କ୍ୟାପିଟାଲ ହସ୍ପିଟାଲ କାଜୁଆଲ୍‌ଟିରୁ ଜଣେ ପଜିଟିଭ୍

ଟେଲି ମେଡିସିନ୍ ନମ୍ବର ୭୬୫୫୦୫୧୪୦୫/୭୬୫୫୦୫୧୪୦୬

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ କାଜୁଆଲ୍‌ଟିରୁ ଜଣେ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ହସ୍ପିଟାଲର ୫ଜଣ କର୍ମଚାରୀ ଆସିଥିବା ବେଳେ ସେମାନଙ୍କୁ ସଙ୍ଗରୋଧରେ ରହିବା ଲାଗି ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ତେବେ ନିର୍ଦ୍ଦିଷ୍ଟ ଭାବେ ହସ୍ପିଟାଲରୁ କେତେ ସଂଖ୍ୟକ ରୋଗୀ ପଜିଟିଭ୍ ଚିହ୍ନଟ ହେଲେଣି, ତାହା ଜଣାପଡ଼ି ନାହିଁ।

ହସ୍ପିଟାଲରେ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଆଜିଠାରୁ କେବଳ ଗୋଟିଏ ବେଳା ଓପିଡିକୁ କାର୍ଯ୍ୟକ୍ଷମ କରାଯାଇଛି। ସକାଳ ୮ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଓପିଡି କାର୍ଯ୍ୟ କରିବ। ତେବେ କେତେଦିନ ପର୍ଯ୍ୟନ୍ତ ଏଭଳି ଗୋଟିଏ ବେଳା ଓପିଡି ରହିବ, ତାହା ହସ୍ପିଟାଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଅନ୍ୟ ସାଧାରଣ ସମୟରେ ହସ୍ପିଟାଲର ଓପିଡିକୁ ଅଢ଼େଇ ହଜାରରୁ ୩ ହଜାର ପର୍ଯ୍ୟନ୍ତ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ହେଲେ ଏବେ କରୋନା ପାଇଁ ରୋଗୀ ସଂଖ୍ୟା ଯଥେଷ୍ଟ କମି ଯାଇଛି। ତେବେ ଗୋଟିଏ ବେଳା ଓପିଡି କାର୍ଯ୍ୟକ୍ଷମ ହେବା ପରେ ରୋଗୀଙ୍କ ସଂଖ୍ୟାରେ ଆହୁରି ହ୍ରାସ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲ ପାଇଁ ଟେଲି ମେଡିସିନ୍ ନମ୍ବର ଜାରି ହୋଇଛି। ୭୬୫୫୦୫୧୪୦୫/୭୬୫୫୦୫୧୪୦୬ ଜରିଆରେ ଲୋକମାନେ ରୋଗୀ ସେବା ପାଇପାରିବେ। କରୋନା କଟକଣା ପାଇଁ ରୋଗୀମାନେ ସିଧାସଳଖ ହସ୍ପିଟାଲର ଓପିଡିକୁ ଚିକିତ୍ସା ପାଇଁ ଯିବା ସମ୍ଭବ ହେଉନାହିଁ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟେଲି ମେଡିସିନ୍ ସେବା ଆରମ୍ଭ କରାଯାଇଛି। ପ୍ରତ୍ୟେକ କେନ୍ଦ୍ରକୁ ୨ଟି‌ ଲେଖାଏଁ ମୋବାଇଲ ହ୍ୟାଣ୍ଡସେଟ୍‌ ଦିଆଯାଇଥିବା ବେଳେ ରାଜ୍ୟରେ ସମୁଦାୟ ୮୨ଟି ହ୍ୟାଣ୍ଡସେଟ୍‌ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର