ପୁରୁଣା ଭୁବନେଶ୍ବର: କରୋନା ଲକ୍ଡାଉନ୍ ଯୋଗୁଁ ରାଜଧାନୀରେ ଫୁଲ ବ୍ୟବସାୟ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଗୋଟିଏପଟେ ଦୋକାନ ଖୋଲିବାକୁ ଅନୁମତି ନଥିବା ବେଳେ ବାହାଘର, ବ୍ରତଘର, ଜନ୍ମଦିନ ଭଳି ଉତ୍ସବ ପାଳନ ଉପରେ ସରକାର କଠୋର୍ କଟକଣା ଲାଗୁ କରିଛନ୍ତି। ସେହିପରି ମନ୍ଦିରମାଳିନୀ ଭୁବନେଶ୍ୱରର ସବୁ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ମନା। ତେଣୁ ଏହି ବ୍ୟବସାୟକୁ ନେଇ ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀମାନେ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ମେ’ ୩ରେ ଲକ୍ଡାଉନ୍ ଉଠିଯିବା ପରେ ଯେ ମନ୍ଦିର ଖୋଲିଯିବ ଏବଂ ସବୁ ଉତ୍ସବ ପାଇଁ ଅନୁମତି ମିଳିଯିବ, ତାହା ବି କହି ହେଉନାହିଁ। ତେଣୁ ଦୀର୍ଘ ସମୟ ଧରି ଫୁଲ ବ୍ୟବସାୟୀମାନେ କ୍ଷତି ସହିବେ ବୋଲି ଆଶଙ୍କା କରାଯାଉଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ଷତମାମ ଫୁଲ ବ୍ୟବସାୟ ହୁଏ। ପଡ଼ୋଶୀ କୋଲକାତା, ମୁମ୍ବାଇ, ବେଙ୍ଗାଲୁରୁରୁ ମାସକୁ ପ୍ରାୟ ୧୫ ଲକ୍ଷ ଟଙ୍କାର ଫୁଲ ରାଜଧାନୀକୁ ଆସିଥାଏ। କିନ୍ତୁ ଲକ୍ଡାଉନ୍ ପାଇଁ ଏବେ ଫୁଲ ଆସୁ ନାହିଁ କି ବେପାର ନାହିଁ। ଫଳରେ ଏହା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଶହ ବ୍ୟବସାୟୀ ଓ ତାଙ୍କ ପରିବାରଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଖାଲି ସେତିକି ନୁହେଁ, ଫୁଲ ହୋଲସେଲି୍ଂ, ରିଟେଲିଂ ଓ ସାଜସଜ୍ଜାରେ ମଧ୍ୟ ନିୟୋଜିତ ଥିବା ଲୋକେ ବି ଏହାଦ୍ବାରା ପ୍ରଭାବିତ ହେଉଛନ୍ତି। ଏବେ ସମସ୍ତେ ରୋଜଗାର ହରାଇଛନ୍ତି।ଭୁବନେଶ୍ବର ଫ୍ଲୋରିଷ୍ଟ ଆସୋସିଏନ୍ର ସଭାପତି ବିଭୂତି ଭୂଷଣ ସ୍ବାଇଁ କହିଛନ୍ତି, ରାଜଧାନୀରେ ଦିନକୁ ପ୍ରାୟ ୧୦ ଟନ୍ରୁ ଊର୍ଧ୍ବ ଫୁଲ ବିକ୍ରି ହୋଇଥାଏ। କିନ୍ତୁ ଲକ୍ଡାଉନ୍ ଯୋଗୁଁ ମାସେରୁ ଊର୍ଧ୍ବ ସମୟ ଧରି ଦୋକାନ ବନ୍ଦ ପଡ଼ିଛି। ରୋଜଗାର ନାହିଁ। ତେଣୁ ସରକାର ଫୁଲ ବ୍ୟବସାୟୀଙ୍କୁ ସହାୟତା କରି ଏକ ଫୁଲ ମଣ୍ଡି କରି ଦିଅନ୍ତୁ ବୋଲି ଶ୍ରୀ ସ୍ବାଇଁ ଦାବି ଜଣାଇଛନ୍ତି। ସେହିପରି ଆସୋସିଏନ୍ର କୋଷାଧ୍ୟକ୍ଷ ମିତେନ୍ଦ୍ର ସମର୍ଥା କହିଛନ୍ତି, ଲକ୍ଡାଉନ୍ ଯୋଗୁଁ ଏବେ ସୁଦ୍ଧା ଫୁଲ ବ୍ୟବସାୟରେ ଦେଢ଼ କୋଟିରୁ ଊର୍ଧ୍ବ ଟଙ୍କାର କ୍ଷତି ହୋଇସାରିଲାଣି। ତେଣୁ କ୍ଷତିପୂରଣ ପାଇଁ ସରକାର କିଛି ପନ୍ଥା ବାହାର କରନ୍ତୁ।