ମହାରାଷ୍ଟ୍ରରୁ ଆସିଥିବା ଘୋଡ଼ାଙ୍କୁ ରୋଗିଣା କଲା କରୋନା

ଚନ୍ଦ୍ରଶେଖରପୁର: ଏଇ ଘୋଡ଼ା ଦିନେ ହଜାର ହଜାର ଟଙ୍କା ରୋଜଗାର କରୁଥିଲେ। ରାଜଧାନୀରେ ଏମାନଙ୍କ ବହୁ ଚାହିଦା ଥିଲା। ଦାମୀ ବିଦ୍ୟାଳୟରେ ଘୋଡ଼ା ଚଢ଼ା ଶିଖିବା ପାଇଁ ଓ ଦାମୀ ବିବାହରେ ବର ଶୋଭାଯାତ୍ରା କରିବା ପାଇଁ ଏଇ ଘୋଡ଼ାମାନଙ୍କୁ ଲୋଡ଼ା ପଡ଼ୁଥିଲା। ମାତ୍ର ଏବେ ସେମାନେ ରୋଗୀଣା ହୋଇ ରାଜରାସ୍ତା କଡ଼ରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଦିନେ ସେମାନଙ୍କୁ ଭଲ ଖାଦ୍ୟ ଦେଉଥିବା ମାଲିକ ଆଜି ନିଜେ ଖାଇବାକୁ ପାଉନାହିଁ। ତେଣୁ ଦୀର୍ଘ ଦିନ ଧରି ଭୋକିଲା ରହୁଥିବା ଘୋଡ଼ାମାନେ ଏବେ ରୋଗିଣା ହୋଇଗଲେଣି। ଏମିତିକି କିଛି ଘୋଡ଼ା ମରିଗଲେଣି ଓ ଆଉ କିଛି ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଏହା ହେଉଛି ରାଜଧାନୀକୁ ଆସିଥିବା ମହାରାଷ୍ଟ୍ରର ଘୋଡ଼ାମାନଙ୍କ ଦୁର୍ଦ୍ଦଶାର କାହାଣୀ। କରୋନା ସେମାନଙ୍କୁ ଆଜି ରୋଗୀଣା କରି ମୃତ୍ୟୁମୁଖକୁ ଠେଲି ଦେଇଛି।

ରାଜଧାନୀର ବିଭିନ୍ନ ନାମୀ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଘୋଡ଼ା ପ୍ରଶିକ୍ଷଣ ଦେବା ପାଇଁ ମହାରାଷ୍ଟ୍ରରୁ କିଛି ବ୍ୟବସାୟୀ ଘୋଡ଼ା ଆଣି ବେପାର କରୁଥିଲେ। ବିବାହ ଉତ୍ସବରେ ଘୋଡ଼ା ଗାଡ଼ି ବ୍ୟବହାର କରିବା ଓ ରାସ୍ତାକଡ଼ରେ ପର୍ଯ୍ୟଟକଙ୍କୁ ଘୋଡ଼ାରେ ବସାଇ ଅର୍ଥ ଉପାର୍ଜନ କରିବା ଥିଲା ଏହି ଘୋଡ଼ା ମାଲିକମାନଙ୍କର କାମ। ମାତ୍ର କରୋନା ମହାମାରୀ ସବୁ ବିଗାଡ଼ି ଦେଇଛି। ୭ ମାସ ହେଲା ବେପାର ବନ୍ଦ। ବିଦ୍ୟାଳୟ ବନ୍ଦ ଥିବା ବେଳେ ବିବାହ ବ୍ରତ ବି ବନ୍ଦ। ପର୍ଯ୍ୟଟନ ଶିଳ୍ପ ପୂରା ଠପ୍‌ ହୋଇପଡ଼ିଥିବାରୁ ଏହି ଘୋଡ଼ା ମାଲିକମାନେ ବେରୋଜଗାର ହୋଇପଡ଼ିଛନ୍ତି। ଅର୍ଥ ଉପାର୍ଜନ କରିବାର ବିକଳ୍ପ ରାସ୍ତା ନାହିଁ। ତେଣୁ ଭିକ ମାଗିବା ସ୍ଥିତିରେ ଘୋ‌ଡ଼ା ମାଲିକମାନେ। ତେଣୁ ଏବେ କିଛି ବେପାରୀ ରୋଗୀଣା ଘୋଡ଼ାମାନଙ୍କୁ ଛାଡ଼ି ଜନ୍ମ ମାଟି ମହାରାଷ୍ଟ୍ର ଚାଲି ଯାଇଛନ୍ତି। ଏଠାରେ ଛାଡ଼ି ଯାଇଛନ୍ତି ୨୦ ରୁ ଅଧିକ ‌ଘୋଡ଼ା।

ଶିଖରଚଣ୍ଡୀ ନିକଟରେ ଥିବା ଘୋଡ଼ାଶାଳରେ ବର୍ତ୍ତମାନ ଏହି ଘୋଡ଼ାମାନଙ୍କର ଦାୟିତ୍ବ ନେଉଛନ୍ତି ମାତ୍ର ୪ଜଣ ବ୍ୟକ୍ତି। ସେମାନେ ଘୋଡ଼ାଙ୍କୁ ଖାଦ୍ୟ ଯୋଗାଇ ନପାରି ଖୋଲା ଛାଡ଼ି ଦେଇଛନ୍ତି। ଦୁଇଟି ଘୋଡ଼ା ଖାଦ୍ୟ ଅଭାବରୁ ମରି ସାରିଲେଣି। ଯେଉଁମାନେ ଜୀବିତ ଅଛନ୍ତି, ସେମାନଙ୍କୁ ଚଣା, ଚାରା କିମ୍ବା ଚୁନି ଚୋକଡ଼ ଦେବା ପାଇଁ ବେପାରୀଙ୍କ ନିକଟରେ ପଇସା ନାହିଁ। ତେଣୁ ସ୍ଥାନୀୟ ହୋଟେଲଗୁଡ଼ିକରୁ ତୋରାଣି ପାଣି ସଂଗ୍ରହ କରି ଘୋଡ଼ାମାନଙ୍କୁ ଖାଇବାକୁ ଦେଉଛନ୍ତି। ଖୋଲାରେ ବୁଲୁଥିବା ଘୋଡ଼ାଗୁଡ଼ିକ ରାସ୍ତା କଡ଼ରେ ଦୋକାନ ଦୋକାନ ବୁଲି ଅଇଁଠା ଖାଉଛନ୍ତି। ବ୍ୟବସାୟୀ ସାବିଦ୍ ଅହମଦ୍‌ଙ୍କ କହିବା କଥା, ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ସେ ଘୋଡ଼ାଙ୍କ ଦାୟିତ୍ବ ନେଇ ଏଠାରେ ରହିବେ। ଯେତିକି ଘୋଡ଼ା ବଞ୍ଚିଥିବେ ସେଇମାନଙ୍କୁ ନେଇ ପୁଣି ବ୍ୟବସାୟ ଆରମ୍ଭ କରିବେ, ନଚେତ ସବୁ ଘୋଡ଼ା ମରିବା ପରେ ନିଜ ଭିଟାମାଟିକୁ ଫେରିଯିବେ।

ସମ୍ବନ୍ଧିତ ଖବର