରି କମିଯାଇଛି। ଏମିତିକି ଗପ ବହିର ବିକ୍ରିବଟା ବିଲ୍‌କୁଲ ନାହିଁ। ଏହି ବଜାରକୁ ଭୁବନେଶ୍ବର ବ୍ୟତୀତ ଆଖପାଖ ଜିଲ୍ଲାରୁ ଲୋକ ଆସନ୍ତି। ମାତ୍ର ଏବେ ୧୦୦ ଜଣ ଲୋକଙ୍କ ପାଦ ପଡ଼ିବା ସ୍ବପ୍ନ ହୋଇଯାଇଛି ବୋଲି ଶ୍ରୀ ନାୟକ କହିଛନ୍ତି।

ପୁରୁଣା ବସ୍‌ଷ୍ଟାଣ୍ଡ୍‌ସ୍ଥିତ ନାରାୟଣୀ ବୁକ୍ ଷ୍ଟୋର୍‌ର ନିରଂଜନ ବେହେରା (ବାବୁଲି) କହିଛନ୍ତି, କରୋନା ଯୋଗୁଁ ବହୁ ପତ୍ରିକା ପ୍ରକାଶ ପାଉନାହିଁ କି ବଜାରକୁ ଆସୁନାହିଁ। କିଛି ଆଗଧାଡ଼ିର ଓଡ଼ିଆ ଓ ଇଂରାଜୀ ପତ୍ରିକାକୁ ବାଦ୍‌ ଦେଲେ ଅନ୍ୟ ପତ୍ରିକା ଓ ନୂଆ ଗପ ବହି ବଜାରକୁ ଆସିନାହିଁ। ପୁଣି ଭୟରେ ଏଠି ଲୋକଙ୍କ ପାଦ ‌ପଡ଼ୁନି। ଫଳରେ ବହିର ବିକ୍ରିବଟା ୭୫ ପ୍ରତିଶତ ହ୍ରାସ ପାଇଛି। ବଜାର ସ୍ଥିତି କେବେ ସୁଧୁରିବ ଜାଣି ହେଉନି। ଲୋକେ ବଜାରରୁ ବହି କିଣିବା ଅପେକ୍ଷା ଅନଲାଇନ୍‌ରେ ମଗାଇ ଦେଉଥିବାରୁ ବହୁ ଦୁର୍ଦ୍ଦିନରେ ସମୟ କଟୁଛି। ପୁରୁଣା ବହି ଷ୍ଟୋର୍‌ରୁ ମୁଖ୍ୟତଃ ବିଭିନ୍ନ ପ୍ରତିଯୋଗିତାମୂଳକ ବହି ବିକ୍ରି ହୋଇଥାଏ। ଚାକିରି ଅନ୍ବେଷୀ ଯୁବବର୍ଗଙ୍କର ପୁରୁଣା ବହି ଷ୍ଟୋର୍‌ମାନଙ୍କରେ ଭିଡ଼ ହୁଏ। ମାତ୍ର ନିଯୁକ୍ତି କ୍ଷେତ୍ର ପ୍ରଭାବିତ ହୋଇଥିବାରୁ ସେସବୁ ବହି ବି ଆଉ ବିକ୍ରି ହେଉନାହିଁ ବୋଲି ଶୁଭେନ୍ଦୁ ନାୟକ କହିଛନ୍ତି। ରମାକାନ୍ତ ପ୍ରଧାନ କହିଛନ୍ତି, ବହିର ବାସ୍ନା ବିନା ବହି ପଢ଼ିବାରେ ମଜା ନଥାଏ। କିନ୍ତୁ ସଂପ୍ରତି ସ୍ଥିତି ଯାହା ଅନଲାଇନ୍‌ରେ ବହି ପଢ଼ିବା ହିଁ ଉଚିତ୍‌ ବିକଳ୍ପ। ଏହାବାଦ୍‌ ଅନଲାଇନ୍‌ରେ ବହି ଅର୍ଡର ଦେଲେ ଘରକୁ ଆସି ପହଞ୍ଚି ଯାଉଛି। ତେଣୁ ବଜାରକୁ ଯାଇ ଭିଡ଼ ଭିତରେ କିଣାକିଣି କରିବା ସପକ୍ଷରେ ନାହିଁ ବୋଲି ସେ କହିଛନ୍ତି। ଶିକ୍ଷାନୁଷ୍ଠାନ କେବେ ଖୋଲିବ ସେଇ ସମୟକୁ ଅପେକ୍ଷା କରି ରହିଛନ୍ତି ବହି ବିକ୍ରେତା। ଅନ୍ୟ ବହି ନହେଲେ ବି ଅନ୍ତତଃ ପଢ଼ା ବହିର ବିକ୍ରିବଟା ଉପରେ ନଜର ରହିଛି। କରୋନାକୁ ପ୍ରତିହତ କରିବା ପାଇଁ ଯେପର୍ଯ୍ୟନ୍ତ ଟିକା ନବାହାରିଛି ସେ ପର୍ଯ୍ୟନ୍ତ ବଜାର ସୁଧୁରିବା ଆଶା କ୍ଷୀଣ ବୋଲି ବ୍ୟବସାୟୀମାନେ ଧରି‌ନେଲେଣି।