କ୍ୟାମ୍ପସ୍‌ରେ କରୋନା: ନାଇଜର୍‌ରୁ ୩୧ ଆକ୍ରାନ୍ତ ଚିହ୍ନଟ

ଏନ୍‌ଆଇଟିରେ ୩ ସଂକ୍ରମିତ, ଚିନ୍ତାରେ ଅଭିଭାବକ, କମୁଛି ଉପସ୍ଥାନ

ଭୁବନେଶ୍ବର : ଓଡ଼ିଶାରେ କରୋନା ସଂକ୍ରମଣ ଏବେ ଉପରମୁହାଁ। ପ୍ରତିଦିନ ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଭୁବନେଶ୍ବର ନାଇଜର ଓ ରାଉର‌କେଲା ଏନ୍‌ଆଇଟି ଏବେ ଚିନ୍ତା ବଢ଼ାଇଛି। ଗୋଟିଏ ଦିନରେ ନାଇଜର୍‌ରୁ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନ୍‌ଆଇଟି ରାଉରକେଲାରେ ବି ପଶିଛି କରୋନା। ଏଠାରେ ତିନି ଜଣ ପିଲା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେବଳ ଏହି ଦୁଇଟି ନୁ‌ହେଁ, କେତେକ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ବି ସଂକ୍ରମିତ ହେଲେଣି। ହଠାତ୍‌ ସପ୍ତାହେ ହେଲା ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ବି ଭୟଭୀତ ହୋଇପଡ଼ିଛନ୍ତି। ଯାହାର ପ୍ରତିଫଳନ ଏବେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଦେଖିବାକୁ ମିଳିଛି। ଅଧିକାଂଶ ଶିକ୍ଷାନୁଷ୍ଠାନରେ ଆଜି ଉପସ୍ଥାନ କମ୍‌ ରହିଥିଲା। ସରକାରୀ ସ୍କୁଲରେ ଉପସ୍ଥାନ କମିଥିବା ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ବର ନାଇଜରରେ ଚିହ୍ନଟ ହୋଇଥିବା ୩୧ ଜଣ ଯାକ ଆକ୍ରାନ୍ତ ପ୍ରଥମ ବର୍ଷର ଛାତ୍ର ବୋଲି ଜଣାପଡ଼ିଛି। ନାମଲେଖା ପ୍ରକ୍ରିୟା ସରିବା ପରେ ସେମାନେ ଏବେ କ୍ୟାମ୍ପସକୁ ଆସିଛନ୍ତି। ପ୍ରବେଶ ସମୟରେ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ମାତ୍ର କେହି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ। ଯେଉଁଥିପାଇଁ ସେମାନଙ୍କୁ ଆଇସୋଲୋସନରେ ରଖାଯିବା ସହ ଡାକ୍ତରମାନେ ନଜର ରଖିଥିଲେ। ଏବେ କିଛି ଛାତ୍ର ଅସୁସ୍ଥ ହେବାରୁ ସେମାନଙ୍କ କରୋନା ପରୀକ୍ଷା ହୋଇଥିଲା। ‌ସେମାନେ ପଜିଟିଭ୍‌ ଚିହ୍ନଟ ହେବା ପରେ ଅନ୍ୟମାନଙ୍କର ବି ପରୀକ୍ଷା କରାଯାଇଥିଲା। ଆଜି ସେମାନଙ୍କର ରିପୋର୍ଟ ବି ପଜିଟିଭ୍‌ ଆସିଛି। ଏବେ ସୁଦ୍ଧା ମୋଟ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜଟଣୀ ଗୋଷ୍ଠୀ ଚିକିତ୍ସାକେନ୍ଦ୍ରର ଅଧୀକ୍ଷକ ଡାକ୍ତର ଜିତେନ୍ଦ୍ର କୁମାର ପଣ୍ଡା କହିଛନ୍ତି ଯେ ଆକ୍ରାନ୍ତଙ୍କୁ ନାଇଜର୍ ପରିସରରେ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ପର୍ଯ୍ୟବେକ୍ଷଣ ଚାଲୁରହିଛି। ନାଇଜର୍ କର୍ତ୍ତୃପକ୍ଷଙ୍କ ସହଯୋଗରେ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ଦେଇଛନ୍ତି। ନାଇଜର୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପିଲାମାନେ ହଷ୍ଟେଲରେ ଥିବା ସମୟରେ କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ କ୍ୟାମ୍ପସକୁ ବନ୍ଦ କରାଯାଇ ନାହିଁ। ନିୟମିତ ଭାବେ ବାକି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଗବେଷଣା ଜାରି ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ବାହାର ରାଜ୍ୟର ପିଲା। କ୍ୟାମ୍ପସକୁ ଆସିବା ପରେ ସେମାନଙ୍କ ଉପରେ ନଜର ରଖାଯାଇଥିଲା। ପରୀକ୍ଷା ପ‌ରେ ସେମାନଙ୍କ ମଧ୍ୟରୁ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆହୁରି ପ୍ରାୟ ଶହେ ପିଲାଙ୍କ ଉପରେ ଏବେ ନଜର ରଖାଯାଇଛି। ସେମାନଙ୍କୁ ହଷ୍ଟେଲର ଅଲଗା ଅଲଗା କୋଠରୀରେ ରଖାଯାଇଛି। ପରସ୍ପର ସହ ମିଳାମିଶାକୁ ବାରଣ କରାଯାଇଛି। ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତରଙ୍କ ସହଯୋଗରେ ନାଇଜର୍‌ର ଡାକ୍ତରମାନେ ତଦାରଖ କରୁଛନ୍ତି। ଅନ୍ୟମାନେ ଯେପରି ସଂକ୍ରମିତ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେହି ଓମିକ୍ରନ୍‌ ନ ଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ କରୋନା ଭୟ‌ରେ ସ୍କୁଲଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ କ୍ଲାସରୁମ୍‌ରେ ଉପସ୍ଥାନ କମିଛି। ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟମିତ ଭାବେ ଆସୁଥିବା ପିଲାଙ୍କ ମଧ୍ୟରୁ ୫ରୁ ୧୦ ପ୍ରତିଶତ ହ୍ରାସ ପାଇଛି। ବିଶେଷକରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନିଷ୍ପତ୍ତିକୁ ରାଜ୍ୟ ସରକାର ସ୍ଥଗିତ ରଖିବା ପରେ ଏବେ ଅଭିଭାବକ ବି ଭୟଭୀତ ହୋଇପଡ଼ିଛନ୍ତି। ୬ଷ୍ଠ, ୭ମ, ୮ମ, ୯ମ ଶ୍ରେଣୀରେ ବହୁ ଉପସ୍ଥାନ କମିଛି। ଆଗକୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀରେ ସମିଟିଭ୍‌-୧ ପରୀକ୍ଷା ଥିବାରୁ କମ୍‌ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁଛନ୍ତି। କେତେକ ବିଦ୍ୟାଳୟ‌କୁ ଆଦୌ ପିଲା ଆସୁ ନାହାନ୍ତି। ବିଶ୍ବବିଦ୍ୟାଳୟ ଅବସ୍ଥା ତଦ୍ରୁପ। ହଷ୍ଟେଲରେ ରହୁଥିବା ପିଲାମାନେ କେବଳ କ୍ଲାସ କରିବାକୁ ଆସୁଛନ୍ତି। ଅନ୍ୟମାନେ ଭୟରେ ଆସୁ ନ ଥିବା ଦେଖିବାକୁ ମିଳିଛି। ଦିଲ୍ଲୀ, ପଶ୍ଚିମବଙ୍ଗ, ହରିୟାଣାରେ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ବନ୍ଦର ପ୍ରଭାବ ଓଡ଼ିଶାରେ ଉପରେ ପଡ଼ିଥିବାରୁ ଉପସ୍ଥାନ କମୁଥିବା କୁହାଯାଉଛି। ଭୁବନେଶ୍ବରସ୍ଥିତ ଏକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ କହିଛନ୍ତି ଯେ ଖ୍ରୀଷ୍ଟମାସ ଛୁଟି ପରେ ଆଜି କ୍ୟାମ୍ପସ ଖୋଲିଛି। ତେଣୁ ଉପସ୍ଥାନ କମ୍‌ ରହିଛି। ସଂକ୍ରମଣ ବଢ଼ୁଥିବାରୁ ପିଲାମାନେ ଟିକିଏ ଭୟଭୀତ ରହିଛନ୍ତି। ତଥାପି ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଉପସ୍ଥାନ ଉପରେ ଆମକୁ ନଜର ରଖିବାକୁ ପଡ଼ିବ।

ସମ୍ବନ୍ଧିତ ଖବର