ରାଜଧାନୀରେ ୮୫୧ ଆକ୍ରାନ୍ତ ଚିହ୍ନଟ, ୨ ମୃତ

କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ନେଇ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ବର : ଗୁରୁବାର ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୮୫୧ ରହିଛି। ପୂର୍ବଦିନ ଗୁଡ଼ିକ ଭଳି ପଟିଆ, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ଲକ୍ଷ୍ମୀସାଗର, ମଞ୍ଚେଶ୍ବର, ବରମୁଣ୍ଡାରୁ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଦୁଇ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ ହୋଇଛି। ଆଜି ୪୨୯ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସୁଦ୍ଧା ୮୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରେ ସଙ୍ଗରୋଧରୁ ୯୬ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୫୫ଜଣ ଅଛନ୍ତି। ସବୁଠୁ ଅଧିକ ଆକ୍ରାନ୍ତ ପଟିଆରୁ ଚିହ୍ନଟ ହୋଇଛନ୍ତି। ଏଠାରେ ୬୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତ ୬୧ଜଣ ଅଛନ୍ତି। ସେହିପରି ଆଜି ବମିଖାଲରୁ ୨୨ଜଣ, ଚନ୍ଦ୍ରଶେଖରପୁରରୁ ୩୭ଜଣ, ବିଜେବି ନଗରରୁ ୨୦ଜଣ, ନୂଆପଲ୍ଲୀରୁ ୬୪ଜଣ, ଖଣ୍ଡଗିରିରୁ ୪୮ଜଣ, ଲକ୍ଷ୍ମୀସାଗରରୁ ୩୬ଜଣ, ଜାଗମରାରୁ ୧୭ଜଣ, ଝାରପଡ଼ାରୁ ୨୨ଜଣ, ଡୁମଡୁମାରୁ ୧୩ଜଣ, ବରମୁଣ୍ଡାରୁ ୨୦ଜଣ, ମଞ୍ଚେଶ୍ବରରୁ ୧୯ଜଣ, ପୁରୁଣା ଭୁବନେଶ୍ବରରୁ ୪୧ଜଣ, ନୀଳାଦ୍ରିବିହାରରୁ ୧୫ଜଣ, ପୋଖରୀପୁଟରୁ ୨୨ଜଣ, ୟୁନିଟ-୯ରୁ ୧୨ଜଣ, ୟୁନିଟ-୮ରୁ ୧୪ଜଣ, ୟୁନିଟ-୬ରୁ ୧୨ଜଣ, ୟୁନିଟ-୩ରୁ ୧୧ଜଣ, ଟଙ୍କପାଣି ରୋଡ୍‌ରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ସ୍ଥାନରୁ ବହୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୧୩ରେ ପହଞ୍ଚିଛି।

କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ନେଇ ବଢ଼ୁଛି ଅସନ୍ତୋଷ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ବିଏମ୍‌ସିର ଆଲୋଚନା
ଭୁବନେଶ୍ବର : ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲରେ ପ୍ରାୟ ୨ହଜାର ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ ବିଭିନ୍ନ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଠିକ୍ ଚିକିତ୍ସା ମିଳୁନି ବୋଲି ଅଭିଯୋଗ ଆସୁଛି। ଏପରିକି ଆକ୍ରାନ୍ତଙ୍କୁ ଠିକ୍ ସମୟରେ ଔଷଧ ଦିଆଯାଉନି କି ଡାକ୍ତର ନିୟମିତ ଦେଖିବାକୁ ଆସୁନାହାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ଆକ୍ରାନ୍ତଙ୍କୁ ହସ୍ପିଟାଲ ବାହାରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଆକ୍ରାନ୍ତ ଏମରଜେନ୍ସି ୱାର୍ଡରେ ରହି ଚିକିତ୍ସିତ ହେଉଥିଲେ ବି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇପାରୁ ନାହାନ୍ତି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ସମାଧାନ ପାଇଁ ଆଜି ବିଏମ୍‌ସିର କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ, ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ପ୍ରମୁଖ ହସ୍ପିଟାଲର ମୁଖ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ଆକ୍ରାନ୍ତଙ୍କୁ ଯେପରି ଗୁଣାତ୍ମକ ଚିକିତ୍ସା ମିଳିବ ସେନେଇ ତୁରନ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର