ରାଜଧାନୀରେ ଶୀଘ୍ର ସୁସ୍ଥ ହେଉନାହାନ୍ତି କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହାର ୬୮.୪୩%, ରାଜଧାନୀରେ ୬୨.୭୧%

୧୦ ଦିନ‌ରେ ୩ ମୃତ
୧୧୪ କୋଭିଡ୍‌ ଯୋଦ୍ଧା କରୋନା ଆକ୍ରାନ୍ତ

ଭୁବନେଶ୍ୱର : ସାରା ରାଜ୍ୟରେ କରୋନା କାୟା ମେଲାଇ ଚାଲିଥିବାବେଳେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି। ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଚିନ୍ତାର ବିଷୟ ପାଲଟିଛି ଭୁବନେଶ୍ବର। ଏଠାରେ ଯେଉଁ ହାରରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ହାରରେ କିନ୍ତୁ ସୁସ୍ଥ ହେଉନାହାନ୍ତି। ରାଜ୍ୟ ତୁଳନାରେ ରାଜଧାନୀରେ ସୁସ୍ଥ ହାର କାହିଁକି କମ୍‌ ରହୁଛି ସେନେଇ ତର୍ଜମା କରିବାର ସମୟ ଆସିଲାଣି। ନଚେତ୍‌ ରାଜଧାନୀ ସ୍ଥିତି ଅଣାୟତ୍ତ ହୋଇପାରେ। ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୪୪,୧୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୦୨୪୨ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ହାର ହେଉଛି ୬୮.୪୩%। କିନ୍ତୁ ଭୁବନେଶ୍ବରରେ ଆଜି ସୁଦ୍ଧା ୩୭୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଠାରେ ୨୩୬୦ଜଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହାର ହେଉଛି ୬୨.୭୧%। ରାଜ୍ୟର ସୁସ୍ଥ ହାର ଠାରୁ ପ୍ରାୟ ୬% କମ୍‌।

ରାଜଧାନୀରେ ସୁସ୍ଥ ହାର କାହିଁକି କମ୍‌ ରହୁଛି। ଏଠାରେ କ’ଣ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି ନା ରାଜଧାନୀବାସୀ ଯେଉଁ ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଉଛନ୍ତି ସେଥିରେ ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଛି। ଏନେଇ ଆର୍‌ଏମ୍‌ଆର୍‌ସି ଗବେଷଣା କରିବା ଦରକାର। ନଚେତ୍‌ ଆଗକୁ ସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ଉପୁଜିପାରେ।

Sambad English

ରାଜଧାନୀରେ ଥିବା କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ବାହାର ଜିଲ୍ଲାର ଅଧିକ ଆକ୍ରାନ୍ତ ଭର୍ତ୍ତି ହେଉଥିବାରୁ ରାଜଧାନୀର ବହୁ ଆକ୍ରାନ୍ତଙ୍କୁ କୋଭିଡ୍‌ କେୟାର ସେଣ୍ଟରରେ ରଖି ଚିକିତ୍ସା କରାଯାଉଛି। ଏଠାରେ ଯଦିଓ ବର୍ତ୍ତମାନ ସୁଦ୍ଧା ୧୮ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ଆଗକୁ ଏହା ଯେ ନବଢ଼ିବ ‌ତାହା କହିହେବନି। ଏବେଠୁ ବିଏମ୍‌ସି, ଆର୍‌ଏମ୍‌ଆର୍‌ସି ଓ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେବା ଦରକାର।

ଅପରପକ୍ଷେ ଗଞ୍ଜାମ ଜିଲ୍ଲାରେ ସୁସ୍ଥ ‌ହାର ପ୍ରାୟ ୭୮% ରହିଥିବାରୁ ସେଠାରେ କେଉଁ ଚିକିତ୍ସା ପଦ୍ଧତି ଆପଣାଉଛନ୍ତି, ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତକଙ୍କ ସଂଖ୍ୟା ଅଧିକ ଥିବାବେଳେ ସେଠାରେ ମଧ୍ୟ ସୁସ୍ଥ ହାର ଅଧିକ ରହୁଛି ତାହା ଅନୁଧ୍ୟାନ କରାଯିବା ଆବଶ୍ୟକ। କିନ୍ତୁ ଭୁବନେଶ୍ବରରେ ସୁସ୍ଥ ହାର କମ୍‌ ରହିବା ଚିନ୍ତାଜନକ ହେଲାଣି।

ଆଜି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ରାଜଧାନୀରେ ୩୭୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩୮୩ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଏଥିରେ ୪୭୩ଜଣଙ୍କର ଲକ୍ଷଣ ଥିବା‌ବେଳେ ୯୧୦ଜଣଙ୍କ ନିକଟରେ ଲକ୍ଷଣ ନାହିଁ। ୨୩୬୦ଜଣ ସୁସ୍ଥ ହୋଇଛନ୍ତି। ଏଥିରୁ ବସ୍ତିର ୨୦୭ଜଣ ଆକ୍ରାନ୍ତ ଥିବାବେଳେ ବସ୍ତି ବାହାରର ୧୧୭୬ଜଣ ଅଛନ୍ତି। କିନ୍ତୁ ଗତ ୧୦ଦିନ ସବୁଠୁ ଅଧିକ ଚିନ୍ତାଜନକ ହୋଇଛି। ଏହି ୧୦ଦିନରେ ରାଜଧାନୀରେ ୧୨୬୨ଜଣ ଆକ୍ରାନ୍ତ ଚିହ୍ନଟ ଥିବାବେଳେ ଏହି ସମୟରେ ୧୩୬ଜଣ ସୁସ୍ଥ ହୋଇଛନ୍ତି। ୧୧୨୬ଜଣ ଏବେବି ଚିକିତ୍ସାଧୀନ ଅଛନ୍ତି। ଏହି ୧୦ଦିନରେ ୩ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୧୪ ଜଣ କୋଭିଡ୍‌ ‌ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି। ଏବେବି ୧୧୩ଜଣ ୬୦ବର୍ଷରୁ ଉର୍ଦ୍ଧ୍ବ ଲୋକ କରୋନା ଯୋଗୁଁ ଚିକିତ୍ସାଧୀନ ଅଛନ୍ତି।

ଆଇସିୟୁରେ ୩୧, ଭେଣ୍ଟିଲେଟରରେ ୭
ଏବେ ୩୮ଜଣଙ୍କ ଅବସ୍ଥା ଗୁରୁତର ଅଛି। ଯେଉଁଥିପାଇଁ ୩୧ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାବେଳେ ୭ଜଣଙ୍କୁ ଭେଣ୍ଟଲେଟରରେ ରଖାଯାଇଛି। କିମ୍‌ସରେ ୭ଜଣ ଆଇସିୟୁ‌ରେ ୨ଜଣ ଭେଣ୍ଟିଲେଟରରେ, ସମ୍‌ରେ ୧୧ଜଣ ଆଇସିୟୁରେ ଜଣେ ଭେଣ୍ଟିଲେଟରରେ, ଅଶ୍ବିନୀ ଆଦିତ୍ୟ ହସ୍ପିଟାଲରେ ୫ଜଣ ଆଇସିୟୁ‌ରେ ଥିବାବେଳେ ନୀଳାଚଳରେ ୮ଜଣ ଆଇସିୟୁରେ, ୪ଜଣ ଭେଣ୍ଟିଲେଟରରେ ଅଛନ୍ତି।

ସମ୍ବନ୍ଧିତ ଖବର