ଏମ୍‌ସ୍‌ ଛାତ୍ରୀ ଓ ଆପୋଲୋ ହସ୍ପିଟାଲ କର୍ମଚାରୀ ସଂକ୍ରମିତ

ଏମ୍‌ସ୍‌ ଅନ୍ତଃ ବିଭାଗ ଆଡ୍‌ମିସନ୍‌ରେ ରୋକ୍‌, ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଛୁଇଁବ

ଭୁବନେଶ୍ବର : ରାଜଧାନୀର ଡାକ୍ତରଖାନାରେ କରୋନା ଭୟ। ଏମ୍‌ସର ୩ଜଣ ଡାକ୍ତର ଓ ଜଣେ ଛାତ୍ରୀ ଏବଂ ଆପୋଲୋ ହସ୍ପିଟାଲର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲୋକମାନଙ୍କ ମନରେ ଆତଙ୍କ ଖେଳି ଯାଇଛି। ପରିଣାମ ସ୍ବରୂପ ଏମ୍‌ସର ଅନ୍ତଃବିଭାଗରେ ରୋଗୀଙ୍କ ଆଡମିସନ୍‌କୁ ଯଥାସମ୍ଭବ କମାଇବା ପାଇଁ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହାସହ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୯୯ରେ ପହଞ୍ଚିଛି।

ଖୋର୍ଧା ଜିଲ୍ଲାର ୧୪ଜଣ ସଂକ୍ରମିତଙ୍କ ମଧ୍ୟରୁ ୬ଜଣ ରାଜଧାନୀର ରହିଛନ୍ତି। ବିଏମ୍‌ସି ପକ୍ଷରୁ ଆଜି ୬ ଆକ୍ରାନ୍ତଙ୍କ ସଂପର୍କରେ ସୂଚନା ଦିଆଯାଇଛି। ଏମ୍‌ସର ୩ଜଣ ଡାକ୍ତରଙ୍କ ମଧ୍ୟରୁ ୨ ପୁରୁଷଙ୍କ ବୟସ ୩୦ ଓ ୩୭ ଥିବା ବେଳେ ମହିଳା ଡାକ୍ତରଙ୍କ ବୟସ ୩୧ବର୍ଷ ରହିଛି। ସେହିପରି ୨୪ବର୍ଷୀୟା ଜଣେ ଛାତ୍ରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ପୂର୍ବରୁ ମଧ୍ୟ ଏମ୍‌ସର ଜଣେ ଜୁନିୟର ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତକାଲିର ଘଟଣାରେ ୧୦ଜଣ ଡାକ୍ତରଙ୍କୁ ସଙ୍ଗରୋଧରେ ରହିବା ଲାଗି ନିର୍ଦେଶ ଦିଆଯାଇଛି।

ତେବେ ଗତକାଲିର ଘଟଣା ପରେ ଏମ୍‌ସ କର୍ତୃପକ୍ଷ ଅନ୍ତଃବିଭାଗରେ ଆଡମିସନ୍‌କୁ ଯଥାସମ୍ଭବ କମାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। କର୍ତୃପକ୍ଷ ଆଶଙ୍କା କରିଛନ୍ତି ଯେ, ଆଗାମୀ ଦିନରେ ଏଭଳି ଅନେକ ଡାକ୍ତର ସଂକ୍ରମିତ ହୋଇପାରନ୍ତି। ତେଣୁ ଅନ୍ତଃବିଭାଗରେ କେବଳ ଗୁରୁତର ରୋଗୀମାନଙ୍କୁ ଆଡମିଟ୍‌ କରାଯିବ। ଡାକ୍ତରଖାନାର କେତେ କର୍ମଚାରୀ ସଂକ୍ରମଣ ଅବରୋଧ ଅଞ୍ଚଳରେ ରହୁଛନ୍ତି ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନ ଥିବାରୁ ଆଗାମୀ ଦିନରେ କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଜାରି ରହିବ ବୋଲି କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ଅନ୍ତଃବିଭାଗରେ ରୋଗୀ ଆଡମିସନ୍ କମାଇବା ନେଇ ଏମ୍‌ସ କର୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଫଳରେ ବହୁ ସଂଖ୍ୟାରେ ରୋଗୀ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଆପୋଲୋ ହସ୍ପିଟାଲର ଜଣେ କର୍ମଚାରୀ ମଧ୍ୟ ପଜିଟିଭ୍ ହୋଇଛନ୍ତି। ନିର୍ଦ୍ଦିଷ୍ଟ ଭାବେ ତାଙ୍କ ସଂପର୍କରେ ହସ୍ପିଟାଲ କର୍ତୃପକ୍ଷ କିମ୍ବା ବିଏମ୍‌ସି ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ସେ ଜଣେ ୩୮ବର୍ଷର ପୁରୁଷ ବୋଲି କୁହାଯାଇଛି। ଏହାସହ ପୋଖରୀପୁଟ ଅଞ୍ଚଳରେ ଜଣେ ୩୫ବର୍ଷର ପୁରୁଷ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ସେ କନ୍ଧମାଳ ଗସ୍ତ କରିଥିବା କୁହାଯାଇଛି।

୬ଜଣ ପଜିଟିଭ୍‌ଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି। ଆଜି ଜୟଦେବ ବିହାର ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟର ଜଣେ ୪୬ବର୍ଷର ପୁରୁଷ କରୋନାରୁ ସୁସ୍ଥ ‌ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ୫୪ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏବେ ବି ୪୨ଜଣ ରୋଗୀ ଚିକିତ୍ସିତ ହେଉଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର