ଭୁବନେଶ୍ୱର : କରୋନା ମହାମାରୀ ସଂକଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ମାସ ମାସ ଧରି ରୋଗୀଙ୍କୁ ଘରେ ରହିବାକୁ ପଡ଼ୁଥିବା ବେଳେ ମାନସିକ ସ୍ତରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ହେଲେ ଏହି ସମୟରେ ଅନ୍ୟ ସାଧାରଣ ରୋଗୀଙ୍କ ପାଇଁ ଏହା ଏକପ୍ରକାର ବରଦାନ ସାବ୍ୟସ୍ତ ହୋଇଛି। କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ପେଟ ରୋଗୀଙ୍କ କ୍ଷେତ୍ରରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି। ପୂର୍ବରୁ ଦିନକୁ ଗ୍ୟାସ୍ ବଟିକାର ଗୋଟିଏ ଲେଖାଏଁ ଭେରାଇଟିର ଯେତିକି ସଂଖ୍ୟକ ବଟିକା ବିତରଣ ହୋଇଥାଏ ଏବେ ତା’ଠାରୁ ଯଥେଷ୍ଟ କମ୍ ଔଷଧ ବିତରଣ ହେଉଛି। କେବଳ ଗ୍ୟାଷ୍ଟ୍ରିକ୍ ବଟିକା ନୁହେଁ, ଆଣ୍ଟିବାୟୋଟିକ୍ ଔଷଧ କ୍ଷେତ୍ରରେ ମଧ୍ୟ ସମାନ ପରିସଂଖ୍ୟାନ ନଜରକୁ ଆସିଛି।
ଗ୍ୟାସ ଜନିତ ଟାବଲେଟ୍ ବା ସିରପ ହେଉଛି ସାଧାରଣ ଔଷଧ। ଓପିଡି ବା ବହିର୍ବିଭାଗ ଓ କାଜୁଆଲ୍ଟିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଅନ୍ୟ ବଟିକା ସହିତ ଆବଶ୍ୟକ ସ୍ଥଳେ ଗ୍ୟାସ୍ ବଟିକା ଦିଆଯାଇଥାଏ। ଗ୍ୟାସ୍ ଯୋଗୁଁ ଖାଦ୍ୟ ହଜମ ନ ହେବା, ଆମ୍ବିଳା ହେକୁଟି, ମୁଣ୍ଡା ବୁଲାଇବା ଓ ଦୁର୍ବଳ ଲାଗିବା ଭଳି ସାଧାରଣ ଲକ୍ଷଣ ଦେଖିବାକୁ ମିଳିଥାଏ। ଡାକ୍ତରମାନେ ସାଧାରଣତଃ ପାଣ୍ଟୋପ୍ରାଜୋଲ, ରାବେପ୍ରାଜେଲ, ଓମେପ୍ରାଜୋଲ, ରାବେପ୍ରାଜୋଲ ସହିତ ଡମ୍ପେରିଡନ୍, ଆଣ୍ଟାସିଡ୍ ଓ ଆଣ୍ଟାସିଡ୍ ସିରପ୍ ଖାଇବା ଲାଗି ଦେଇଥାନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍ ଜାନୁଆରି-ମାର୍ଚ ଭିତରେ ପାଣ୍ଟେପ୍ରାଜୋଲ ବଟିକା ୭ଲକ୍ଷ ୨୭ହଜାର, ରାବେପ୍ରାଜୋଲ ୧ଲକ୍ଷ ୫୧ହଜାର ୬୫୦, ଓମେପ୍ରାଜୋଲ ୪ଲକ୍ଷ ୨ହଜାର ୩୨୦, ରାବେପ୍ରାଜୋଲ ସହିତ ଡମ୍ପେରିଡନ୍ ୨ଲକ୍ଷ ୭ହଜାର, ଆଣ୍ଟାସିଡ୍ ୧୩ହଜାର ୬ଶହ ଓ ସିରପ୍ ୧୧ହଜାର ୩୭୭ ବୋତଲ ଦିଆଯାଇଥିଲା। ଏହି ସମୟରେ ଦିନକୁ ୮ହଜାରରୁ ଅଧିକ ଔଷଧ ରୋଗୀଙ୍କୁ ଦିଆଯାଉଥିଲା।
ତେବେ ଏପ୍ରିଲରୁ ଅକ୍ଟୋବର ୧୦ତାରିଖ ମଧ୍ୟରେ ପାଣ୍ଟେପ୍ରାଜୋଲ ୭ଲକ୍ଷ ୧୨ହଜାର, ରାବେପ୍ରାଜୋଲ ୨ଲକ୍ଷ ୬୬ହଜାର, ଓମେପ୍ରାଜୋଲ ୫ଲକ୍ଷ ୫୮ହଜାର, ରାବେପ୍ରାଜୋଲ ସହିତ ଡମ୍ପେରିଡନ୍ ୩ଲକ୍ଷ ୫୩ହଜାର, ଆଣ୍ଟାସିଡ୍ ୭ହଜାର ଓ ସିରିପ୍ ୧୫ହଜାର ୬୮୯ ବୋତଲ ରୋଗୀଙ୍କୁ ଦିଆଯାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଏହି ସମୟ ଭିତରେ ଦିନକୁ ପ୍ରାୟ ୩ହଜାରରୁ ସାମାନ୍ୟ ଅଧିକ ବଟିକା ରୋଗୀଙ୍କୁ ଦିଆଯାଉଛି। ଅନ୍ୟ ସାଧାରଣ ଦିନ ତୁଳନାରେ ଏବେ ଗ୍ୟାସ୍ ବଟିକାରେ ଯଥେଷ୍ଟ ହ୍ରାସ ଦେଖିବାକୁ ମିଳିଛି। ପେଟ ରୋଗୀଙ୍କ ସଂଖ୍ୟାରେ ହ୍ରାସର ଏକାଧିକ କାରଣ ରହିଥିବା କୁହାଯାଉଛି। ଲକ୍ଡାଉନ୍ ଯୋଗୁଁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଥିଲା। ପରବର୍ତୀ ସମୟରେ ହସ୍ପିଟାଲରେ ଗୋଟିଏ ବେଳା ଓପିଡି ବା ବର୍ହିବିଭାଗ ଖୋଲିଥିଲା। ତାହା ଏବେ ମଧ୍ୟ ଜାରି ରହିଛି। ଏସବୁ କାରଣ ବାଦ୍ ବଜାରରେ ବିକ୍ରି ହେଉଥିବା ତେଲଜାତୀୟ ଖାଦ୍ୟ ଖାଇବା ପାଇଁ ଲୋକମାନେ ସେତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି। ପ୍ରାୟ ସବୁ ଲୋକ ଏବେ ଘରେ ଖାଦ୍ୟ ଖାଉଛନ୍ତି। ବାହାରେ ଠିଆ ହୋଇ ଖାଇବାରେ ସାମାଜିକ ଦୂରତ୍ବ ଭଳି ସମସ୍ୟା ରହିଛି। ତେଣୁ ଏସବୁ କାରଣରୁ ହସ୍ପିଟାଲକୁ ଗ୍ୟାସ୍ ଜନିତ ସମସ୍ୟା ଥିବା ରୋଗୀଙ୍କ ସଂଖ୍ୟା କମିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।
ବିଶେଷଜ୍ଞଙ୍କ କହିବା କଥା, ଗ୍ୟାଷ୍ଟ୍ରିକ୍ ରୋଗୀଙ୍କ ସଂଖ୍ୟା କମିଛି ବୋଲି କହିହେବ ନାହିଁ। ଏବେ ଲୋକମାନଙ୍କ ଧ୍ୟାନ କରୋନା ଉପରେ ରହିଛି। ତେଣୁ ଯେଉଁ ସମସ୍ୟାକୁ ଲୋକମାନେ ଗ୍ୟାଷ୍ଟ୍ରିକ୍ ବୋଲି ଭାବୁଥିଲେ ତାହିଁରେ ଏବେ ପୂର୍ଣ୍ଣଛେଦ ପଡ଼ିଛି। ଲକ୍ଡାଉନ୍ ପାଇଁ ହସ୍ପିଟାଲରେ ମଧ୍ୟ ରୋଗୀଙ୍କ ସଂଖ୍ୟା କମିଛି। ଏହାସହ ଲୋକମାନେ ଘରେ ରହୁଥିବାରୁ ହୋଟେଲ ଓ ବଜାରେ ମିଳୁଥିବା ବାସି ଖାଦ୍ୟରୁ ଦୂରେଇ ରହୁଛନ୍ତି। ଯାହାଫଳରେ ପେଟ ରୋଗ ସମସ୍ୟା ପ୍ରାୟତଃ ନାହିଁ। ମାତ୍ର ଏବେ ପୁଣିଥରେ ସବୁ ଖୋଲିବାକୁ ଆରମ୍ଭ କରିଥିବାରୁ ପେଟ ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କାକୁ ଦୂରେଇ ହେବନାହିଁ।