ଚନ୍ଦ୍ରଶେଖରପୁର : ରାଜଧାନୀ ଉପକଣ୍ଠ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀର ପଟିଆ ଓ ରଘୁନାଥପୁର ଅଞ୍ଚଳରୁ ଆରମ୍ଭ ହୋଇଛି କରୋନା ସ୍କ୍ରିନିଂ ଓ ସର୍ଭେ। ଏହି କାର୍ଯ୍ୟକ୍ରମକୁ ଭଲ ଭାବେ ପରିଚାଳନା କରିବା ପାଇଁ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ସ୍ବାସ୍ଥ୍ୟକର୍ମୀଙ୍କ ସହଯୋଗରେ ଗଠିତ ହୋଇଛି କିଛି ଦଳ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଗୁରୁବାର ସ୍ବାସ୍ଥ୍ୟକର୍ମୀ ଦଳଗୁଡ଼ିକ ସ୍ବତନ୍ତ୍ର ଆମ୍ବୁଲାନ୍ସ୍ ଯୋଗେ ପଟିଆ ଓ ରଘୁନାଥପୁର ଅଞ୍ଚଳର ବିଭିନ୍ନ ସାହିରେ ପହଞ୍ଚି କରୋନା ସର୍ଭେ ଓ ସ୍କ୍ରିନିଂ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀମାନଙ୍କୁ କରୋନା ସଂକ୍ରମଣ ବିଷୟରେ ସବିଶେଷ ବିବରଣୀ ଦିଆଯିବା ସହ ସ୍ବାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଲୋକମାନଙ୍କ ସ୍କ୍ରିନିଂ କରିଛନ୍ତି। ଯେଉଁମାନଙ୍କୁ ସାମାନ୍ୟ ଜ୍ବର, ଥଣ୍ଡା, କଫ କିମ୍ବା ଦେହ ଘୋଳାବିନ୍ଧା ହେଉଥିବା ଲକ୍ଷଣ ଦେଖାଯାଉଛି, ସେମାନଙ୍କୁ ସ୍ବତନ୍ତ୍ର ଭାବେ ଶରୀରର ତାପମାତ୍ରା ଓ ଅନ୍ୟାନ୍ୟ ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଆଜି ପ୍ରଥମ ଦିନରେ ଅଳ୍ପ କେତକେ ସାହି ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତଙ୍କ ସ୍କ୍ରିନିଂ କରାଯିବ ବୋଲି ଉପସ୍ଥିତ ଡାକ୍ତର ଦଳ ପ୍ରକାଶ କରିଛନ୍ତି। ଏହି ସମୟରେ ଗ୍ରାମବାସୀମାନେ ସ୍ବେଚ୍ଛାକୃତଭାବେ ଘରୁ ବାହାରି ନିଜ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ସାମାଜିକ ଦୂରତା ରକ୍ଷାକରି ମୁହଁରେ ମାସ୍କ କିମ୍ବା ରୁମାଲ ଦେଇ ପରୀକ୍ଷା କରାଇଥିଲେ। ଆବଶ୍ୟକ ସ୍ଥଳେ ବିଭିନ୍ନ ସନ୍ଦିଗ୍ଧ ରୋଗୀଙ୍କ ନମୁନା ସଂଗ୍ରହ କରିଛନ୍ତି ସ୍ବାସ୍ଥ୍ୟକର୍ମୀ। ସ୍କ୍ରିନିଂ ସମୟରେ ସ୍ବାସ୍ଥ୍ୟକର୍ମୀମାନେ ଗ୍ରାମବାସୀଙ୍କୁ ସାମାଜିକ ଦୂରତା ରକ୍ଷା କରିବା ଓ କରୋନା ସଂକ୍ରାନ୍ତ ସମସ୍ତ ସରକାରୀ ନିର୍ଦ୍ଦେଶଗୁଡ଼ିକୁ ନିଷ୍ଠାପର ସହ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ହେଲଥ୍ ସୁପରଭାଇଜର ଦିଲ୍ଲୀପ ମହନ୍ତ ଓ ସ୍ବାସ୍ଥ୍ୟକର୍ମୀ ମହେଶ ସାହୁ ପ୍ରମୁଖ ସାମିଲ ହୋଇଥିଲେ।
ଗ୍ରାମାଞ୍ଚଳରେ ଆରମ୍ଭ ହେଲା କରୋନା ସ୍କ୍ରିନିଂ ଓ ସର୍ଭେ
/sambad/media/post_attachments/wp-content/uploads/2020/04/corona-survey-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)