ଭୁବନେଶ୍ବରରେ କରୋନା: ଦିନ ବଢ଼ୁଛି, ମୁଣ୍ଡ ଗଡ଼ୁଛି

ଶହେ ଦିନରେ ମଲେଣି ୨୬୧

ଭୁବନେଶ୍ବର : ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ କଟକଣାକୁ ନେଇ ପେଶି ହୋଇଗଲେଣି ରାଜଧାନୀବାସୀ। କେବେ ଉଠିବ କଟକଣା ସେ ନେଇ ବ୍ୟବସାୟୀଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଦିନ ଗଣିଲେଣି। ଏଣେ ଟେଷ୍ଟ ପଜିଟିଭିଟି ରେଟ୍‌ (ଟିପିଆର୍‌) ୫%ରୁ ତଳକୁ ଖସୁନଥିବାରୁ କଟକଣା ଉଠିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଲାଣି। ଏଭଳି ସ୍ଥତିରେ କରୋନାରେ ଭୁବ‌ନେଶ୍ବର ମହାନଗର ନିଗମ ଅଞ୍ଚଳରେ ଶହେ ଦିନରେ ୨୬୧ ଜଣ ମଲେଣି। ସରକାରୀ ହିସାବ ମୁତାବକ, ଏପ୍ରିଲ ମାସରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେ ମାସରେ ୭୬ ଜଣ, ଜୁନ୍‌ ମାସରେ ୧୧୪ ଓ ଚଳିତ ମାସ ୧୧ ଦିନ ଭିତରେ ୫୬ ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଥାତ୍‌ କ୍ରମାଗତ ଭାବରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ମୃତ୍ୟୁ ସଂଖ୍ୟା ଭଳି ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପ୍ରିଲ ମାସରେ ୧୩ହଜାର ୬ ଜଣ ସଂକ୍ରମିତ ଥିବା ବେଳେ ମେ’ରେ ୩୧ ହଜାର ୨୫୦, ଜୁନ୍‌ରେ ୧୩ ହଜାର ୮୦୫ ଓ ଜୁଲାଇ ମାସର ମାତ୍ର ୧୧ ଦିନରେ ୧୬ ହଜାର ୯୪୯ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ସଂଖ୍ୟା ବଢ଼ିବା ପଛରେ ଟେଷ୍ଟିଂ ପରିମାଣ ଅନ୍ୟ ଏକ କାରଣ ବୋଲି କୁହାଯାଉଛି ତଥାପି ସ୍ଥିତି ସଙ୍ଗିନ ରହିଥିବା କୁହାଯାଉଛି। ଏଭଳି ସ୍ଥିତି ସତ୍ତ୍ବେ ଅମାନିଆଙ୍କ ସଂଖ୍ୟା କମିବା ନାଁ ଧରୁନି। ଯେତେ କଟକଣା ହେଲେ ବି ବିଭିନ୍ନ ସ୍ଥାନରେ ଦୋକାନ ଖୋଲୁଛି। ଲୋକଙ୍କ ଭିଡ଼ ଜମୁଛି। ସପ୍ତାହାନ୍ତ ସଟ୍‌ଡାଉନ୍‌ ଭୁବନେଶ୍ବରରେ ଜାରି ରହିଥିଲେ ମଧ୍ୟ ରବିବାର ଆମିଷ ଦୋକାନରେ ପ୍ରବଳ ଭିଡ଼ ହେଉଛି। ଖୋଲା‌ଖୋଲି ଭାବରେ ଦୋକାନ ଖୋଲୁଛି। ବିଏମ୍‌ସି ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୁଲିସ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ମାଛ, ମାଂସ କିଣୁଥିବା ପରିଲକ୍ଷିତ ହୋଇଛି। ପ୍ରାୟ ସମସ୍ତ ଗଳିରେ ଚା’, ପାନ ଓ ଜଳଖିଆ ଠାରୁ ଆରମ୍ଭ କରି ଯାବତୀୟ ସାମଗ୍ରୀ ଉପଲବ୍ଧ ହେଉଛି। ବିନା ମାସ୍କରେ ଅମାନିଆ ଛିଡ଼ା ହୋଇ ଖଟି କରିବା ଦୃଶ୍ୟ ମଧ୍ୟ ପରିଲକ୍ଷିତ ହୋଇଛି। ବିଏମ୍‌ସି ଓ ପୁଲିସ ଉଭୟ ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ୟ ସ୍ଥିତିରେ ଆଶାଜନକ ପରିବର୍ତ୍ତନ ଆସୁନାହିଁ।

୩୧୬ ଆକ୍ରାନ୍ତ, ୩୩୯ ସୁସ୍ଥ, ୮ମୃତ
ଭୁବନେଶ୍ବର : ରାଜଧାନୀରୁ ରବିବାର ୩୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୩୯ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୮ଜଣଙ୍କର ମୃତ୍ୟୁ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ପୂର୍ବରୁ ଦୈନିକ ମୃତ୍ୟୁ ସର୍ବାଧିକ ୬ଜଣ ଦର୍ଶାଯାଇଥିବାବେଳେ ଆଜି ଏହା ୮ ଦର୍ଶାଯାଇଛି। ଏହାପରେ ରାଜଧାନୀରେ ମୋଟ୍ ମୃତକଙ୍କ ସଂଖ୍ୟା ୫୧୧ରେ ପହଞ୍ଚିଛି। ଆଜୀ ବଡ଼ଗଡ଼ରୁ ୯ଜଣ, ଖଣ୍ଡଗିରି ୨୭, ଡୁମୁଡୁମାରୁ ୧୧, ନୂଆପଲ୍ଲୀରୁ ୧୫, ପଟିଆରୁ ୧୨, ପାତ୍ରପଡ଼ାରୁ ୧୩, ସହିଦନଗରରୁ ୧୧, ପୁରୁଣା ଭୁବନେଶ୍ବରରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର