ଶ୍ରମିକ ହାଟରେ କରୋନା କଟକଣାକୁ ଫୁ’

ପୁରୁଣା ଭୁବନେଶ୍ୱର: ଏଠି ରାତି ପାହିଲେ ବସୁଛି ଶ୍ରମିକ ହାଟ। କାମ ପାଇଁ ଚାଲୁଛି ଶ୍ରମିକଙ୍କ ମୂଲଚାଲ। ଶହ ଶହ ସଂଖ୍ୟାରେ ଏକାଠି ହେଉଛନ୍ତି କାମ ଖୋଜୁଥିବା ଶ୍ରମିକ। କିନ୍ତୁ ଏହି ହାଟରେ କରୋନା କଟକଣା ନାହିଁ। ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ବଜାୟ ରଖିବା ନାହିଁ। ପେଟ ପାଇଁ ବିକଳ ହେଉଥିବା ଏହି ଶ୍ରମିକମାନଙ୍କ କଟକଣା ପ୍ରତି ନିଘା ନଥିବା ବେଳେ କେହି ମଧ୍ୟ ସେମାନଙ୍କୁ ସଚେତନ କରିବା ଦେଖାଯାଏ ନାହିଁ। ତେଣୁ ଏବେ ରାଜଧାନୀରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଶ୍ରମିକ ହାଟର ଏଭଳି ଅବସ୍ଥା ଆଗକୁ ଭୟଙ୍କର ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ପୁରୁଣା ଭୁବନେଶ୍ୱରର ବଢ଼େଇବାଙ୍କ, ଆନିଆ ହାଉସ୍‌, ସାମନ୍ତରାପୁର, ବ୍ରହ୍ମେଶ୍ବର ପାଟଣା, କଳ୍ପନା ଛକ ସମତେ ଭୁବନେଶ୍ବରର ଶିରିପୁର, ନୟାପଲ୍ଲୀ, ଜିଜିପି କଲୋନି ଆଦି ବିଭିନ୍ନ ଛକରେ ପ୍ରତିଦିନ ଦିନ ମଜୁରିଆଙ୍କ ଭିଡ଼ ଜମେ। ସକାଳ ହେଉ ହେଉ କୋଡ଼ି, କୋଦାଳ, ଶାବଳ, ଫାଉଡ଼ା, ଝୁଡ଼ି ଧରି ଏମାନେ ବାହାରି ପଡ଼ନ୍ତି ମୂଲ ଖୋଜିବା ପାଇଁ। ମାଲିକଙ୍କ ଅପେକ୍ଷାରେ ବସି ରହନ୍ତି ଶ୍ରମିକ ହାଟରେ। ମଜୁରି ପଇସା ତୁଟିଗଲେ ଦିନକ ପାଇଁ ବିକ୍ରି ହୋଇଯାଆନ୍ତି ଏହି ଖଟିଖିଆ ଦିନ ମଜୁରିଆମାନେ। ଯାହା ଭାଗ୍ୟରେ କାମ ଜୁଟିଗଲା ସେ ଖୁସିରେ ଝୁଡି, କୋଡି, କୋଦାଳ, ଶାବଳ ଆଦି ଆବଶ୍ୟକ ସଂରଜାମ ଧରି କାମକୁ ବାହାରି ପଡ଼େ। ତେବେ ଉକ୍ତ ସମସ୍ତ ଶ୍ରମିକ ହାଟରେ ଦେଖିବାକୁ ମିଳୁନି କୋଭିଡ଼୍‌ କଟକଣା। ବିଭିନ୍ନ ଛକରେ ସେମାନେ ଏକାଠି ହୋଇ ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି। ଶତକଡ଼ା ୮୦ଭାଗ ଲୋକଙ୍କ ମୁହଁରେ ମାସ୍କ ନାହିଁ। ଲଗାଲଗି ହୋଇ ବସୁଛନ୍ତି। ଏବେ ପୁଣି ବାହାର ଜିଲ୍ଲାରୁ ଆସି ଯାଇଛନ୍ତି କିଛି ଶ୍ରମିକ। ତାଲାବନ୍ଦ ବେଳେ କାମ ନ ପାଇ ଗାଁକୁ ପଳାଇଥିବା ଶ୍ରମିକମାନେ ପୁଣି ସହର ଫେରିଛନ୍ତି। ସେମା‌ନେ ସଙ୍ଗରୋଧରେ ରହିନାହାନ୍ତି। ତେଣୁ କରୋନା ମାଡ଼ିଯିବା ଭୟ ରହୁଛି। ଅଥଚ ଏମାନଙ୍କୁ ସଚେତନ କରାଇବାକୁ କେହି ଧ୍ୟାନ ଦେଉନାହାନ୍ତି। ଏନେଇ ବିଏମ୍‌ସି ଜୋନାଲ୍‌ ଡେପୁଟି କମିସନର ଅଂଶୁମାନ ରଥଙ୍କ କହିବା କଥା ଗତ ଶନିବାର ଓ ରବିବାର ସଟ୍‌ଡାଉନ୍‌ ସତ୍ତ୍ବେ କିଛି ଶ୍ରମିକ କାମ ଖୋଜିବାକୁ ଏହି ସବୁ ଛକମାନଙ୍କରେ ଏକାଠି ହୋଇଥିଲେ। କାମ ନ ମିଳିଲେ ଘରେ ଚୁଲି ଜଳିବନି ବୋଲି କହି ସେମାନେ କାମ ସନ୍ଧାନରେ ଆସିଥିଲେ। କିନ୍ତୁ ସେମାନଙ୍କୁ ବୁଝାଶୁଝା କରି ବିଦା କରାଯାଇଥିଲା। ଏବେ ବିଏମ୍‌ସି ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର କ୍ୟାମ୍ପେନ୍‌ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ରଥ ସୂଚନା ଦେଇଥିଲେ। ୱାର୍ଡ ସ୍ତରରେ କୋଭିଡ୍‌ ସଚେତକମାନେ ଯାଇ ଏମାନଙ୍କୁ ସଚେତନ କରିବେ। ଆବଶ୍ୟକ ପଡ଼ିଲେ ମାଇକ୍‌ ଲଗାଇ ଛକମାନଙ୍କରେ ସେମାନଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର