ପୁଣି ଫେରିଛି କରୋନା, ବିପଦରେ ପୁଲିସ ଫୋର୍ସ

ଭୁବନେଶ୍ବର : ପୁଣି ଫେରିଛି କରୋନା। କ୍ରମଶଃ ମାରାତ୍ମକ ହେବାରେ ଲାଗିଛି। କରୋନା କଟକଣାକୁ କାର୍ଯ୍ୟକାରୀ କରିବାଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ବ୍ୟବସ୍ଥିତ କରିବା କାମରେ ଲାଗିଥିବା ପୁଲିସ କର୍ମଚାରୀଙ୍କ ପ୍ରତି ବିପଦ ବଢ଼ିଛି। କରୋନା ଆରମ୍ଭ କାଳର ସ୍ଥିତିକୁ ଦେଖିଲେ ପରିସ୍ଥିତି ସାଂଘାତିକ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

କାରୋନାର ପ୍ରଥମ ଲହରରେ କମିସନରେଟ୍‌ ପୁଲିସର ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ହଜାର ୪ଶହ ୧୨ଜଣ ଆକ୍ରାନ୍ତ ହୋଇଥିଲେ। ୩ ଥାନାରେ ୯୦ ପ୍ରତିଶତ କର୍ମଚାରୀ ଦୀର୍ଘ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିଥିବା ବେଳେ ରିସେପ୍‌ସନ୍‌ ଟେବୁଲ ଥାନା ଫାଟକ ପାଖରେ ପଡ଼ିଥିଲା, କାହାରିକୁ ପ୍ରବେଶ ଅନୁମତି ଦିଆଯାଇନଥିଲା। ଏବେ ଏହି ଦ୍ବିତୀୟ ଲହର ଅଧିକ ମାରାତ୍ମକ ହୋଇଥିବାରୁ ଏଥିପାଇଁ ପୁଲିସଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ସବୁଠାରୁ ବଡ଼ କଥା ହେଉଛି କମିସନରେଟ୍‌ ପୁଲିସରେ କାର୍ଯ୍ୟରତ ଜଣେ ପୁଲିସ ଅଧିକାରୀ ଏବେ କରୋନା ଆକ୍ରାନ୍ତ ହୋଇଥିବାରୁ ବିପଦ ବଢ଼ିଛି।

ନିକଟ ଅତୀତରେ ମହାମାରୀ କାଳରେ ପୁଲିସ କର୍ମଚାରୀଙ୍କ ସୁରକ୍ଷା ନେଇ ପୁଲିସ ଡିଜି ସମସ୍ତ ଏସ୍‌ପି, ଡିସିପିଙ୍କୁ ଚିଠି ଲେଖିଥିଲେ। କିଭଳି କର୍ମଚାରୀମାନେ ସୁରକ୍ଷିତ ରହି ଏନ୍‌ଫୋର୍ସମେଣ୍ଟ କରିବେ ସେ ନେଇ କେତେକ ନିର୍ଦ୍ଦେଶନାମା ଜାରି କରିଥିଲେ। ତା‌’ ଛଡ଼ା କମିସନରେଟ୍‌ ପୁଲିସ ମଧ୍ୟ ପୁଲିସଙ୍କ ସୁରକ୍ଷା ନେଇ ବ୍ୟାପକ ପ୍ରସ୍ତୁତି କରିଥିବା ସୂଚନା ମିଳିଛି। ଏନ୍‌ଫୋର୍ସମେଣ୍ଟ ବେଳେ ଲୋକଙ୍କୁ ନ ଛୁଇଁବାକୁ ଯଥାସମ୍ଭବ ଚେଷ୍ଟା କରିବା ସହ ନିଜକୁ ସୁରକ୍ଷିତ ରଖିବାକୁ ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି। ଏକାଠି ରହୁଥିବା ପୁଲିସ କର୍ମଚାରୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଇଛି। ତା’ ଛଡ଼ା ସମସ୍ତ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯାଇଥିବା କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ବର୍ଷ ୬ ହଜାରରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ ଓ ଅଧିକାରୀ ଏହି କରୋନା ମୁକାବିଲା କାମରେ ନିୟୋଜିତ ଥିଲେ। ମୋଟ ୬ ହଜାର ୮୫୩ ଜଣଙ୍କର କରୋନା ପରୀକ୍ଷା କରାଯାଇଥିବା ବେଳେ ୧୪୧୨ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ୭ ଜଣଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଆରୋଗ୍ୟ ଲାଭ କରିବା ପରେ ୮୭ ଜଣ ପ୍ଲାଜ୍‌ମା ଦାନ କରିଥିଲେ। କରୋନା କାଳରେ ୩୮୦୦ ଜଣ ପୁଲିସ କର୍ମଚାରୀ ରକ୍ତ ମଧ୍ୟ ଦାନ କରିଥିଲେ। ୩ ଲକ୍ଷ ୨୦ ହଜାର ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଥିବା ‌ବେଳେ ସୀମାନ୍ତରୁ ୪ହଜାର ବସ୍‌କୁ ଏସ୍କର୍ଟ ଦିଆ ଯାଇଥିଲା। ୮ଶହ ହୋମ୍‌ ଡେଲିଭରି ଗ୍ରୋସରି ଦୋକାନୀଙ୍କ ମୋବାଇଲ ନମ୍ବର ସମ୍ବଳିତ ପୁସ୍ତକ ଛପାଯାଇ ୨୫ ହଜାର ବରିଷ୍ଠ ନାଗରିକଙ୍କୁ ବଣ୍ଟା ଯାଇଥିଲା।

କମିସନରେଟ ମୁଖ୍ୟାଳୟରେ ପଶିଲା କରୋନା, କ୍ୟୁଏଟି ମୁଖ୍ୟ ଆକ୍ରାନ୍ତ
ଭୁବନେଶ୍ବର : କମିସନରେଟ ମୁଖ୍ୟାଳୟରେ ପଶିଛି କରୋନା। କୁଇକ୍ ଆକ୍ସନ ଟିମ୍(କ୍ୟୁଏଟି) ମୁଖ୍ୟ ସବଇନ୍ସପେକ୍ଟର ଶୁଭେନ୍ଦୁ ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସପ୍ତାହେ ତଳେ ତାଙ୍କ ଶରୀରରେ କୋଭିଡ୍ ଲକ୍ଷଣ ଦେଖା ଦେଇଥିଲା। ପରୀକ୍ଷା ପରେ ସେ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେ ଏକ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କମିସନରେଟ ପୁଲିସରେ ଆକ୍ରାନ୍ତ ବାହାରିବା ପରେ ଏବେ ଚିନ୍ତା ବଢ଼ି ଯାଇଛି।

ସମ୍ବନ୍ଧିତ ଖବର