ଗାଁ ଗହଳିରେ କରୋନା କଟକଣାକୁ ଫୁ : ଚାଲିଛି ଖଟି ଓ ଭୋଜିର ଆସର

ବାଲିଅନ୍ତା: ବାଲିଅନ୍ତା ଥାନା ଅଞ୍ଚଳରେ କରୋନା କଟକଣା ଉପର ଠାଉରିଆ ଭାବେ କାର୍ଯ୍ୟକାରୀ ହେଉଥିବା ଲକ୍ଷ୍ୟ କରାଯାଉଛି। ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ପ୍ରମୁଖ ଛକ ବଜାରରେ ଥିବା ଅଧିକାଂଶ ଦୋକାନରେ ତାଲା ଝୁଲୁଛି। ଖାଁ ଖାଁ ହୋଇଯାଇଛି ବଜାର ରାସ୍ତା। ସଞ୍ଜ ହେଲେ ଜନଶୂନ୍ୟ ରାସ୍ତାରେ କୌଣସି ଜରୁରୀ କାମରେ ଘରୁ ବାହାରିଲେ ବି ଡର ଲାଗୁଛି। ରାତି ହେଲେ ଲୋକମାନେ ଛକ ବଜାରକୁ ବାହାରିବାକୁ ସାହସ କରୁ ନାହାନ୍ତି। ଅନ୍ୟପଟେ କିନ୍ତୁ ଗାଁ ଗହଳିରେ କରୋନା କଟକଣାକୁ ଲୋକମାନେ ମାନୁନଥିବା ଦେଖିବାକୁ ମିଳୁଛି। ଗାଁ ଗଳିକନ୍ଦିରେ ଥିବା ବିଭିନ୍ନ ଦୋକାନ ଡେରି ରାତି ପର୍ଯ୍ୟନ୍ତ ଖୋଲା ରହୁଛି। ଚା’ ପାନ ଦୋକାନ ନିକଟରେ ଯୁବକମାନଙ୍କର ଖଟି ଜମୁଛି। ସାମାଜିକ ଦୂରତା ରଖିବା ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଛୋଟ ଜଳଖିଆ ଦୋକନରେ ବି ଲୋକଙ୍କ ଭିଡ଼ ଲାଗୁଛି। ଛକ ବଜାରରେ ବଡ଼ ଦୋକାନ ବନ୍ଦ ରହୁଥିବାରୁ ଭଲ କାରବାର ହେଉଛି। ଖାଲି ସେତିକି ନୁହେଁ ଗାଁ କ୍ଲବ, କୋଠ ଘର, ଆମ୍ବତୋଟା, ଝାଉଁବଣ ତଥା ଖୋଲାସ୍ଥାନରେ ମଦୁଆଙ୍କ ଆସର ଜମୁଛି। ତାସ ପାଲି ଓ କ୍ୟାରମ ଖେଳ ଚାଲିଛି। ଗାଁ ଖେଳପଡ଼ିଆରେ ଅପରାହ୍‌ଣରେ କ୍ରିକେଟ ଓ ରାତିରେ ଭଲିବଲ ଜମୁଛି। ଛକ ବଜାର ବନ୍ଦ ରହୁଥିବାରୁ ଗାଁ ଓ ସାହି ଭିତରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଯଦି କେହି ସଚେତନ ଯୁବକ କିମ୍ବା ମୁରବି ଏହାର ପ୍ରତିବାଦ କରୁଛନ୍ତି ତା’ ହେଲେ ସଂପୃକ୍ତ ଉତ୍ସୃଙ୍ଖଳ ବ୍ୟକ୍ତିଙ୍କ ରୋଷର ଶିକାର ହେଉଛନ୍ତି।

ସବୁଠୁ ବଡ଼ କଥା ହେଉଛି ଗାଁ ଭିତରେ ପୁଲିସ ପାଟ୍ରୋଲିଂ ଗାଡ଼ି ବୁଲୁନଥିବାରୁ କଟକଣା ଫେଲ ମାରିଛି। ବାଲିଅନ୍ତା ଥାନା ଓ ତହସିଲଦାରଙ୍କ ଗାଡ଼ି ମଧ୍ୟ ଗାଁ ରାସ୍ତାରେ ଗଡ଼ୁନି। ପୁରୋହିତପୁର ଗ୍ରାମର ଜଣେ ଖବରକାଗଜ ବିତରକଙ୍କ କହିବାନୁଯାୟୀ ତାଙ୍କ ଗ୍ରାମକୁ ଦିନେ ହେଲେ ବାଲିପାଟଣା ପିସିଆର ଗାଡ଼ି ଯାଇନି। ସେହିପରି ପ୍ରତାପରୁଦ୍ରପୁର ପଞ୍ଚାୟତ ନୂଆସାହି ଗ୍ରାମର କ୍ଷୀରୋଦ ଚନ୍ଦ୍ର ପଣ୍ଡା, କରୁଣାକର ପରିଡ଼ା ଓ ସାମାଜିକ କର୍ମୀ ବିଷ୍ଣୁପ୍ରିୟା ଦେଠୀଙ୍କ ସୂଚନାନୁଯାୟୀ ସଞ୍ଜ ହେଲେ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଛି। ତାରିଣୀ ବଜାର ଓ ଗାଁ ଭିତରେ ଥିବା ୩ଟି ଚୋରାମଦ ଦୋକାନ ଆଗରେ ମଦୁଆଙ୍କ ଭିଡ଼ ଜମୁଛି। ଗତକାଲି ନିଶାଡ଼ିଙ୍କ ଭିତରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଛକ ବଜାର ଭଳି ଗାଁ ଗଳିରେ କରୋନା ସଚେତନତା ଦିଗରେ ସରପଞ୍ଚ, ଥାନା ଅଧିକାରୀ, ତହସିଲ ପ୍ରଶାସନ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର