ବିଏମ୍‌ସିରେ ‘୩-ଟି’: ସ୍କୁଲରେ ଆରମ୍ଭ ହେଲା କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର : କରୋନା ମୁକାବିଲାକୁ ଆହୁରି ସଦୃଢ଼ କରିବା ପାଇଁ ବିଏମ୍‌ସି ‘୩-ଟି’ ବ୍ୟବସ୍ଥା ଶୁଭାରମ୍ଭ କରିଛି। ‘ଟେଷ୍ଟିଂ, ଟ୍ରେସିଂ ଟ୍ରିଟ୍‌ମେଣ୍ଟ’ ବ୍ୟବସ୍ଥାକୁ ମଜବୁତ୍‌ କରିବା ପାଇଁ ପ୍ରତ୍ୟେକ ସ୍କୁଲରେ ନମୁନା ପରୀକ୍ଷା ଆରମ୍ଭ କରିଛି। ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯାଉଛି। ୩ଟି ୱାର୍ଡରେ ଗୋଟିଏ ଲେଖାଏ ସ୍ବତନ୍ତ୍ର ଟିମ୍‌ ସ୍କୁଲ୍‌କୁ ଯାଇ ନମୁନା ସଂଗ୍ରହ କରୁଛି। ପ୍ରଥମେ ରାପିଡ୍‌-ଆଣ୍ଟିଜେନ୍‌ ପରୀକ୍ଷା କରାଯିବା ପରେ ଆବଶ୍ୟକ ପଡ଼ିଲେ ଆର୍‌ଟିପିସିଆର ହେଉଛି। ଓମିକ୍ରନ୍‌ ଭାରିଏଣ୍ଟ ଦେଶରେ ଚିହ୍ନଟ ହେବା ପରେ ଆଗକୁ ଯେଭଳି କରୋନା ନ ବ୍ୟାପିବ ସେଥିପାଇଁ ବିଏମ୍‌ସି ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଥିବା କମିସନର ସଞ୍ଜୟ ସିଂହ କହିଛନ୍ତି।

ଏଭଳି ନିର୍ଦ୍ଦେଶ ମିଳିବା ପରେ ବିଭିନ୍ନ ଜୋନ୍‌ର ଜେଡ୍‌ଡିସି ପୁରନ୍ଦର ନନ୍ଦ, ମହେନ୍ଦ୍ର ବଢ଼େଇ ଓ ରବି ନାରାୟଣ ଜେଠୀ ପ୍ରମୁଖ ଟେଷ୍ଟିଂ କ୍ୟାମ୍ପ ବୁଲି ଏହି ପରୀକ୍ଷା ନିଶ୍ଚିତ କରୁଛନ୍ତି। ଅନେକ ସମୟରେ ଛାତ୍ରଛାତ୍ରୀ ଅନୁପସ୍ଥିତ ରହୁଥିବା ଦେଖାଯାଉଛି। ଏଣୁ ସେମାନେ ସ୍କୁଲ ଆସିବା ପରେ ଆଉ ଥରେ ଟିମ୍‌ ଯାଇ ପରୀକ୍ଷା କରିବା ପାଇଁ ଜେଡ୍‌ଡିସିମାନେ ବ୍ୟବସ୍ଥା କରୁଛନ୍ତି। ଜଣେ ହେଲେ ଛାତ୍ର ଯେଭଳି ବାଦ୍‌ ନପଡ଼ିବେ ସେ ନେଇ ନିଶ୍ଚିତ କରୁଛନ୍ତି।

ଉତ୍ତର ଜୋନ୍‌ରେ ରସୁଲଗଡ଼ ଓ ନୂଆପଲ୍ଲୀ ଆଶ୍ରମ ସ୍କୁଲ୍‌, ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଆଇଏଚ୍‌ଏମ୍‌, ନହରକଣ୍ଟା ବିଜୁ ପଟ୍ଟନାୟକ କଲେଜ୍‌, ଜିଜିପି କଲୋନି ହାଇସ୍କୁଲ, ଭିଏସ୍‌ଏସ୍‌ନଗର ହାଇସ୍କୁଲ ପ୍ରଭୃତିରେ କ୍ୟାମ୍ପ କରାଯାଇଥିବା ବେଳେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ମହର୍ଷି କଲେଜ ଅଫ୍ ନ୍ୟାଚୁରାଲ ଲ, ୟୁନିଟ-୯ ବାଳକ ହାଇସ୍କୁଲ, ବଡ଼ଗଡ଼ ଓ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୮ ଡିଏଭି, ଆଇଆରସି ଭିଲେଜ୍‌ ହାଇସ୍କୁଲ, ନୂଆପଲ୍ଲୀ ସରସ୍ବତୀ ଶିଶୁମନ୍ଦିର, ତପୋବନ ହାଇସ୍କୁଲ, ପାଇକନଗର ହାଇସ୍କୁଲ, ପ୍ରଭୃତିରେ ୧ହଜାର ୫ଶହ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଅଦ୍ୟାବଧି କାହାର ପଜିଟିଭ୍‌ ଆସିନଥିବା ବିଏମ୍‌ସି କହିଛି।

ଯେଉଁମାନଙ୍କର ଲକ୍ଷଣ ରହିଛି ସେମାନଙ୍କୁ ସଙ୍ଗରୋଧରେ ରଖିବା ପାଇଁ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ଓ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କର ନମୁନା ପାରୀକ୍ଷା କରାଯାଉଛି। ଏଭଳି ସୂଚନା ମିଳିଲେ ତୁରନ୍ତ ବିଏମ୍‌ସି କିମ୍ବା ନିକଟସ୍ଥ ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରିବାକୁ କର୍ତ୍ତୃପକ୍ଷଙ୍କୁ ବିଏମ୍‌ସି ପରାମର୍ଶ ଦେଇଛି। ଏହାଛଡ଼ା ଆଦିବାସୀ ହଷ୍ଟେଲ୍‌, ବିଭିନ୍ନ ଅଫିସ୍‌ ସହ ଘରୋଇ ସଂଗଠନ, ମାର୍କେଟ୍‌ ଓ ଆପାର୍ଟମେଣ୍ଟରେ ଏଭଳି ପରୀକ୍ଷା ନିୟମିତ ଚାଲିଛି।

ଉଲ୍ଲେଖଯୋଗ୍ୟ, ଜୁଲାଇ ମାସରୁ ଦଶମ ଶ୍ରେଣୀ ଖୋଲିଥିବା ବେଳେ ଅକ୍ଟୋବରରୁ ଏକାଦଶ, ଅଷ୍ଟମ, ନଭେମ୍ବରରୁ ଷଷ୍ଠ ଓ ୭ମ ଖୋଲିଛି। ସମସ୍ତ ଛାତ୍ରଛାତ୍ରୀଙ୍କର ଯେଭଳି ପରୀକ୍ଷା ହେବ ସେ‌ନେଇ ବିଏମ୍‌ସି ନଜର ରଖିଥିବା କହିଛି। ଅନ୍ୟପଟେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଏମ୍‌ସି ପକ୍ଷରୁ ଏକ ଟେଷ୍ଟିଂ କିଓସ୍କ ସ୍ଥାପନା କରାଯାଇଛି। ବାହାରୁ ଆସୁଥିବା ଯାତ୍ରୀଙ୍କର ଘଟଣାସ୍ଥଳରେ ପରୀକ୍ଷା କରାଯାଉଛି।

ସମ୍ବନ୍ଧିତ ଖବର