ଭୁବନେଶ୍ୱର : ରାଜଧାନୀରେ ମା‌ଡ଼ି ଚାଲିଛି କରୋନା। ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ବ୍ୟାପୁଛି। ବସ୍ତିଠାରୁ ଆରମ୍ଭ କରି କଲୋନି ପର୍ଯ୍ୟନ୍ତ ହେଉ ଅଥବା ଆପାର୍ଟମେଣ୍ଟରୁ ହସ୍ପିଟାଲ; କୌଣସି ବି ସ୍ଥାନ ବାଦ୍‌ ପଡ଼ିନି। ସହରର ଗଳିକନ୍ଦିରେ ଏବେ କରୋନା ଆକ୍ରାନ୍ତ ବାହାରୁ ଥିବାରୁ ବିଏମ୍‌ସିର ନିଦ ହଜି ଗଲାଣି। ସଂକ୍ରମଣକୁ କିଭଳି ରୋକାଯିବ, ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ସଟ୍‌ଡାଉନ୍‌, ଲକ୍‌ଡାଉନ୍‌, କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା‌ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି। ପ୍ରତିଦିନ ୩୦ଜଣ ଆକ୍ରାନ୍ତ ବାହାରୁଥିବା ବେଳେ ଏବେ ଦିନକୁ ଶହେ ଟପିଲାଣି। ଆଗକୁ ଆହୁରି ଭୟଙ୍କର ହେବା ଆଶଙ୍କାରେ ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସହରରେ ଲକ୍‌ଡା‌ଉନ୍‌ ଜାରି ହୋଇଛି। ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲାଗିଛି।

Advertisment

ତେବେ ପ୍ରଶାସନର ଚିନ୍ତା ବଢ଼ାଇଲାଣି ସହରର ବସ୍ତି। କରୋନାର ଆଁ ଭିତରକୁ ଗୋଟିଏ ପରେ ଗୋଟିଏ ବସ୍ତି ପଶି ପଶି ଯାଉଛି। କେବଳ ସା‌ଲିଆ ସାହି ଭିତରେ ଥିବା ୫ଟି ଛୋଟ ଛୋଟ ବସ୍ତିରୁ ୩୦ରୁ ଅଧିକ ଆକ୍ରାନ୍ତ ବାହାରି ସାରିଲେଣି। ଆଗକୁ ଆଉ କେତେ ବାହାରିବେ, ତାହା କହିବା ମୁସ୍କିଲ୍‌। ବିଏମ୍‌ସି ବି ସଠିକ୍‌ ଭାବେ ଆକଳନ କରିପାରୁନି। ସହରରେ ଥିବା ୪୪୨ ବସ୍ତି ମଧ୍ୟରୁ ଏବେ ସୁଦ୍ଧା ୪୦ ବସ୍ତିରୁ କରୋନା ଆକ୍ରାନ୍ତ ବାହାରି ସାରିଛନ୍ତି। ପ୍ରତିଦିନ ଯେତିକି ଆକ୍ରାନ୍ତ ବାହାରୁଛନ୍ତି, ସେଥିମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ବସ୍ତି ଅଞ୍ଚଳର ବୋଲି ଜଣାପଡ଼ିଛି। ଯଦି ଏମିତି ଚାଲେ ଜୁଲାଇ ଶେଷ ବେଳକୁ ଅଧାରୁ ଅଧିକ ବସ୍ତିରେ କରୋନା ଆକ୍ରାନ୍ତ ବାହାରିବା ଥୟ।

publive-image

ନୂଆପଲ୍ଲୀର ସୀତାପୁର ବସ୍ତି ଓ ତ୍ରିନାଥ ବସ୍ତିରେ ଆକ୍ରାନ୍ତ ବଢ଼ି ଚାଲିଥିବାରୁ ବିଏମ୍‌ସି ପକ୍ଷରୁ ଏହି ଦୁଇ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯିବା ସହ ଆଜିଠାରୁ କଟକଣା ଲାଗୁ ହୋଇଛି। ତ୍ରିନାଥ ବସ୍ତି ଅଞ୍ଚଳ‌ରେ ଆଲ୍ଲାହାବାଦ ବ୍ୟାଙ୍କରୁ-ଦୁର୍ଗାମଣ୍ଡପ-ତାରିଣୀ ମନ୍ଦିର-କବାଡ଼ି ଦୋକାନ ଓ ନାବାର୍ଡ ପଛପଟକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ପୁଲିସ ପ୍ରହରାକୁ କଡ଼ାକଡ଼ି କରାଯାଇଛି। ନୂଆଗାଁ ଅଞ୍ଚଳରେ ଏକ ବସ୍ତିକୁ ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ୍‌ ହୋଇଛି। ଲକ୍ଷ୍ମୀବଜାର ବସ୍ତିରୁ ୯ ଆକ୍ରାନ୍ତ ବାହାରିବା ପରେ ଏହାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ହୋଇଥିଲା। ତେବେ ସ୍ଥିତିରେ ସୁଧାର ଆସିବା ପରେ ସେଠାରୁ କଣ୍ଟେନ୍‌ମେଣ୍ଟ ହଟାଇ ଦିଆଯାଇଛି।

ଅନ୍ୟପକ୍ଷରେ ବସ୍ତି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି ପକ୍ଷରୁ ବସ୍ତିରେ ଅଧିକ ସର୍ଭେ କରାଯାଇଛି। ପର୍ଯ୍ୟାୟକ୍ରମେ ବସ୍ତିର ପ୍ରତିଟି ବ୍ୟକ୍ତିଙ୍କୁ ଯାଞ୍ଚ କରିବା ଲାଗି ଟିମ୍‌ ଗଠନ ହୋଇଛି। ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଲକ୍ଷଣ ଦେଖିବାକୁ ମିଳୁଛି, ତାଙ୍କୁ ସଙ୍ଗେ ସଙ୍ଗେ ଟେଷ୍ଟ କରାଯାଉଛି। ବର୍ତମାନ ସମୟରେ ବସ୍ତିରେ ୬ଷ୍ଠ ପର୍ଯ୍ୟାୟ ସର୍ଭେଲାନ୍ସ ଜାରି ରହିଥିବା ବିଏମ୍‌ସି ପକ୍ଷରୁ ସୂଚନା‌ ଦିଆଯାଇଛି। ଭୁବନେଶ୍ବରରେ ସର୍ଭେ ଲାଗି ବିଏମ୍‌ସି ପକ୍ଷରୁ ୪୩୬ଟି ଟିମ୍‌ ଗଠନ କରାଯାଇଛି। ପ୍ରତିଦିନ ବସ୍ତିର ୧୧ହଜାର ପରିବାରର ୪୩ହଜାର ଲୋକଙ୍କୁ ସର୍ଭେ କରାଯାଉଛି। ଆଗକୁ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି।