ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି
୨୦୪ଜଣଙ୍କର ନମୁନା ସଂଗ୍ରହ ହେଲା
ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ଆସିଥିଲେ କିଛି ଛାତ୍ରଛାତ୍ରୀ

Advertisment

ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଚାଲି ଆସିଥିଲା। ଗତ କେତେମାସ ମଧ୍ୟରେ ଦୋକାନ, ବଜାର, ମଲ୍, ସିନେମା ହଲ୍ ସବୁ ଖୋଲି ଯାଇଥିବାବେଳେ ପୂର୍ବଭଳି ଉତ୍ସବ, ଅନୁଷ୍ଠାନ, ସଭାସମିତି ଆରମ୍ଭ ହୋଇ ଯାଇଥିଲା। ରାଜଧାନୀ କ୍ରମଶଃ ସ୍ବାଭାବିକ ଅବସ୍ଥାକୁ ଫେରି ଆସୁଥିବାବେଳେ ଏବେ ପୁଣିଥରେ କରୋନା ଡରାଇବା ଆରମ୍ଭ କଲାଣି। ଆଜି ଅଚାନକ ଚନ୍ଦ୍ରଶେଖରପୁରସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ(ଏକ୍ସଆଇଏମ୍‌ବି)ର ୨୮ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଆତଙ୍କ ସୃଷ୍ଟି ହୋଇଛି। କ୍ୟାମ୍ପସରୁ ଏକସଙ୍ଗେ ଏତେ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏକ୍ସଆଇଏମ୍‌ବିକୁ ସିଲ୍‌ କରିଦିଆଯାଇଛି। ବର୍ତ୍ତମାନ ପାଇଁ ବାହାର ଲୋକଙ୍କର ଏକ୍ସଆଇଏମ୍‌ବିରେ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏହାସହ କ୍ୟାମ୍ପସରେ ସମସ୍ତ ସନ୍ଦିଗ୍ଧଙ୍କର କରୋନା ପରୀକ୍ଷା କରାଯାଇଛି।

publive-image

ମିଳିଥିବା ସୂଚନା ଅନୁଯାୟୀ, ନିକଟରେ କିଛି ଛାତ୍ରଛାତ୍ରୀ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ଆସିଥିଲେ। ‌ମୁଖ୍ୟତଃ ସେହିମାନେ ହିଁ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ଛାତ୍ରଛାତ୍ରୀ ହଟସ୍ପଟ୍‌ ରାଜ୍ୟରୁ ଆସିଥିଲେ ହେଁ ସଙ୍ଗରୋଧରେ ରହିନଥିଲେ କି ଏ ନେଇ କାହାକୁ ସୂଚନା ଦେଇନଥିଲେ। ହଷ୍ଟେଲରେ ସାଙ୍ଗସାଥୀଙ୍କ ସହ ମିଳାମିଶା କରିଥିଲେ। ପରେ ବହୁ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେଲେ। ଆକ୍ରାନ୍ତଙ୍କ ମଧ୍ୟରେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ଅଛନ୍ତି। ଏବେ ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି।

ସଂକ୍ରମଣ ସଂପର୍କରେ ସୂଚନା ଦେଇ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ଏକ୍ସଆଇଏମ୍‌ବିରେ ୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସମସ୍ତ ଆକ୍ରାନ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ତଥ୍ୟ ସଂଗ୍ରହ କରି ଆବଶ୍ୟକତା ଅନୁଯାୟୀ ଟେଷ୍ଟିଂ କରାଯାଉଛି। ଆଜି ୨୦୪ଜଣଙ୍କର ଆର୍‌ଟିପିସିଆର୍ ପରୀକ୍ଷା ହୋଇଥିବାବେଳେ ବାକି କିଛି ଲୋକଙ୍କର ମଙ୍ଗଳବାର ନମୁନା ସଂଗ୍ରହ ହେବ। ଏବେ ପୂରା କ୍ୟାମ୍ପସକୁ ସିଲ୍‌ କରି ବିଶୋଧନ କରାଯାଇଛି।

publive-image

ଅନ୍ୟପକ୍ଷରେ ନିକଟରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବ ପାଇଁ ଏକ୍ସଆଇଏମ୍‌ବି କର୍ତ୍ତୃପକ୍ଷ ବିଏମ୍‌ସିରୁ ଅନୁମତି ନେଇନଥିବା କମିସନର ସ୍ପଷ୍ଟ କରିଛନ୍ତି। ସେମାନେ ଅନୁମତି ନେବାର ଥିଲା। ତେଣୁ ଯେଉଁମାନେ କ୍ୟାମ୍ପସରେ କିଛି ସାଂସ୍କୃତିକ କି ସାମାଜିକ କାର୍ଯ୍ୟକ୍ରମ କରିବାର ଥିଲେ ବିଏମ୍‌ସିର ଅନୁମତି ନିଅନ୍ତୁ ବୋଲି ଆହ୍ବାନ ଦିଆଯାଇଛି। ନଚେତ୍ ବିଏମ୍‌ସି ପକ୍ଷରୁ କାର୍ଯ୍ୟାନୁ‌ଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ବିଏମ୍‌ସିର ଉତ୍ତର ଜୋନ୍‌ ଜୋନାଲ ଡେପୁଟି କମିସନର ପୁରନ୍ଦର ନନ୍ଦ କହିଛନ୍ତି ଯେ, ଏକ୍ସଆଇଏମ୍‌ବି କ୍ୟାମ୍ପସରୁ ବର୍ତ୍ତମାନ ସୁଦ୍ଧା ୨୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ। ସେମାନେ କ୍ୟାମ୍ପସରେ ସଙ୍ଗରୋଧରେ ଅଛନ୍ତି। ଦୁଇ ଦିନ ତଳେ ସମାବର୍ତ୍ତନ ଉତ୍ସବ ହୋଇଥିବାରୁ ଏହି ଛାତ୍ରଛାତ୍ରୀ କାହା ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ତାହାର କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆଜି ୨୦୪ଜଣଙ୍କର ନମୁନା ସଂଗ୍ରହ ହୋଇଥିବାବେଳେ ସେମାନଙ୍କ ରିପୋର୍ଟ ଆସିନି। ଅପରପକ୍ଷେ ଯେଉଁମାନେ କରୋନା ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କର ଲକ୍ଷଣ ଦେଖାଇବାକୁ କିଛି ଦିନ ଲାଗିବ। ଏହାକୁ ନଜରରେ ରଖି ଏବେ ୫ଦିନ ପାଇଁ କ୍ୟାମ୍ପସକୁ ସିଲ୍‌ କରି ବିଶୋଧନ କରାଯାଉଛି। ଯଦି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼େ କିମ୍ବା ସ୍ଥିତି ଅଣାୟତ୍ତ ହୁଏ ତେବେ ସିଲ୍‌ ଅବଧି ବଢ଼ିବ। ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ଇଞ୍ଜିନିୟରିଂ କଲେଜରୁ ୩ ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ଜାଣିଲା ପରେ ଘରକୁ ପଳାଇଲେ
ଭୁବନେଶ୍ବର : ସୋମବାର ରାଜଧାନୀ ଉପକଣ୍ଠରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ମଧ୍ୟ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମସ୍ତ ୩ ଆକ୍ରାନ୍ତ ଛାତ୍ରୀ ବୋଲି ଜଣାପଡ଼ିଛି। ପଜିଟିଭ୍ ଜାଣିବା ପରେ ୨ଜଣ ଛାତ୍ରୀ ନିଜ ଘରକୁ ପଳାଇଥିବା ବେଳେ ଅନ୍ୟ ଜଣେ ହଷ୍ଟେଲରେ ଗୃହ ପୃଥକବାସରେ ରହିଛନ୍ତି। ଏହି ଘଟଣା କଲେଜ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ରାଜ୍ୟ ସରକାର ସ୍କୁଲ, କଲେଜ ଖୋଲିବା ପାଇଁ ଅନୁମତି ଦେବା ପରେ ଉକ୍ତ ଇଞ୍ଜିନିୟରିଂ କଲେଜ ଖୋଲିଥିଲା। ସୂଚନା ଅନୁସାରେ, ୩ଜଣଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେମାନେ ଖୋର୍ଧାରେ ନିଜର କୋଭିଡ ନମୁନା ପରୀକ୍ଷା କରାଇଥିଲେ। ହେଲେ ପଜିଟିଭ୍ ଚିହ୍ନଟ ପରେ ଦୁଇ ଜଣ ଯାଜପୁର ଜିଲ୍ଲାରେ ଥିବା ନିଜ ଘରକୁ ପଳାଇଥିବା ଚର୍ଚ୍ଚା ହେଉଛି। ମାତ୍ର ଅନ୍ୟ ଜଣେ ଛାତ୍ରୀ ହଷ୍ଟେଲ୍‌ରେ ଗୃହ ପୃଥକବାସରେ ରହିଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନଙ୍କ କଣ୍ଟାକ୍ଟ ‌ଟ୍ରେସିଂ କରାଯିବା ସହିତ ନମୁନା ପରୀକ୍ଷା ହୋଇଛି। ଘଟଣା ଉପରେ ସ୍ଥାନୀୟ ବିଡିଓ ନଜର ରଖିଛନ୍ତି।