ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ଖୋର୍ଦ୍ଧା ଜିଲ୍ଲାର ବିଏମ୍ସି ଅଞ୍ଚଳରେ ନିୟମିତ ଭାବେ ସବୁଠାରୁ ଅଧିକ ସଂକ୍ରମଣ ରହିଥିବା ରେକର୍ଡ କରାଯାଇଛି। ଗତ ସପ୍ତାହରେ କରୋନାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଦର୍ଶାଯାଇଛି। ଗତ ୧୫ ତାରିଖରେ ୧୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬ ତାରିଖରେ ୧୪୧, ୧୭ରେ ୧୫୮, ୧୮ରେ ୧୪୪, ୧୯ରେ ୧୯୪, ୨୦ରେ ୨୦୯, ୨୧ ତାରିଖରେ ୨୩୩ ଓ ଗତ ୨୪ ଘଣ୍ଟା ମଧ୍ୟରେ ୨୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାସେ ହେଲା ସଂଖ୍ୟା ୨ଶହ ତଳେ ରହୁଥିବା ବେଳେ ଲଗାତାର ୩ ଦିନ ହେବ ୨ଶହ ଉପରେ ରହିଛି ସଂକ୍ରମଣ। ଏହା ପ୍ରଶାସନର ଚିନ୍ତା ବଢ଼ାଇଛି।
ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥରୋଗୀଙ୍କ ସଂଖ୍ୟା କମୁଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୧୭ ତାରିଖରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୫ଶହ ୮୮ ଥିବା ବେଳେ ଆଜି ଏହି ସଂଖ୍ୟା ୩ ହଜାର ୬ଶହ ୩୩ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ୁ ନଥିବା ମଧ୍ୟ ଚିନ୍ତାଜନକ ବୋଲି କୁହାଯାଉଛି। ଦୁର୍ଗାପୂଜା ପାଇଁ ବିଏମ୍ସି ୪୦ ଜାଗାରେ ନମୁନା ସଂଗ୍ରହ କରୁଥିବା ବେଳେ ଏବେ ଏହି ସଂଖ୍ୟା ୨୮କୁ ଖସି ଆସିଛି। ଏବେ ୨୮ଜାଗାରୁ ନମୁନା ସଂଗୃହୀତ ହେଉଥିବା ୫ହଜାର ନମୁନାରୁ ଆକ୍ରାନ୍ତଙ୍କ ସଂଖ୍ୟା ହାରାହାରି ୨ଶହ ରହୁଛି।