ନିଘୋଡ଼ ନିଦରେ ବିଏମ୍ସି
ସଚେତନତା କାର୍ଯ୍ୟକ୍ରମ ଧର୍ମକୁ ଆଖିଠାର
ଆର୍ଯ୍ୟବିହାର, ଆମ୍ରପଲ୍ଲୀରୁ ବାହାରିଲେଣି
ଚନ୍ଦ୍ରଶେଖରପୁର : ହଠାତ୍ ଜ୍ବର ଆସୁଛି। ଶରୀରରେ ଥଣ୍ଡା ରହୁଛି। ମୁଣ୍ଡ ବିନ୍ଧୁଛି। ହାଡ଼, ଗଣ୍ଠି ଭୀଷଣ ଯନ୍ତ୍ରଣା ହେଉଛି। ଚାଲିବାରେ ବି କଷ୍ଟ ଅନୁଭୂତ ହେଉଛି। ଯେତେ ଔଷଧ ଖାଇଲେ ବି ଜ୍ବର କମୁନି। କରୋନାର ସମସ୍ତ ଲକ୍ଷଣ ଥିଲେ ମଧ୍ୟ ରିପୋର୍ଟ ନେଗେଟିଭ୍ ଆସୁଛି। ଆଉ ଡେଙ୍ଗୁ ପରୀକ୍ଷା କଲେ ରିପୋର୍ଟ ପଜିଟିଭ୍ ଦେଖାଉଛି। ଅନୁରୂପ ଭାବେ କେତେକ ରୋଗୀଙ୍କ କ୍ଷେତ୍ରରେ ଡେଙ୍ଗୁ ରିପୋର୍ଟ ନେଗେଟିଭ୍ ଏବଂ କରୋନା ରିପୋର୍ଟ ପଜିଟିଭ୍ ଆସୁଛି। ଗତ ୫ ଦିନ ହେଲା ଶୈଳଶ୍ରୀବିହାର ଅଞ୍ଚଳବାସୀ ଏଭଳି ଦ୍ବନ୍ଦ୍ବରେ ଘାଣ୍ଟି ହେଉଛନ୍ତି। କିଏ କରୋନାରେ ଆକ୍ରାନ୍ତ ଏବଂ କିଏ ଡେଙ୍ଗୁରେ ଆକ୍ରାନ୍ତ, ତାହା ଜାଣି ପାରୁ ନାହାନ୍ତି। ଯେଉଁଥିପାଇଁ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।
କେବଳ ଯେ ନୀଳାଦ୍ରିବିହାର ଅଞ୍ଚଳରେ ଡେଙ୍ଗୁ ବ୍ୟାପୁଛି, ତା’ ନୁହେଁ, ବରଂ ସହରର ଅନ୍ୟ ଅଞ୍ଚଳରୁ ବି ଡେଙ୍ଗୁ ରୋଗୀ ବାହାରିଲେଣି। ଗତ ୫ ଦିନ ମଧ୍ୟରେ ନୀଳାଦ୍ରିବିହାର ଅଞ୍ଚଳରୁ ୩୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଏମ୍ସିର ୬ନମ୍ବର ୱାର୍ଡ ଶୈଳଶ୍ରୀବିହାର ଅଞ୍ଚଳରୁ ଆଜି ସୁଦ୍ଧା ୨୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆର୍ଯ୍ୟବିହାରରୁ ୧୫ରୁ ଅଧିକ, ଆମ୍ରପଲ୍ଲୀରୁ ୫ରୁ ୭ଜଣ ବାହାରିଛନ୍ତି। ଏହି ଅଞ୍ଚଳକୁ ଲାଗି ରହିଥିବା ଚନ୍ଦ୍ରଶେଖରପୁର, ଡମଣା, ପଣ୍ଡାପାର୍କ ବସ୍ତି, ଡିଷ୍ଟ୍ରିକ୍ଟ ସେଣ୍ଟର, ବିଡିଏ କଲୋନି ଆଦି ଅଞ୍ଚଳକୁ ଡେଙ୍ଗୁ ଡର ପଶିଲାଣି। ସେପଟେ କଳ୍ପନା ଅଞ୍ଚଳରେ ବି ୧୦ରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ବାହାରିଲେଣି। ପରିସ୍କାର, ପରିଚ୍ଛନ୍ନତା ରଖାଯାଉ ନଥିବାରୁ ବସ୍ତି ଓ କଲୋନି ଅଞ୍ଚଳବାସୀଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୬ଦିନ ତଳେ ନୀଳାଦ୍ରିବିହାରରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଗତ ଶୁକ୍ରବାର ବିଏମ୍ସିର ନିଦ ଭାଙ୍ଗିଥିଲା। ତତ୍ପରତା ପ୍ରକାଶ କରିବା ସହ ବାବୁମାନେ ସଦଳବଳେ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ଚେତାବନୀ ଦେଇଥିଲେ। ଅଳିଆ ଆବର୍ଜନା ଉଠାଇବାକୁ କହିଥିଲେ। ତେବେ ତା’ପରେ ବି ଫଳ ଶୂନ। କିଏ ମାନିଲା, କିଏ ମାନିଲାନି ଦେଖିବାକୁ କେହି ନାହାନ୍ତି। ମଶା ମାରିବା ଲାଗି ନା ଧୂଆଁ ଛଡ଼ାଗଲା, ନା ତେଲ ପକାଗଲା। ସବୁ କିଛି ବିଏମ୍ସି ବାବୁଙ୍କ ଯାଞ୍ଚରେ ଅଟକିଗଲା। ଯେଉଁଥିପାଇଁ ଦୁଇ ଦିନ ମଧ୍ୟରେ ସ୍ଥିତି ପୁଣି ବିଗିଡ଼ିବାରେ ଲାଗିଛି। ବିଏମ୍ସିର ଖାମଖିଆଲି ମନୋଭାବ ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବି ବଢ଼ିବାରେ ଲାଗିଛି।
ନୀଳାଦ୍ରିବିହାରର ବହୁ ସ୍ଥାନରେ ଡ୍ରେନ୍ ଓ ବର୍ଷା ପାଣି ଜମି ରହିଛି। ରାସ୍ତାର ଦୁଇ ପାର୍ଶ୍ବରେ ଅନାବନା ଗଛ ମଧ୍ୟ ସୃଷ୍ଟି ହୋଇଛି। ତାହାକୁ ସଫା କରାଯାଉ ନ ଥିବାରୁ ଅଞ୍ଚଳରେ ଡେଙ୍ଗୁ ବ୍ୟାପି ଚାଲିଛି। ପାଣି ଜମି ରହୁଥିବା ସ୍ଥାନରେ ମଶାମରା ତେଲ ପକାଯାଉ। ମଶାଧୂଆଁ ଛାଡ଼ିବାର ବ୍ୟବସ୍ଥା ହେଉ। ଯେଉଁମାନେ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ମାଗଣା ଔଷଧ ଯୋଗାଇ ଦିଆଯାଉ।
ଡମ୍ବରୁଧର ନାୟକ, ସଭାପତି, ବରିଷ୍ଠ ନାଗରିକ ସଂଘ, ନୀଳାଦ୍ରିବିହାରଶୈଳଶ୍ରୀବିହାର ଅଞ୍ଚଳରେ ଡେଙ୍ଗୁ ମାଡ଼ି ଚାଲିଛି। ଏବେ ବହୁ ଲୋକ ଆକ୍ରାନ୍ତ ହେଲେଣି। ଗତକାଲି ବିଏମ୍ସିର ଅଧିକାରୀମାନେ ଆସି ଯାଞ୍ଚ କରିଥିଲେ। ତା’ ପରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଆଜି ସଚେତନତା ଗାଡ଼ି ଆସିବ ବୋଲି କହିଥିଲେ କିନ୍ତୁ ଦେଖାନାହିଁ। ବହୁ ଲୋକଙ୍କ ଘରେ ଅଳିଆ ଆବର୍ଜନା ଜମା ହୋଇଛି। ଏ ପର୍ଯ୍ୟନ୍ତ ମଶାମରା ତେଲ ପକାଯାଉ ନାହିଁ କି ସନ୍ଧ୍ୟା ସମୟରେ ଧୂଆଁ ବି ଛଡ଼ାଯାଉନି।
ଦିଲ୍ଲୀପ କୁମାର ସାହୁ, ସାଧାରଣ ସମ୍ପାଦକ, ଶୈଳଶ୍ରୀ ବିହାର ଉନ୍ନୟନ ପରିଷଦଡ୍ରେନ୍ ମାସ ମାସ ଧରି ସଫା ହେଉନାହିଁ। ବର୍ଷାରେ ମଇଳା ପାଣି ଚୋକ୍ ହୋଇ ଓଭର୍-ଫ୍ଲୋ’ ହେଉଛି। ସେଥିରେ ମଶାମରା ଓୗଷଧ ପଡ଼ୁ ନାହିଁ। ଯେଉଁଥିପାଇଁ ନୀଳାଦ୍ରିବିହାର ଅଞ୍ଚଳରେ ଡ଼େଙ୍ଗୁ ବ୍ୟାପିବାରେ ଲାଗିଛି। କିଛି ଦିନ ମଧ୍ୟରେ ୩୦ରୁ ଅଧିକ ଆକ୍ରାନ୍ତ ହେବାରୁ ପ୍ରଶାସନର ନିଦ ଏବେ ଭାଙ୍ଗିଛି। ଦେଖାଯାଉ ବିଏମ୍ସି କି’ ପଦକ୍ଷେପ ନେଉଛି। ନହେଲେ ଆଗକୁ ଭୟଙ୍କର ସ୍ଥିତି ହେବ।
ବିଶ୍ବଜିତ୍ ସାମଲ, ନୀଳାଦ୍ରିବିହାରଏହି ଅଞ୍ଚଳରେ ଅନେକ ବସ୍ତି ରହିଥିବାରୁ ସେଠାରୁ ବାହାରୁଥିବା ମଇଳା ଡ୍ରେନ୍ ଯୋଗେ କଲୋନି ବାଟ ଦେଇ ଡ଼ମଣା ଦିଗକୁ ଯାଉଛି। ଫଳରେ ବିଭିନ୍ନ ସ୍ଥାନରେ ଚୋକ୍ ହୋଇ ବର୍ତମାନ ଡେଙ୍ଗୁଙ୍କ ଘର ପାଲଟିଛି। ପ୍ରବଳ ମଶା ହେଉଥିବାରୁ ମୁଁ କିଛି ଦିନ ପୂର୍ବେ ଆକ୍ରାନ୍ତ ହୋଇଥିଲି। ସଚେତନ ରହିବାରୁ ବର୍ତ୍ତମାନ ସୁସ୍ଥ ଅଛି। ବିଏମ୍ସି ସ୍ଥାନୀୟ ଅଞ୍ଚଳକୁ ପରିଷ୍କାର କରୁ ନଥିବାରୁ ଏବେ ଚନ୍ଦ୍ରଶେଖରପୁର ଅଞ୍ଚଳ ଡେଙ୍ଗୁ ମଶାଙ୍କ ପେଣ୍ଠସ୍ଥଳୀ ପାଲଟିବାକୁ ଯାଉଛି।
ପ୍ରଦ୍ୟୁମ୍ନ ବେଉରା, ନୀଳାଦ୍ରିବିହାର