ରାଜଧାନୀରେ ୨୧ ହଜାର ଟପିଲା ସଂକ୍ରମଣ, ଦିନକରେ ୩୪୨ ପଜିଟିଭ୍, ୨ ମୃତ

ଆରଏମ୍‌ଆରସିରେ କୋଭିଡ୍‌ ପରୀକ୍ଷା ୨ଲକ୍ଷ ଟପିଲା

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ଟପିଛି। ଗତ ୨୪ ଘଣ୍ଟାରେ ୩୪୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୧୯୭ରେ ପହଞ୍ଚିଛି। ଗତ ୨୮ ଦିନରେ ଭୁବନେଶ୍ବରରେ ୧୦,୪୬୫ ରୋଗୀ ଚିହ୍ନଟ ହୋଇସାରଲେଣି, ଯାହାକି ସମୁଦାୟ ସଂକ୍ରମଣର ପ୍ରାୟ ୫୦ପ୍ରତିଶତ ବୋଲି ଜଣାପଡ଼ିଛି। ଏହାସହ ୨ଜଣ କରୋନା ରୋଗୀ ପ୍ରାଣ ହରାଇବା ପରେ ରାଜଧାନୀରେ ମୋଟ ମୃତ୍ୟୁ ସଂଖ୍ୟା ୮୮ରେ ପହଞ୍ଚିଛି।

ମାର୍ଚ ୧୫ ତାରିଖରେ ରାଜଧାନୀ ତଥା ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ଭୁବନେଶ୍ବରରେ ଏହି ସଂଖ୍ୟା ବଢ଼ି ଚାଲିଛି। ବିଶେଷକରି ଅଗଷ୍ଟ ‌ଓ ସେପ୍ଟେମ୍ବର‌ରେ ଏହି ସଂଖ୍ୟା ଦ୍ରୁତଗତିରେ ବଢ଼ିଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଦିନକରେ ପ୍ରାୟ ୬ଶହ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯଦିଓ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି, ତଥାପି ୩ଶହ ତଳକୁ କରୋନା ଗ୍ରାଫ୍ ଖସୁନାହିଁ। ପୂର୍ବରୁ ସଙ୍ଗରୋଧରୁ ବହୁ ସଂଖ୍ୟାରେ ରୋଗୀ ଚିହ୍ନଟ ହେଉଥିବା ବେଳେ ଏବେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି।

ଚିହ୍ନଟ ୩୪୨ ରୋଗୀଙ୍କ ମଧ୍ୟରେ ୧୧୧ ସଙ୍ଗରୋଧରୁ ଓ ୨୩୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରୁ ଚନ୍ଦ୍ରଶେଖରପୁର, ଚକେଇସିଆଣିରୁ ୬ଜଣ ଲେଖାଏଁ, ଗଜପତିନଗର, ବ୍ରହ୍ମେଶ୍ବରପାଟଣା, ଲକ୍ଷ୍ମୀସାଗର, କଳାରାହାଙ୍ଗ, ଝାରପଡ଼ା, ୟୁନିଟ୍‌-୨, ୟୁନିଟ୍‌-୬, ନାଗେଶ୍ବର ଟାଙ୍ଗୀ, ମଞ୍ଚେଶ୍ବର, ପୁରୁଣା ଭୁବନେଶ୍ବର, ଶୈଳଶ୍ରୀ ବିହାର, ରଙ୍ଗମାଟିଆ, ପ୍ରଶାନ୍ତି ବିହାର, ପୋଖରୀପୁଟ ଓ ଅନ୍ୟ ଅଞ୍ଚଳରୁ ଆକ୍ରାନ୍ତ ରହିଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମିତରେ ଚନ୍ଦ୍ରଶେଖରପୁରରୁ ସର୍ବାଧିକ ୧୬ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରସୁଲଗଡ଼, ପ୍ରଶାନ୍ତି ବିହାର, ପାତ୍ରପଡ଼ା, ହଂସପାଳ, ଗୌତମ ନଗର, ଗଜପତି ନଗର, ମଧୁସୂଦନ ନଗର, ଡମଣା, ବରମୁଣ୍ଡା, ଝାରପଡ଼ା, ଜଗନ୍ନାଥନଗର, କଳିଙ୍ଗ ବିହାର, କାନନ ବିହାର, ଖଣ୍ଡଗିରି, ଭରତପୁର, କପିଳ ପ୍ରସାଦ, ପଟିଆ ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ସଂକ୍ରମିତଙ୍କୁ ଠାବ କରାଯାଇଛି।

ରାଜଧାନୀରୁ ଆଜି ଘୋଷଣା ହୋଇଥିବା ୨ମୃତକଙ୍କ ମଧ୍ୟରେ ୬୩ବର୍ଷର ମହିଳା ଓ ୭୮ବର୍ଷର ପୁରୁଷ ରହିଛନ୍ତି। ଦୁହିଁଙ୍କୁ ବହୁ ଜଟିଳ ରୋଗ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ବରରେ ଗତ ୨୪ ଘଣ୍ଟାରେ ୩୨୧ ରୋଗୀ ସୁସ୍ଥ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୭,୪୯୭କୁ ବୃଦ୍ଧି ପାଇଛି। ତେବେ ୩୫୯୫ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି।

ଆରଏମ୍‌ଆରସିରେ କୋଭିଡ୍‌ ପରୀକ୍ଷା ୨ଲକ୍ଷ ଟପିଲା
ଭୁବନେଶ୍ୱର : ଆରଏମ୍‌ଆରସିରେ କୋଭିଡ୍‌ ନମୁନା ପରୀକ୍ଷା ୨ଲକ୍ଷ ଟପିଛି। ମାର୍ଚ ୭ ତାରିଖରେ ଆରଏମ୍‌ଆରସିରେ ରାଜ୍ୟରେ ତଥା ଆରଏମ୍‌ଆରସିରେ ନମୁନା ପରୀକ୍ଷା ଆରମ୍ଭ ହୋଇଥିଲା। ଏହା ଭିତରେ ଆରଏମ୍‌ଆରସିରେ ୨ଲକ୍ଷ ୮୭୯ ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରୁ ୧୭,୯୫୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୩୧ଲକ୍ଷ ୧୧ହଜାର ୭୬୬ କୋଭିଡ୍‌ ନମୁନା ପରୀକ୍ଷା ହୋଇସାରିଲାଣି।

ସମ୍ବନ୍ଧିତ ଖବର