ଶ୍ରୀଲିଙ୍ଗରାଜ ମନ୍ଦିରରେ ‘କରୋନା’ କଟକଣା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ କରୋନା କଟକଣା। ଭକ୍ତ ଏବଂ ସେବାୟତମାନଙ୍କୁ କିପରି କରୋନା ସଂକ୍ରମଣ ନହେବ, ସେନେଇ ତିନି ନିଯୋଗ ସମ୍ପାଦକଙ୍କୁ ଡାକି ଆଜି ବୈଠକ କରାଯାଇ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜା ବେଳେ ସେବାୟତ ମାସ୍କ କିମ୍ବା ମୁହଁରେ ଗାମୁଛା ବାନ୍ଧିବେ। ବାରମ୍ବାର ସାବୁନ ଓ ହ୍ୟାଣ୍ଡୱାସ୍‌ରେ ହାତ ଧୋଇବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି। ଅରୁଣ ସ୍ତମ୍ଭକୁ ଭକ୍ତ ଛୁଇଁବାକୁ ଭକ୍ତଙ୍କୁ ବାରଣ କରାଯାଇଛି। ଆସନ୍ତା ୩୧ ତାରିଖ ଯାଏ ଏପରି କଟକଣା କରାଯାଇଛି। ଜ୍ୱର, ଥଣ୍ଡା ହୋଇଥିଲେ ଦର୍ଶନ ପାଇଁ ନ ଆସିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସେବାୟତମାନେ ଶ୍ରଦ୍ଧାଳୁଙ୍କୁ ସଚେତନ କରିବେ। ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଭକ୍ତଙ୍କ ମଧ୍ୟରେ ୨ ମିଟର ବ୍ୟବଧାନ ରହିବ ବୋଲି କୁହାଯାଇଛି। ଭକ୍ତଙ୍କ ଆଖିରେ କର୍ପୂର ନ ଲଗାଇବାକୁ ମଧ୍ୟ କୁହାଯାଇଛି। ଭକ୍ତମାନେ ଭିତରକାଠ ପର୍ଯ୍ୟନ୍ତ ଧାଡ଼ିରେ ଯାଇ ଠାକୁରଙ୍କୁ ଦର୍ଶନ କରିପାରି‌‌ବେ। ଭିତର କାଠ ପରେ ଗର୍ଭଗୃହରେ କଟକଣା ଜାରି କରାଯାଇଛି। ଗର୍ଭଗୃହକୁ ୧୦ରୁ ୧୫ଜଣ ଲୋକ ଦୂରତା ରଖି ପ୍ରବେଶ କରିପାରିବେ। ସେହିପରି ଆନନ୍ଦ ବଜାରରେ ବସିବା ଓ ଭୋଜନ ବ୍ୟବସ୍ଥା ନିୟନ୍ତ୍ରିତ କରାଯିବା ନେଇ ସ୍ଥିରୀକୃତ ହୋଇଛି। ମନ୍ଦିରକୁ ପ୍ରବେଶ ପରେ ଓ ବାହାରିବା ବେଳେ ହାତ ଧୋଇବା ପାଇଁ ବେସିନ୍‌ ନିକଟରେ ଆଜିଠାରୁ ହ୍ୟାଣ୍ଡୱାସ୍‌ ରଖାଯାଇଛି। ମନ୍ଦିରରେ ଅଧିକ ପୁଲିସ ରହି ଭିଡ଼କୁ ବାରଣ କରିବେ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କହିଛନ୍ତି। ସେହିପରି ମନ୍ଦିର ଭିତରେ କେହି ଛେପ ପକାଇବାକୁ ବାରଣ କରାଯିବ। ସୋମବାର ସିହଂଦ୍ବାରଠାରେ ସେବାୟତମାନଙ୍କୁ ସଚେତନ କରାଯିବ। ସେବାୟତମାନେ ପରେ ଶ୍ରଦ୍ଧାଳୁଙ୍କୁ ସଚେତନ କରିବେ। ମନ୍ଦିରକୁ ଆସୁଥିବା‌ ତୀର୍ଥଯାତ୍ରୀ ଓ ସେବାୟତମାନଙ୍କ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା କରାଯିବ। ଆଜି ଏହି ବୈଠକରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ଓ ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର