ରାଜଧାନୀରେ ଦିନକରେ ୧୦୭୪ ଆକ୍ରାନ୍ତ, ୩ ମୃତ

୫୦ହଜାର ମୁହାଁ ମୋଟ୍‌ ସଂକ୍ରମଣ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ନିକଟତର

ଭୁବନେଶ୍ବର : ରାଜଧାନୀରେ ଦୈନିକ ସଂକ୍ରମଣ ଏବେ ଶୀର୍ଷରେ ଅଛି ବୋଲି କୁହାଯାଉଛି। ଯେଉଁଥିପାଇଁ ପ୍ର‌ତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେରୁ ତଳକୁ ଖସୁନି। ଏପରିକି ଯେଉଁଭଳି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ସେହିଭଳି ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଆଜି ୧୦୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତିନି ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଆଜି ୫୯୯ଜଣ ସୁସ୍ଥ ହୋଇଛନ୍ତି। କରୋନାର ଦ୍ବିତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ିବାରୁ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ମୁହାଁ ହୋଇଛି। ଆଜି ସୁଦ୍ଧା ୪୯୩୩୦ ଜଣ ଭୁବନେଶ୍ବରରେ କରୋନା ଆକ୍ରାନ୍ତ ହୋଇସାରିଲେଣି।

ବିଏମ୍‌ସିର ଆକଳନ ଏବଂ ଭୁବନେଶ୍ବରରେ କରୋନା ଟ୍ରେଣ୍ଡ କହୁଛି ଯେ, ଗୁରୁବାର ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ଟପିବ। ସେହିପରି ଦୈନିକ ସଂକ୍ରମଣ ସଂଖ୍ୟା ତୁଳନାରେ ସୁସ୍ଥ ସଂଖ୍ୟା କମ୍‌ ରହୁଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କେବେ ୧୦ହଜାର ଟପିନଥିବାବେଳେ ଦିନେ ଦୁଇଦିନ ମଧ୍ୟରେ ଏହା ୧୦ହଜାର ଟପିବ ବୋଲି ଆକଳନ କରାଯାଉଛି। କାରଣ ଏବେ ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୧୯ ରହିଛି। ରାଜଧାନୀରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରାୟ ୩ହଜାର ଶଯ୍ୟା ଥିବାବେଳେ ଏଥିରେ ରାଜ୍ୟ ବାହାରର ବହୁ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ତେଣୁ ରାଜଧାନୀର ଆକ୍ରାନ୍ତଙ୍କ ପାଇଁ ଆଗାମୀ ଦିନ‌ରେ ଶଯ୍ୟା ସଙ୍କଟ ଦେଖାଦେଇପାରେ।

ଅପରପକ୍ଷେ ଆଜି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋଟ୍ ମୃତକଙ୍କ ସଂଖ୍ୟା ୨୭୫ଛୁଇଁଛି। ବିଏମ୍‌ସିର ସୂଚନା ଅନୁଯାୟୀ, ଆଜି ୧୦୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରେ ସଙ୍ଗରୋଧରୁ ୧୨୮ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୪୬ଜଣ ଅଛନ୍ତି। ଆଜି ପଟିଆରୁ ସର୍ବାଧିକ ୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୫୪ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୧୧ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ସେହିପରି ବରମୁଣ୍ଡାରୁ ୩୬ଜଣ, ଚନ୍ଦ୍ରଶେଖରପୁରରୁ ୪୪, ଡୁମୁଡୁମାରୁ ୩୭, ଜୟଦେବ ବିହାରରୁ ୨୮, ସିଆରପି ଛକରୁ ୧୬, ଝାରପଡ଼ାରୁ ୨୮, ଆଚାର୍ଯ୍ୟବିହାରରୁ ୧୯, ବମିଖାଲରୁ ୨୭, ନୂଆପଲ୍ଲୀରୁ ୫୬, କଳିଙ୍ଗବିହାରରୁ ୧୨, ଭୀମଟାଙ୍ଗିରୁ ୧୨, କଳ୍ପନାରୁ ୧୭, ଖଣ୍ଡଗିରିରୁ ୩୪, ନୀଳାଦ୍ରିବିହାରରୁ ୧୮, ପୁରୁଣା ଭୁବନେଶ୍ବରରୁ ୫୪, ଲକ୍ଷ୍ମୀସାଗରରୁ ୩୭, ଖାରବେଳନଗରରୁ ୧୮, ପଳାସପଲ୍ଲୀରୁ ୧୨, ପଟିଆରୁ ୬୫, ରସୁଲଗଡ଼ରୁ ୨୩, ପାତ୍ରପଡ଼ାରୁ ୨୦, ୟୁନିଟ-୩ରୁ ୧୮, ୟୁନିଟ-୬ରୁ ୨୫, ଶୈଳଶ୍ରୀ ବିହାରରୁ ୩୨, ସୁନ୍ଦରପଦାରୁ ୨୩, ୟୁନିଟ-୯ରୁ ୧୯, ଟଙ୍କପାଣି ରୋଡରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ସ୍ଥାନରୁ ୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଟିଆ, ପୁରୁଣା ଭୁବନେଶ୍ବର, ନୂଆପଲ୍ଲୀ ଆଦି ଅଞ୍ଚଳରୁ ସବୁଦିନ ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହେବା ବିଏମ୍‌ସିର ଚିନ୍ତା ବଢ଼ାଇଦେଇଛି।

ସମ୍ବନ୍ଧିତ ଖବର