କରୋନା ବଢ଼ାଉଛି ମାନସିକ ବିଷାଦ, ଏମ୍‌ସକୁ ଦିନକୁ ଆସୁଛି ହାରାହାରି ୫୦ କଲ୍‌

ବୃଦ୍ଧି ପାଉଛି ନିଦ୍ରାହୀନତା, ଚିଡ଼ିଚିଡ଼ାପଣ
ଗୁରୁତର ମାନସିକ ରୋଗୀଙ୍କ ଅବସ୍ଥା ଜଟିଳ
ମୃତ୍ୟୁର ଗଣତି ବନ୍ଦ କରିବାକୁ ପରାମର୍ଶ

ଭୁବନେଶ୍ବର : ଏମ୍‌ସ ଭୁବନେଶ୍ବରର ହ୍ବାଟ୍‌ସ-ଆପ୍‌, ସ୍ବାସ୍ଥ୍ୟ-ଆପ୍‌ ମାଧ୍ୟମରେ ପ୍ରତିଦିନ ଆସୁଛି ୪୦ରୁ ୫୦ ମାନସିକ ରୋଗୀଙ୍କ କଲ। ବର୍ତ୍ତମାନର କରୋନା ସହିତ ସ୍ବାସ୍ଥ୍ୟସେବାର ଜଟିଳ ଅବସ୍ଥା ଏବଂ ଲକଡାଉନ୍‌ ଯୋଗୁଁ ଆଗାମୀ କିଛି ଦିନ ମଧ୍ୟରେ ଏହି ସଂଖ୍ୟା ୧୦୦ ଛୁଇଁଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଏମ୍‌ସ ମାନସିକ ରୋଗ ବିଶେଷଜ୍ଞ ବିଶ୍ବରଞ୍ଜନ ମିଶ୍ର। ଏଥିମଧ୍ୟରେ ପୁରୁଣା ରୋଗୀଙ୍କ ସହିତ ନୂଆ ଲୋକ ବି ଯୋଡ଼ି ହେଉଛନ୍ତି।

ଡାକ୍ତର ବିଶ୍ବରଞ୍ଜନ କହିଛନ୍ତି, ପାରିପାର୍ଶ୍ବିକ ପରିବେଶ ଅନେକଙ୍କୁ ନିରାଶାବାଦୀ କରିଦେଇଛି। ସେମାନେ ନିଦ୍ରା‌ହୀନତାର ଶିକାର ହେଉଛନ୍ତି। ଅଯଥାରେ ଗୁଡ଼ାଏ କଥା ଚିନ୍ତା କରୁଛନ୍ତି, ଚିଡ଼ିଚିଡ଼ା ହୋଇଯାଉଛନ୍ତି। କିନ୍ତୁ ସେମାନେ ମାନସିକ ରୋଗୀ ନୁହଁନ୍ତି କି ତାଙ୍କ ଅବସ୍ଥା ବି ଗୁରୁତର ନୁହେଁ। କରୋନା ସ୍ଥିତି, ଲକଡାଉନ୍‌ ଅନେକ ସାଧାରଣ ଲୋକଙ୍କ ଏପରି ମାନସିକ ସମସ୍ୟା ସୃଷ୍ଟି କରିଛି। ସାମାନ୍ୟ କାଉନ‌ସେଲିଂ ସହ କିଛି ପରାମର୍ଶ ଗ୍ରହଣ କଲେ ମୋନେ ସ୍ବାଭାବିକ ହୋଇଯିବେ। ଆବଶ୍ୟକସ୍ଥଳେ ସେମାନେ ଏମ୍‌ସ ମାନସିକ ରୋଗ ବିଭାଗର ଟେଲି ମେଡିସିନ୍‌ ସେବା ମୋ: ୮୨୮୦୩୪୬୬୬୦ରେ କଲ୍‌ କରି ଡାକ୍ତରଙ୍କଠାରୁ କାଉନସେଲିଂ ପାଇ ପାରିବେ ବୋଲି ଡାକ୍ତର ବିଶ୍ବରଞ୍ଜନ କହିଛନ୍ତି।

ଲକଡାଉନ୍‌ରେ ଜଟିଳ ମାନସିକ ରୋଗୀ ଯଥା ବାଇପୋଲାର ଡିସଅର୍ଡର୍‌, ଅର୍ଗାନିକ ମେଣ୍ଟାଲ ଡିସଅର୍ଡର୍‌ କିମ୍ବା ମାନସିକ ଶିଶୁ ରୋଗୀଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଛି। ଏମାନଙ୍କ ମଧ୍ୟରୁ ଅନେକ ରୋଗୀଙ୍କ ଔଷଧ ପାଇବାରେ ସଂକଟ ହେଲାଣି। ସେହିପରି ସପ୍ତାହ, ୧୫ ଦିନ କିମ୍ବା ଏକ ମାସ ମଧ୍ୟରେ ଆବଶ୍ୟକ କାଉନସେଲିଂ ପାଇବା ମଧ୍ୟ ସେମାନଙ୍କ ପାଇଁ ସମ୍ଭବ ହେଉନାହିଁ। ଏପରିକି ଅନେକ ମାନସିକ ରୋଗୀ ଠିକ୍‌ ହୋଇ ଆସିବା ବେଳକୁ ପୂର୍ବାବସ୍ଥା ଫେରି ଯିବାର ଆଶଙ୍କା ରହୁଛି। ସେଥିରେ ପୁଣି ଲକଡାଉନ୍‌ରେ ବାନ୍ଧି ହୋଇଯାଉଛନ୍ତି।

ଡାକ୍ତର ବିଶ୍ବରଞ୍ଜନ କହିଛନ୍ତି, ଗତବର୍ଷ ଅନୁଭବରୁ ଏଭଳି ଅବସ୍ଥା ନେଇ ପୂର୍ବାନୁମାନ ରହିଥିଲା। ଏଥିଯୋଗୁଁ ଗୁରୁତର ରୋଗୀଙ୍କୁ ୩ରୁ ୪ମାସର ଫଲୋଅପ୍‌ କରାଯାଉଥିଲା। ଏ ସଂକ୍ରାନ୍ତରେ କୌଣସି ଅସୁବିଧା ହେଲେ ଟେଲି ମେଡିସିନ୍‌ ଜରିଆରେ ସେମାନେ ରିପୋର୍ଟ ପଠାଇ ପାରିବେ। ଯଦି ଟେଲି ମେଡିସିନ୍‌ ଜରିଆରେ ଚିକିତ୍ସା ସମ୍ଭବ ହେଉନାହିଁ, ତେବେ ସେମାନେ ନିକଟରେ ଥିବା କାଉନସେଲିଂ କେନ୍ଦ୍ରର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ଏହା ସତ୍ତ୍ବେ ଜରୁରୀକାଳୀନ ସ୍ଥିତି ହେଲେ ହସ୍ପିଟାଲରେ ଭର୍ତ୍ତି କରିବାକୁ ସେ ପରାମର୍ଶ ଦେଇଛନ୍ତି। କିନ୍ତୁ କୋଭିଡ୍‌ ଆଶଙ୍କା ଥିବାରୁ ତାଙ୍କୁ ବେଶି ଦିନ ଡାକ୍ତରଖାନାରେ ରଖାଯିବ ନାହିଁ ବୋଲି ଡାକ୍ତରମାନେ କହୁଛନ୍ତି। ଯେଉଁମାନଙ୍କ ପୂର୍ବରୁ ମଧ୍ୟ ସାମାନ୍ୟ ମାନସିକ ରୋଗ ସମସ୍ୟା ଥିବ, ବର୍ତ୍ତମାନ ସେମାନଙ୍କୁ ପାନିକ୍‌ ଆଟାକ୍‌ ହେବାର ଆଶଙ୍କା ରହିଛି। ମାନସିକ ଚାପରୁ ରକ୍ଷା ପାଇଁ ପ୍ରଥମତଃ ମୃତ୍ୟୁର ଗଣତି କରିବା ବନ୍ଦ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଲକଡାଉନ୍‌ରେ ଜୀବନଶୈଳୀ ପରିବର୍ତ୍ତନ ହେଉଥିବାରୁ ବ୍ୟାୟାମ, ଚାଲିବା ଅଭ୍ୟାସ କରିବା ଉଚିତ। ଏହି ସମୟରେ ଗେମିଂ, ଆପ୍‌ରେ ବୁଡ଼ି ରହିଲେ ଆଉ ଏକ ସମସ୍ୟା ରହିଛି। ତେଣୁ ମୋବାଇଲ, ଇଣ୍ଟରନେଟ୍‌ର ନିୟନ୍ତ୍ରିତ ବ୍ୟବହାର କରି ପରିବାର ମଧ୍ୟରେ ବାର୍ତ୍ତାଳାପ ବୃଦ୍ଧି କରନ୍ତୁ। ଆବଶ୍ୟକସ୍ଥଳରେ ପିଲାଙ୍କୁ ରାନ୍ଧିବା, ସିଲେଇ, ବଗିଚା କାର୍ଯ୍ୟ ଶିଖାଇବାକୁ ଗୁରୁତ୍ବ ଦେବା ସହ ପିଲାଙ୍କ ସହ ବିଭିନ୍ନ ପ୍ରକାର ଖେଳ ଖେଳିବା ଉଚିତ। ଏକୁଟିଆ ନରହି ହ୍ବାଟ୍‌ସ-ଆପ, ଗୁଗୁଲ ମିଟ୍‌ରେ ନିଜ ସମ୍ପର୍କୀୟ, ବନ୍ଧୁ, ପରିଜନଙ୍କ ସହ ନିୟମିତ କଥାବର୍ତ୍ତା କରି ସମ୍ପର୍କକୁ ମଜଭୁତ୍‌ କରିବାକୁ ଡାକ୍ତର ବିଶ୍ବରଞ୍ଜନ ପରାମର୍ଶ ଦେଇଛନ୍ତି। ଏହି ସମୟରେ କରୋନା ବିଷୟରେ ଯଥାସମ୍ଭବ କମ ଆଲୋଚନା କରିବା ଉଚିତ।

ସମ୍ବନ୍ଧିତ ଖବର