କରୋନା ମୁକାବିଲା : କଠୋର ହୋଇପାରେ ପୁଲିସ, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ

କଟକଣା ମାନିଲେନି: ୫୨ ବାଇକ୍‌ ଜବତ

ଭୁବନେଶ୍ବର : କରୋନା ମୁକାବିଲା ସାରା ଭାରତ ପାଇଁ ଏବେ ସତର୍କ ଘଣ୍ଟି ହୋଇଛି। ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି। କରୋନାକୁ ହରାଇବା ଲାଗି ଘରେ ରହିବା ଓ ସାମାଜିକ ଦୂରତ୍ବ ରକ୍ଷା କରିବା ଏକମାତ୍ର ବାଟ ବୋଲି ସ୍ପଷ୍ଟ ହୋଇସାରିଛି। ପୂର୍ବରୁ ଭୁବନେଶ୍ବର ସମେତ କେତେକ ସହରରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏବେ ସମଗ୍ର ରାଜ୍ୟ ଓ ଦେଶରେ ଘୋଷଣା ହୋଇସାରିଛି। କିନ୍ତୁ କିଛି ଲୋକ ଅମାନିଆ ହେଉଥିବା ଦେଖିବାକୁ ମିଳୁଛି। ବିନା କାମରେ ଗାଡ଼ି ଧରି ବୁଲୁଛନ୍ତି। ପୁଲିସ ବହୁବାର ସେମାନଙ୍କୁ ବୁଝାଇ ସାରିଲାଣି। କିଛି ଲୋକ ସଚେତନ ମଧ୍ୟ ହେଲେଣି। କିନ୍ତୁ ଆଗକୁ ପୁଲିସ କଠୋର ହୋଇପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏନେଇ ସବୁ ଜିଲ୍ଲା ପୁଲିସଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଟୁଇନ୍ ସିଟିରେ ଅଧିକ କଡ଼ାକଡ଼ି ହେବ ବୋଲି ଜଣାପଡ଼ିଛି। ଏହାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ପୁଲିସ। ଏ ନେଇ ବିଧିବଦ୍ଧ ଭାବେ ପୁଲିସ କୌଣସି ସୂଚନା ଦେଇ ନ ଥିଲେ ମଧ୍ୟ ପୁଲିସକୁ ସାଧାରଣ ଜନତା ପଚାରିଥିବା ପ୍ରଶ୍ନ ଓ ଟ୍ବିଟର୍‌ ମାଧ୍ୟମରେ ପୁଲିସ ରଖିଥିବା ଉତ୍ତରରୁ ସ୍ପଷ୍ଟ ଜଣାପଡ଼ୁଛି।

କଟକଣା ମାନିଲେନି: ୫୨ ବାଇକ୍‌ ଜବତ
ପୁରୁଣା ଭୁବନେଶ୍ୱର : ମହାମାରୀ ‘କରୋନା’ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ପୂରା ରାଜଧାନୀକୁ ଲକ୍‌-ଡାଉନ୍‌ ଘୋଷଣା କରାଯାଇଥିଲେ ହେଁ ପୁରୁଣା ଭୁବନେଶ୍ବରରେ ଆଜି ଏହାର ପ୍ରଭାବ କମ୍‌ ଦେଖିବାକୁ ମିଳିଥିଲା। ସାମନ୍ତରାପୁର ଗ୍ୟାରେଜ୍‌ ଛକ, ରବି ଟକିଜ୍‌ ଛକ, ରଥ ଦାଣ୍ଡରେ ଗାଡ଼ି ମଟର ଚଳାଚଳ କରିଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଏତେ ସଚେତନତା ପରେ ମଧ୍ୟ ଲୋକ ପଦାକୁ ବାହାରିଥିଲେ। ସତେଯେପରି କରୋନାକୁ ସେମାନଙ୍କ ସାମାନ୍ୟତମ ଭୟ ନଥିଲା। ତେବେ ଏପରି ଅମାନିଆ ଲୋକଙ୍କ ୫୨ଟି ବାଇକ୍‌କୁ ପୁଲିସ ଆଜି ଜବତ କରିଛି। ସଂଧ୍ୟା ବେଳେ ସଂପୃକ୍ତ ଗାଡ଼ିର ଚାଳକମାନଙ୍କୁ କଡ଼ା ତାଗିଦ୍‌ କରି ପୁଲିସ ଗାଡ଼ିଗୁଡ଼ିକୁ ଛାଡ଼ଇ ଦେଇଥିବା ଜଣାଯାଇଛି।

ତେବେ ଲୋକଙ୍କ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ଆଜି କଡ଼ା ବନ୍ଦୋବସ୍ତ କରାଯାଇଥିଲା। ପ୍ରମୁଖ ଛକ ସ୍ଥାନମାନଙ୍କରେ ପୁଲିସ ପକ୍ଷରୁ ବ୍ଲକିଂ ପଏଣ୍ଟ କରାଯାଇ ଗାଡ଼ିଗୁଡ଼ିକୁ ଅଟକ ରଖାଯାଇଥିଲା। ଜରୁରୀ କାମରେ ଯାଉଥିବା ଲୋକଙ୍କ ବ୍ୟତୀତ ଅନ୍ୟ କୌଣସି ଲୋକଙ୍କୁ ଛଡ଼ା ଯାଇନଥିଲା। ଗ୍ୟାରେଜ୍‌ ଛକଠାରେ ସହର ଭିତରକୁ କିମ୍ବା ବାହରକୁ କାହାରିକୁ ଛଡ଼ା ଯାଇନଥିଲା।

‌ସେହିପରି ସନ୍ଧ୍ୟାରେ ସାମନ୍ତରାପୁର, ମୂଳାପଡ଼ିଆ, ବିନ୍ଦୁସାଗର, କେଦାରଗୌରୀ, ମହତାବ ରୋଡ୍‌, ରଥ ଦାଣ୍ଡ, ରବି ଟକିଜ୍‌ ଛକ ଆଦି ୧୦ରୁ ଊର୍ଧ୍ବ ସ୍ଥାନରେ ଯୁବକମାନେ ଖଟି କରୁଥିବା ବେଳେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ସେମାନଙ୍କୁ ଘଉଡ଼ାଇ ଦେଇଥିଲା।

ସମ୍ବନ୍ଧିତ ଖବର