ଗଳି ଗଳିରେ ଆକ୍ରାନ୍ତ: ଦିନକରେ ୫୯୦ ଆକ୍ରାନ୍ତ, ପ୍ରତିଦିନ ରେକର୍ଡ ଭାଙ୍ଗୁଛି ରାଜଧାନୀ

ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ଟପିଲା
ଖଣ୍ଡଗିରି, ନୂଆପଲ୍ଲୀ, ପୁରୁଣା ଭୁବନେଶ୍ବର ପରେ ନିଦ ହଜାଇଲାଣି ପଟିଆ

ଭୁବନେଶ୍ବର : ରାଜଧାନୀରେ ଆଜି ଦୈନିକ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁ ରେକର୍ଡ ଭାଙ୍ଗିଛି। ଦୁଇ ଦିନ ତଳେ ରେକର୍ଡ ୫୮୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୫୯୦ଜଣ ଚିହ୍ନଟ ହୋଇଛନ୍ତି। ଏଥିରୁ ୪୬୦ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୧୩୯ଜଣ ସଙ୍ଗରୋଧରୁ ଆକ୍ରାନ୍ତ ହୋଇଛନ୍ତି। ହେଲେ ପଟିଆ ଓ ପୁରୁଣା ଭୁବନେଶ୍ବରରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଏଠାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୯୦ ଆକ୍ରାନ୍ତ ମିଶିବା ପରେ ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩୬ରେ ପହଞ୍ଚିଛି।

ରାଜଧାନୀରେ ଚଳିତ ଏପ୍ରିଲ ମାସର ୨୨ଦିନ ମଧ୍ୟରେ ୫୩୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିନ୍ତାର ବିଷୟ ହେଲା, ଏହାର ଅଧା ବି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି। ମାତ୍ର ୨୫୭୯ଜଣ ସୁସ୍ଥ ହୋଇଛନ୍ତି। ଗତ ୨୨ଦିନ ମଧ୍ୟରେ ରାଜଧାନୀର ଗଳିକନ୍ଦିରେ ଆକ୍ରାନ୍ତ ଛାଇ ଗଲେଣି। ଖଣ୍ଡଗିରି, ପଟିଆ, ନୂଆପଲ୍ଲୀ, ପୁରୁଣା ଭୁବନେଶ୍ବର, ରସୁଲଗଡ଼, ଟଙ୍କପାଣି ରୋଡ, ବରମୁଣ୍ଡା, ପୋଖରୀପୁଟ, ଚନ୍ଦ୍ରଶେଖରପୁର, ୟୁନିଟ-୧, ୨ ଓ ୬ରେ ଥିବା ସରକାରୀ କ୍ବାର୍ଟର୍ସ ଅଞ୍ଚଳରେ ପ୍ରତି ଗଳିରେ ମାଳମାଳ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମିତି ଦେଖିବାକୁ ଗଲେ ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳରେ ଏକାଧିକ ସକ୍ରିୟ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ପ୍ରଶାସନର ନିଦ ହଜିଗଲାଣି।।

bbc.com

ସବୁଠୁ ଚିନ୍ତାର ବିଷୟ ପାଲଟିଛି ଖଣ୍ଡଗିରି, ନୂଆପଲ୍ଲୀ, ପୁରୁଣା ଭୁବନେଶ୍ବର ଓ ପଟିଆ। ଏହି ଚାରିଟି ଅଞ୍ଚଳରୁ ପ୍ରାୟ ହଜାରେ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ୁଥିବାରୁ ଏଠାରେ ଗୋଷ୍ଠୀ ସଂକ୍ରମଣ ହୋଇଯିବାର ଭୟ ସୃଷ୍ଟି ହୋଇଛି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କହୁଛନ୍ତି।

ଆଜି ପଟିଆରୁ ସର୍ବାଧିକ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏଥିରେ ୪୬ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୧୧ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ପଟିଆରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି। ଆଶ୍ଚର୍ଯ୍ୟର ବିଷୟ ଏଥିରେ ଜଣେ ବି ବରିଷ୍ଠ ନାଗରିକ ନାହାନ୍ତି। ୪ଜଣ ଶିଶୁ ଥିବାବେଳେ ବାକି ୫୩ଜଣଙ୍କ ବୟସ ୫୮ବର୍ଷରୁ କମ୍‌।

ସେହିପରି ପୁରୁଣା ଭୁବନେଶ୍ବରରୁ ଆଜି ୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୩୩ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୮ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ଏହି ୪୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୫ଜଣ ବରିଷ୍ଠ ନାଗରିକ ଥିବାବେଳେ ୨ଜଣ ଶିଶୁ ଅଛନ୍ତି। ବାକି ୩୪ଜଣଙ୍କ ବୟସ ୫୫ ବର୍ଷରୁ କମ୍‌।

ଏହାବାଦ୍ ନୂଆପଲ୍ଲୀରୁ ୩୪ଜଣ, ଖଣ୍ଡଗିରିରୁ ୨୨ଜଣ, ବରମୁଣ୍ଡାରୁ ୧୬ଜଣ, ଟଙ୍କପାଣି ରୋଡ୍‌ରୁ ୧୭ଜଣ, ସୁନ୍ଦରପଦାରୁ ୧୩ଜଣ, ନିୟୁ ଏଜି କଲୋନିରୁ ୬ଜଣ, ରସୁଲଗଡ଼ରୁ ୧୨ଜଣ, ପୋଖରୀପୁଟରୁ ୨୧ଜଣ, ବଡ଼ଗଡ଼ରୁ ୯ଜଣ, ଚନ୍ଦ୍ରଶେଖରପୁରରୁ ୨୧ଜଣ, ବାପୁଜୀ ନଗରରୁ ୯ଜଣ, ଆଇଆରସି ଭିଲେଜରୁ ୭ଜଣ, ୟୁନିଟ-୩ରୁ ୧୨ଜଣ, ୟୁନିଟ-୪ରୁ ୭ଜଣ,ୟୁନିଟ-୬ରୁ ୭ଜଣ, ୟୁନିଟ-୯ରୁ ୧୩ଜଣ, ସତ୍ୟନଗରରୁ ୧୦ଜଣ, ପାତ୍ରପଡ଼ାରୁ ୧୧ଜଣ, ନୀଳାଦ୍ରିବିହାରରୁ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ୍ ରାଜଧାନୀର ବିଭିନ୍ନ ସ୍ଥାନରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରତି ଅଞ୍ଚଳରେ ୫ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ରାଜଧାନୀ ପାଇଁ ଚିନ୍ତାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର