ମେଣ୍ଢାଶାଳରେ କରୋନା ଆକ୍ରାନ୍ତ ଦମ୍ପତି, ସୁରତରୁ ଫେରିଥିଲେ

ମେଣ୍ଢାଶାଳ : ରାଜଧାନୀ ଉପକଣ୍ଠ ମେଣ୍ଢାଶାଳରେ କରୋନା ଆକ୍ରାନ୍ତ ଏକ ଦମ୍ପତିଙ୍କୁ ଚିହ୍ନଟ କରାଯାଇଛି। ସୁରତରୁ ଫେରିଥିବା ଏହି ଦମ୍ପତିଙ୍କ ସ୍ବାବ୍ ପରୀକ୍ଷାରୁ ସେମାନେ କରୋନା ପଜିଟିଭି ବୋଲି ଜଣାପଡ଼ିଛି। ତେଣୁ ଗତରାତିରୁ ସେମାନଙ୍କୁ ପଞ୍ଚାୟତ ସଂ‌ଗରୋଧ କେନ୍ଦ୍ରରୁ ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ସେମାନଙ୍କ ଶିଶୁପୁତ୍ରର ସ୍ବାବ୍‌ ପରୀକ୍ଷା ରିପୋର୍ଟ ଆସିନାହିଁ। ମାତ୍ର ସୁରତରୁ ଫେରିବା ପରେ ସେମାନେ ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ଥିବାରୁ ଗାଁରେ ସେମାନେ କାହା ସଂସ୍ପର୍ଶରେ ଆସିନଥିବା ସ୍ପଷ୍ଟ ହୋଇଛି। ତେଣୁ ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମଣକୁ ନେଇ କିଛି ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲେ ହେଁ ସେଭଳି କିଛି ଆଶଙ୍କାର କାରଣ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୂଚନାନୁସାରେ ଏହି ଦମ୍ପତି ସୁରତରେ ରହୁଥିଲେ। ଶ୍ରମିକ ଟ୍ରେନ୍‌ ଚଳାଚଳ ହେବା ପରେ ସେମାନେ ଗତ ୨୭ ତାରିଖରେ ଗାଁକୁ ଫେରିଥିଲେ। ଭୁବନେଶ୍ବରରୁ ସେମାନେ ସିଧାସଳଖ ଗାଁକୁ ଆସିଥିଲେ ହେଁ ଘରକୁ ଯାଇନଥିଲେ। ସରପଞ୍ଚ ତାଙ୍କୁ ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ରହିବା ବ୍ୟବସ୍ଥା କରାଇଥିଲେ। ୨୯ ତାରିଖ ଦିନ ତାଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା। ଗତରାତିରେ ସେ କରୋନା ସଂକ୍ରମିତ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା। ଶିଶୁପୁତ୍ରର ସ୍ବାବ୍‌ ସଂଗ୍ରହରେ ସମସ୍ୟା ରହିଥିବାରୁ ପରେ ପରୀକ୍ଷା କରାଯିବ ବୋଲି ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ମୋହନ ହେମ୍ବ୍ରମ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସେମାନେ କରୋନା ସଂକ୍ରମିତ ହୋଇଥିଲେ ହେଁ ସେମାନଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା।

ସମ୍ବନ୍ଧିତ ଖବର