ଜୁଲାଇ ସ୍ଥିତିକୁ ଫେରିଲାଣି ରାଜଧାନୀ, କରୋନା ସ୍ଥିତି ସୁଧୁରୁଛି

ଦଶହରା ଆଣିଲା ଖୁସି ଖବର

ଭୁବନେଶ୍ବର: ରାଜଧାନୀରେ ଏବେ କରୋନା ଏକପ୍ରକାର ନିୟନ୍ତ୍ରଣକୁ ଆସିଯାଇଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଦଶହରାରେ ହଠାତ୍‌ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ଖସିବା ରାଜଧାନୀବାସୀଙ୍କୁ ଆଶ୍ବସ୍ତ କରିଛି। ପାର୍ବଣରେ କରୋନା ବେକାବୁ ହେବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ଆପାତତଃ ଟଳିଯାଇଛି। ବିଏମ୍‌ସି ଓ କମିସନରେଟ୍‌ ପୁଲିସର ବିଭିନ୍ନ ହାଟ, ମାର୍କେଟ୍ ଏବଂ ଜନଗହଳି ସ୍ଥାନରେ ଚଢ଼ଉ ସହିତ ପୂଜା ମଣ୍ଡପରୁ ଭକ୍ତଙ୍କୁ ଦୂରେଇ ରଖିବାରୁ ରାଜଧାନୀ ଏବେ ଗ୍ରିନ୍‌ ଜୋନ୍‌କୁ ଫେରିବା ‌ବାଟ ଖୋଲିଛି।
ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ସବୁଠୁ ଅଧିକ ଦିନ ରେକର୍ଡ କରିଥିବା ଭୁବନେଶ୍ବରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଜୁଲାଇ ମାସ ଭଳି ଚିହ୍ନଟ ହେଉଛି। ଜୁଲାଇ ମାସର ପ୍ରଥମ ଦୁଇ ସପ୍ତାହ ଯେପରି ଶହେରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ଏବେ ସେହିପରି ଚିହ୍ନଟ ହେଉଛନ୍ତି। କିଛି ଦିନ ଶହେରୁ ଦୁଇ ଶହ ମଧ୍ୟରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ଦୁଇ ଦିନ ହେଲା ଶହେରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୋମବାର ୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ୮୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ଏବେ କରୋନା ପ୍ରଭାବ କମିବାରେ ଲାଗିଛି। ବର୍ତ୍ତମାନ ଯେଉଁ ହାରରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଥିରୁ ଜଣାପଡ଼ୁଛି ଯେ, ଡିସେମ୍ବର ବେଳକୁ ଭୁବନେଶ୍ବରରେ ଆଉ କରୋନା ଆକ୍ରାନ୍ତ ନଥିବେ। ସେପ୍ଟେମ୍ବର ମାସରେ ତିନିଥର ୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେପ୍ଟେମ୍ବର ୨ରେ ୫୪୧ଜଣ, ୩ରେ ୫୮୦ଜଣ, ୪ରେ ୫୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସମୟରେ ଭୁବନେଶ୍ବର ଶୀର୍ଷରେ ଥିଲା। ଏପରିକି ଅଧିକାଂଶ ଦିନ ୪୦୦ରୁ ଅଧିକ କିମ୍ବା ୩୫୦ରୁ ୪୦୦ ମଧ୍ୟରେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ସେପ୍ଟେମ୍ବରର ପ୍ରଥମ ଦୁଇ ସପ୍ତାହ ଭୁବନେଶ୍ବର ଶୀର୍ଷରେ ଥିଲା। ଶେଷ ଦୁଇ ସପ୍ତାହ ସ୍ଥିର ଥିଲା। ଅକ୍ଟୋବର ପ୍ରଥମ ସପ୍ତାହ ପରେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଲା। ଏବେ ଏହା ଶହେ ତଳକୁ ଆସିଛି। ରାଜଧାନୀବାସୀ ସଚେତନ ହେବାରୁ, ବିଭିନ୍ନ ବ୍ୟବସାୟୀ କରୋନା କଟକଣା ମାନିବାରୁ, ଧର୍ମାନୁଷ୍ଠାନ, ସଭାସମିତି, ଶିକ୍ଷାନୁଷ୍ଠାନ ଆଦି ବନ୍ଦ ଥିବାରୁ ଲୋକଙ୍କ ଗହଳି ହୋଇନି। ତେଣୁ ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି। ଜୁଲାଇ ମାସରେ ଯେଉଁ ଭଳି କରୋନା ବଢ଼ୁଥିଲା ଏବେ ସେହିଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ସେତେବେଳେ ଯେମିତି ଆକ୍ରାନ୍ତ ଚିହ୍ନଟ ହେଉଥିଲେ ଏବେ ସେମିତି ହେଉଛନ୍ତି। ତେଣୁ ସ୍ଥିତି ଏକରକମ ନିୟନ୍ତ୍ରଣରେ ଅଛି ବୋଲି କୁହାଯାଇପାରିବ।

ଏବେ ରାଜଧାନୀରେ ଲୋକ ବେଶୀ କରୋନା ପରୀକ୍ଷା କରୁନାହାନ୍ତି। ଯେଉଁମାନଙ୍କର ଥଣ୍ଡା ଜ୍ବର ହେଉଛି ବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ବୋଲି ଜାଣୁଛନ୍ତି ବା ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆସୁଛନ୍ତି ସେମା‌ନଙ୍କର କରୋନା ପରୀକ୍ଷା ହେଉଛି। ସେଥିରୁ ଯାହା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ତିନି ଦିନରେ ୬୨୩୩ ଜଣଙ୍କର କରୋନା ପରୀକ୍ଷା ହୋଇଛି। ୨୪ ତାରିଖରେ ୨୫୪୭ ଜଣଙ୍କର, ୨୫ ତାରିଖରେ ୨୨୫୩ଜଣଙ୍କର ଏବଂ ୨୬ତାରିଖରେ ୧୪୩୩ଜଣଙ୍କର କରୋନା ପରୀକ୍ଷା ହୋଇଛି। ୨୬ ତାରିଖରେ ସବୁଠୁ କମ୍‌ କରୋନା ପରୀକ୍ଷା ହେବାର କାରଣ ହେଲା ଦଶହରା ଛୁଟି ଥିବାରୁ ଲୋକ କରୋନା ପରୀକ୍ଷା ଆସି ନଥିବା ଭାବୁଛୁ। ବିଏମ୍‌ସି ପକ୍ଷରୁ କିନ୍ତୁ ରାଜଧାନୀରେ କରୋନା ପରୀକ୍ଷା କମାଯାଇନି। ଯେତେ ଲୋକ ଆସିଲେ ବି ପରୀକ୍ଷା ହେବ ବୋଲି ଉକ୍ତ ଅଧିକାରୀ କହିଛନ୍ତି।

ବାଲିଅନ୍ତାରେ ଦୁଇ ସଂକ୍ରମିତଙ୍କ ମୃତ୍ୟୁ,
ସଂଖ୍ୟା ୨୩ ଛୁଇଁଲା
ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ଅଞ୍ଚଳରେ କରୋନା ଆଉ ୨ଜଣ ସଂକ୍ରମିତଙ୍କ ପ୍ରାଣ ନେଇଛି। ମୃତକ ହେଲେ, ଉକ୍ତ ବ୍ଲକ୍‌ ଭିଙ୍ଗାରପୁର ପଞ୍ଚାୟତ ରାଧାମୋହନ ଉପ୍ରା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତ ନଳିନୀ ଦାସ (୫୧)। ସେହିପରି ସ୍ଥାନୀୟ ପାଟଣା ଗ୍ରାମର ଆଉ ଜଣେ ୫୦ ବର୍ଷୀୟ ଚାଷୀଙ୍କର ମୃତ୍ୟୁ ହୋଇଛି। ଗତ ସପ୍ତାହରେ କରୋନା ଲକ୍ଷଣ ଦେଖାଦେବାରୁ ପରିବାରଲୋକ କୋଭିଡ୍‌ ହସ୍ପିଟାଲକୁ ନେଇଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବିଏମ୍‌ସି ସ୍ବର୍ଗରଥ ପହଞ୍ଚି ୨ ମୃତକଙ୍କୁ ସତ୍ୟନଗର ଶ୍ମଶାନରେ ସତ୍କାର କରାଇଥିଲା। ୩୪ ବର୍ଷ ଧରି ଶିକ୍ଷକତା ଜୀବନ ଭିତରେ ଶ୍ରୀମତୀ ଦାସ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ପ୍ରିୟଭାଜନ ହୋଇପାରିଥିଲେ। ସୂଚନା ମୁତାବକ, ନଳିନୀ ଦୀର୍ଘ ଦିନ ଧରି ଜ୍ବରରେ ପୀଡ଼ିତ ଥିଲେ। ପରିବାର ଲୋକ ଚିକିତ୍ସା ଲାଗି ତାଙ୍କୁ ୧୭ ତାରିଖରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ସେଠାରେ ସ୍ବାବ୍‌ ପରୀକ୍ଷା କରାଇବାରୁ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମୃତ୍ୟୁରେ ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ଭିଙ୍ଗାରପୁର ପଞ୍ଚାୟତରେ କରୋନାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ପ୍ରଥମ ଘଟଣା ହୋଇଥିବା ବେଳେ ବାଲିଅନ୍ତା ପଞ୍ଚାୟତରେ ଏହା ତୃତୀୟ ଘଟଣା। ସେହିପରି ଏହି ୨ଜଣଙ୍କ ମୃତ୍ୟୁକୁ ମିଶାଇଲେ ବ୍ଲକରେ ମୃତ୍ୟୁ ସଂଖ୍ୟା ୨୩ ଛୁଇଁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆଜି ବାଲିଅନ୍ତା ତହସିଲ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଆଜି ତହସିଲ କାର୍ଯ୍ୟାଳୟକୁ ସାନିଟାଇଜ୍‌ କରାଯାଇଥିବା ସ୍ଥାନୀୟ ଅଗ୍ନିଶମ ସେବା କେନ୍ଦ୍ର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ରାଜଧାନୀରେ ଶ‌ହେ ତଳକୁ ଖସିଲା ସଂକ୍ରମଣ, ଦିନକରେ ୮୮ ପଜିଟିଭ୍, ୪ ମୃତ
ଭୁବନେଶ୍ବର: ରାଜଧାନୀରେ ଦୈନିକ କରୋନା ସଂକ୍ରମଣ ଶହେ ତଳକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ୮୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶେଷଥର ଲାଗି ଗତ ଜୁଲାଇ ୨୨ ତାରିଖରେ ରାଜଧାନୀରେ ଶହେ ତଳକୁ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗୋଟିଏ ପଟେ ରାଜଧାନୀରେ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢ଼ି ଚାଲିଛି। ଆଜି ରାଜଧାନୀରେ ୪ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ୪ ମୃତକ ସମସ୍ତେ ପୁରୁଷ ଥିବା ବେଳେ ସେମାନଙ୍କ ବୟସ ୪୦, ୫୨, ୭୫ ଓ ୮୬ ବର୍ଷ ରହିଛି। ଫଳରେ ସମୁଦାୟ ମୃତକଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି। ଖୋର୍ଧା ଗ୍ରାମାଞ୍ଚଳରେ ୬୧ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଚିହ୍ନଟ ୮୮ ଆକ୍ରାନ୍ତଙ୍କ ମଧ୍ୟରେ ୧୭ଜଣ ସଙ୍ଗରୋଧରୁ ଓ ୭୧ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଅଶୋକ ନଗର, ଚନ୍ଦ୍ରଶେଖରପୁର, ବରମୁଣ୍ଡା, ଖାରବେଳ ନଗର, ରସୁଲଗଡ଼, ପାତ୍ରପଡ଼ା ଅଞ୍ଚଳରୁ ସଙ୍ଗରୋଧରୁ ଆକ୍ରାନ୍ତ ବାହାରିଛନ୍ତି। ଅପରପକ୍ଷରେ ଡୁମୁଡୁମା, ଗଙ୍ଗନଗର, ଆଚାର୍ଯ୍ୟ ବିହାର, ବଡ଼ଗଡ଼, ଭୀମଟାଙ୍ଗୀ, ବିଜେବି ନଗର, ବମିଖାଲ, ମଧୁସୂଦନ ନଗର, ନହରକଣ୍ଟା, ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର, ପାହାଳ ଓ ଅନ୍ୟ ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୭୮୨କୁ ବୃଦ୍ଧି ପାଇଛି। ଅପରପକ୍ଷରେ ତହିଁରୁ ୨୬,୬୦୭ଜଣ ସୁସ୍ଥ ହୋଇ ସାରିଛନ୍ତି। ଏହାସହ ରାଜଧାନୀରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୯୯୬କୁ ଖସି ଆସିଛି।

 

ସମ୍ବନ୍ଧିତ ଖବର