କରୋନା ବଦଳାଇଦେଲା ବେଉସା, ସାଲିଆସାହିରୁ ୧୦ଲକ୍ଷର ଧଳାଜହର ଜବତ

ମହିଳା ଗିରଫ, ଗ୍ରାହକ ବେଶରେ ଯାଇ ଧରିଲା ଅବକାରୀ ବିଭାଗ

ଭୁବନେଶ୍ବର: କରୋନା ବଦଳାଇଦେଲା ବେଉସା। ୧୦ଲକ୍ଷ ଟଙ୍କାର କରଜରେ ବୁଡ଼ିବା ପରେ ବାଧ୍ୟ ହୋଇ ଜଣେ ମହିଳା ୬ମାସ ତଳେ ବ୍ରାଉନସୁଗାର କାରବାରକୁ ଆପଣାଇ ନେଇଥିଲେ। ଯୁବପିଢ଼ି ଉପରେ ନିଶାର କୁପ୍ରଭାବ ସଂପର୍କରେ ସଚେତନ ଥିଲେ ବି ତାଙ୍କ ପାଖରେ କୌଣସି ବିକଳ୍ପ ନ ଥିଲା। ତାଙ୍କ ସ୍ବାମୀ ଓ ପୁଅ ଏହା ଜାଣିଥିଳେ ଏବଂ ଏଥିରୁ ସେ ବେଶ୍ ଭଲ ରୋଜଗାର ବି କରୁଥିଲେ। କିନ୍ତୁ ଅବକାରୀ ବିଭାଗ ଏ ବିଷୟରେ ସୂଚନା ପାଇବା ପରେ ଗ୍ରାହକ ବେଶରେ ଆସି ମହିଳାଙ୍କୁ ଗିରଫ କରିଛି ଏବଂ ତାଙ୍କ ନିକଟରୁ ପ୍ରାୟ ୯୫ ଗ୍ରାମ୍‌ର ଧଳାଜହର ଜବତ କରିଛି; ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

ଗିରଫ ହୋଇଥିବା ମହିଳା ହେଲେ ସାଲିଆସାହିର ନର୍ମଦା ସାହୁ ତେବେ ନିଶା କାରବାର ପାଇଁ ନୂଆ କରି ଏଭଳି ଦୁନିଆରେ ପାଦ ଦେଇଥିଲେ ହେଁ ଜଣେ ମହିଳା ୬ମାସ କାଳ କେମିତି ସୁରୁଖୁରୁରେ ସେ ବି ପୁଣି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି କଡ଼ା କଟକଣା ଭିତରେ କାରବାର କରୁଥିଲେ ସେ ନେଇ ପ୍ରଶ୍ନ ଉଠିଛି। ନର୍ମଦଙ୍କୁ ଅଧିକ ପଚରାଉଚରା କରାଯିବାରୁ ଜଣାପଡ଼ିଛି, ସେ ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଭୁବନେଶ୍ବରରେ ବିକ୍ରି କରୁଥିଲେ। ପୁଡ଼ିଆ ପିଛା ୪୦୦ ଟଙ୍କାରେ କିଣି ତାକୁ ୫ଶହରୁ ୬ଶହ ଟଙ୍କାରେ ବିକ୍ରି କରିଥିଲେ। ଆଉ ଏହି ୬ମାସରେ ସେ ପାଖାପାଖି ୩ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଅବକାରୀ ବିଭାଗ ଗ୍ରାହକ ବେଶରେ ନର୍ମଦାଙ୍କ ଠାରୁ ବ୍ରାଉନସୁଗାର କିଣିଥିଲା। ବ୍ରାଉନସୁଗାର ଥିବା ନିଶ୍ଚିତ ହେବା ପରେ ଆଜି ଚଢ଼ଉ କରି ଜବତ କରିଥିଲା। ଭୁବନେଶ୍ବର ଅବକାରୀ ଆଇଆଇସି ବିକାଶ ନାୟକ, ଏସ୍‌ଆଇ ଅଂଶୁମାନ ଜେନା, ଏଏସ୍‌ଆଇ ସୁଜିତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ସାଲିଆସାହିରେ ଆହୁରି ଅନେକ ଲୋକ ଏହିଭଳି ବେଆଇନ୍ ନିଶା କାରବାରରେ ସଂପୃକ୍ତ ଥିବା ଶ୍ରୀ ନାୟକ କହିଛନ୍ତି।

୬୦ଗ୍ରାମ୍ ବ୍ରାଉନସୁଗାର ଜବତ, ନିଶା ବେପାରୀ ସମେତ ୨ ଗିରଫ
ଭୁବନେଶ୍ବର: ସାଲିଆସାହି ଏକାମ୍ରବିହାର ବସ୍ତିରେ ନୂଆପଲ୍ଲୀ ପୁଲିସ ଚଢ଼ଉ କରି ଦୁଇଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବାଲେଶ୍ବରର ଯୁବକ ରହିଥିବା ଆଉ ଜଣେ ସ୍ଥାନୀୟ ଅଞ୍ଚଳର ରାଜେନ୍ଦ୍ର ନାୟକ ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ମୁତାବକ ବାଲେଶ୍ବରର ଯୁବକ ସୋର ଅଞ୍ଚଳରୁ ଧଳାଜହର ଆଣି ରାଜେନ୍ଦ୍ରକୁ ଦେଇଥିଲା। ରାଜେନ୍ଦ୍ର ଏହାକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିଥାନ୍ତା ବୋଲି ଜଣାପଡ଼ିଛି। ଜବତ ୬୦ ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ବାଲେଶ୍ବରର ଉକ୍ତ ଯୁବକକୁ ଧରି ପୁଲିସ ଅଧିକ ପଚରାଉଚରା କରି ଧଳାଜହର ମୁଖ୍ୟ ବେପାରି ପାଖରେ ପହଞ୍ଚିବାକୁ ତଦନ୍ତ ଚଳାଇଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହା ବ୍ୟତୀତ ପୁଲିସ ରାଜେନ୍ଦ୍ର ପାଖରୁ ବାଇକ୍, ମୋବାଇଲ ଓ ୨୭ଶହ ଟଙ୍କା ଜବତ କରିଛି।

ସମ୍ବନ୍ଧିତ ଖବର