ରାଜଧାନୀ ଉପକଣ୍ଠକୁ ‘ତାଲା ବନ୍ଦ’ ମାଡ଼ : ମିଳୁନି ପରିବା, ପୁଲିସ ଡରରେ ବଜାର ଯାଉନାହା‌ନ୍ତି ବେପାରୀ

ଚଢ଼ା ଦରରେ ବିକୁଥିବା ଦୋକାନୀଙ୍କୁ ସାବାଡ଼ କରିବ ପୁଲିସ

ଖଣ୍ଡଗିରି : ସରକାରଙ୍କ ‘ତାଲା ବନ୍ଦ’ ନିଷ୍ପତ୍ତି ରାଜଧାନୀ ଉପକଣ୍ଠ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ବେପାରୀମାନେ ପୁଲିସ ଭୟରେ ବଜାର ଯାଉ ନଥିବାରୁ ଗ୍ରାମାଞ୍ଚଳରେ ପରିବା ମିଳୁନାହିଁ। କିଛି ବୁଲା ବେପାରୀ ଏହି ମଉକାରେ ଚଢ଼ା ଦରରେ ପରିବା ବିକୁଛନ୍ତି ଓ ଲୋକେ ବାଧ୍ୟ ହୋଇ ଚଢ଼ା ଦରରେ କିଣୁଛନ୍ତି। କିନ୍ତୁ କମିସନରେଟ୍‌ ପୁଲିସ ବେପାରୀମାନଙ୍କୁ ନିର୍ଭୟବାଣୀ ଶୁଣାଇଛି ଓ ସେମାନେ ଉପଯୁକ୍ତ ପ୍ରମାଣ ଦେଖାଇ ପରିବା ପାଇଁ ସହର ଭିତରକୁ ଯାତାୟାତ କରିପାରିବେ ବୋଲି କହିଛି। ଭରତପୁର, ଡୁମୁଡୁମା, ରଘୁନାଥନଗର, କଳିଙ୍ଗନଗର, ପାତ୍ରପଡ଼ା, ତମାଣ୍ଡୋ ଓ ଯାଁଳା ଭଳି ରାଜଧାନୀ ଉପକଣ୍ଠ ଅଞ୍ଚଳରେ ପରିବାପତ୍ରର କୃତ୍ରିମ ଅଭାବ ଦେଖିବାକୁ ମିଳିଛି। କଲୋନି ଭିତରେ ଥିବା ଛୋଟ ଛୋଟ ପରିବା ଦୋକାନୀମାନେ ଓ ଉପରୋକ୍ତ ଅଞ୍ଚଳର ଛୋଟ ହାଟରେ ଥିବା ଦୋକାନୀମାନେ ପରିବା ଦୋକାନ ବନ୍ଦ କରି ବସିଛନ୍ତି। ଆଉ କିଛି ଦୋକାନୀ ‌ଆଇଗିଣିଆ କୁବେରପୁରୀରୁ ଆଳୁ ପିଆଜ ନେଇ ବସିଛନ୍ତି। ମାତ୍ର କ୍ୟାପିଟାଲ ହାଟ, ଜଟଣୀ ହାଟ ବା ଖୋର୍ଦ୍ଧା ହାଟରୁ ପରିବା ଆଣି ବିକୁଥିବା ଏହି ଦୋକାନୀମାନେ ବଜାର ଯିବାକୁ ଭୟ କରୁଛନ୍ତି। ପୁଲିସ ନାକାବନ୍ଦୀ ଭଳି ଲୋକଙ୍କୁ ବଜାର ଛାଡ଼ୁ ନଥିବାରୁ ସେମାନେ ଭୟରେ ଯାଉନାହାନ୍ତି। ତେଣୁ ଏହି ସବୁ ଅଞ୍ଚଳରେ ପରିବା ଏବେ ସ୍ବପ୍ନ ହୋଇପଡ଼ିଛି। ବିଶେଷକରି କଳିଙ୍ଗନଗର, ଉଦୟଗିରିବିହାର, ଧର୍ମବିହାର ଭଳି ସହର ଉପକଣ୍ଠସ୍ଥିତ କଲୋନିମାନଙ୍କରେ ବରିଷ୍ଠ ନାଗରିକମାନେ ଏହି ସମସ୍ୟାରେ ଅଧିକ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ଖଣ୍ଡଗିରି ଥାନା, ତମାଣ୍ଡୋ ଥାନା ଓ ଯାଁଳା ଫାଣ୍ଡି ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁସା‌ରେ, ପରିବା ବେପାରୀମାନଙ୍କ ଅଟୋ, ଟାଟା ଏସ୍‌ କିମ୍ବା ମୋପେଡ଼୍‌କୁ ସହର ଭିତରକୁ ଯିବା ମନା ନାହିଁ। ସେମାନେ ଟ୍ରେ, ପରିବା ବସ୍ତା ବା ଅଖା ଆଦି ଦେଖାଇଲେ, ଆପେ ଆପେ ଜଣାପଡ଼ିବ ଓ ସେମାନଙ୍କ ପାଇଁ ତାଲା ବନ୍ଦ କଟକଣା ନାହିଁ। ତେବେ କିଛି ପରିବା ବେପାରୀ ଏହି ମଉକାରେଚଢ଼ା ଦର କରି ଖାଉଟିମାନଙ୍କୁ ଶୋଷଣ କରିବା ନଜରକୁ ଆସିଲାଣି। ଖାଉଟିମାନେ ଅଭିଯୋଗ କଲେ, ପୁଲିସ ଉକ୍ତ ପରିବା ଦୋକାନୀଙ୍କ ବିରୋଧ‌‌‌‌‌ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସମ୍ବନ୍ଧିତ ଖବର