ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଲକ୍ଡାଉନ୍ ପୂର୍ବରୁ ରାଜଧାନୀର ସମସ୍ତ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା। ଜନ ସମାବେଶ ଉପରେ ରୋକ୍ ଲଗାଇବାକୁ ଯାଇ ସମସ୍ତ ମଣ୍ଡପ ଓ ପ୍ରେକ୍ଷାଳୟରେ ତାଲା ଝୁଲିଲା। ପ୍ରାୟ ୬ ମାସ ହୋଇଯାଇଥିଲେ ବି ଏଯାଏ ମଣ୍ଡପଗୁଡ଼ିକ ଖୋଲିନି କି କାର୍ଯ୍ୟକ୍ରମ ଆୟୋଜନର ଅନୁମତି ମିଳିନାହିଁ। ଅଗଷ୍ଟ ୩୧ ତାରିଖର ଅନ୍ଲକ୍ ୪.୦ର ଗାଇଡ୍ଲାଇନ୍ ଅନୁଯାୟୀ ଆସନ୍ତା ୨୧ ତାରିଖରେ ମୁକ୍ତାକାଶ ପ୍ରେକ୍ଷାଳୟଗୁଡ଼ିକ ଖୋଲିପାରିବ। କରୋନା କଟକଣାକୁ ମାନି ୧୦୦ ଲୋକଙ୍କୁ ନେଇ ସାଂସ୍କୃତିକ, ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ। କିନ୍ତୁ ଅନ୍ୟପଟେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମରେ ରୋକ୍ ଲଗାଯାଇଛି। ଗୋଟିଏ ପଟେ ସରକାରଙ୍କ ଗାଇଡ୍ଲାଇନ୍ ଦ୍ବନ୍ଦ୍ବ ସୃଷ୍ଟି କରୁଥିବା ବେଳେ ସହରରେ ମୁକ୍ତାକାଶ ପ୍ରେକ୍ଷାଳୟର ଅଭାବ ଆୟୋଜକମାନଙ୍କୁ ଚିନ୍ତାରେ ପକାଇଛି। ୨୧ ତାରିଖରେ ମୁକ୍ତାକାଶ ପ୍ରେକ୍ଷାଳୟ ଖୋଲିବା ନେଇ ସଂସ୍କୃତି ବିଭାଗ ଅଧୀନରେ ଥିବା ଏକ ମାତ୍ର ମୁକ୍ତାକାଶ ପ୍ରେକ୍ଷାଳୟ ‘ଉତ୍କଳ ମଣ୍ଡପ’ ଖୋଲିବା ନେଇ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ସେହିପରି ଏକାମ୍ର ହାଟ ନବୀକରଣ କାର୍ଯ୍ୟ ଚାଲିଥିବାରୁ ଏହା ଭଡ଼ା ସୂତ୍ରରେ ଦିଆଯାଇପାରିବ ନାହିଁ। ଏଣୁ ୨୧ରେ କିପରି ମୁକ୍ତାକାଶ ପ୍ରେକ୍ଷାଳୟ ଖୋଲିବ ଏବଂ ଖୋଲିଲେ ବି କରୋନା ଭୟରେ କାର୍ଯ୍ୟକ୍ରମକୁ ଲୋକେ ଆସିବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସହରରେ ମାତ୍ର ଦୁଇଟି ମୁକ୍ତାକାଶ ପ୍ରେକ୍ଷାଳୟ ରହିଛି। ଗୋଟିଏ ହେଉଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ‘ଉତ୍କଳ ମଣ୍ଡପ’ ଓ ଦ୍ବିତୀୟଟି ହେଉଛି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଥିବା ‘ଏକାମ୍ର ହାଟ’। ଏବେ ଏକାମ୍ର ହାଟର ନବୀକରଣ କାର୍ଯ୍ୟ ଚାଲିଛି। ଏଣେ ଉତ୍କଳ ମଣ୍ଡପର କ୍ଷମତା ପ୍ରାୟ ୩ ହଜାର ହୋଇଥିବା ବେଳେ ଏହାର ଭଡ଼ା ୧୩ ହଜାରରୁ ୧୮ ହଜାର ମଧ୍ୟରେ ରହିଛି। କରୋନା କଟକଣାକୁ ମାନି ମାତ୍ର ୧୦୦ ଜଣକୁ ନେଇ ଏତେ ବଡ଼ ପ୍ରେକ୍ଷାଳୟରେ ମୋଟା ଅଙ୍କର ଭଡ଼ା ଦେଇ କାର୍ଯ୍ୟକ୍ରମ କରିବାକୁ ଆୟୋଜକମାନେ ଅମଙ୍ଗ।
ଉତ୍କଳ ମଣ୍ଡପର ତତ୍ତ୍ବାବଧାରକ ପ୍ରମୋଦ କୁମାର ବିଶ୍ବାଳ କହିଛନ୍ତି, ଅନ୍ଲକ୍ ୪.୦ ଗାଇଡ୍ଲାଇନ୍ ଅନୁଯାୟୀ ୨୧ ତାରିଖରୁ ମୁକ୍ତାକାଶ ପ୍ରେକ୍ଷାଳୟ ଖୋଲିବ ବୋଲି କୁହାଯାଇଛି। କିନ୍ତୁ ସଂସ୍କୃତି ବିଭାଗ ପକ୍ଷରୁ ଏଯାଏଁ ଉତ୍କଳ ମଣ୍ଡପ ଖୋଲିବା କିମ୍ବା କାର୍ଯ୍ୟକ୍ରମ ପାଇଁ ଭଡ଼ା ଦେବାନେଇ କୌଣସି ନୋଟିସ୍ ଜାରି କରାଯାଇନାହିଁ। ଆହୁରି ୧୦ ଦିନ ସମୟ ରହିଛି। ନୋଟିସ ଆସିଲେ କରୋନା କଟକଣାକୁ ନଜରରେ ରଖି ବୁକିଂ ରଖାଯିବ। ଅନ୍ୟପକ୍ଷରେ କୌଣସି ଆୟୋଜକ ମଧ୍ୟ କାର୍ଯ୍ୟକ୍ରମ ପାଇଁ ମଣ୍ଡପ ବୁକିଂ ନେଇ ବରାଦ କରିନାହାନ୍ତି ବୋଲି ସେ କହିଛନ୍ତି।
ଏ ପରିସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜନ ବାସ୍ତବଧର୍ମୀ ନୁହେଁ
କରୋନା ବିସ୍ଫୋରକ ରୂପ ନେଇଛି। ଲୋକଙ୍କ ମନରେ ଭୟ ଓ ଶଙ୍କା ଭରି ରହିଛି। ଏଭଳି ସମୟରେ ପ୍ରେକ୍ଷାଳୟ ଖୋଲିଲେ କାର୍ଯ୍ୟକ୍ରମ କରିବା ସମ୍ଭବ ନୁହେଁ କି ଏହା ସଫଳ ହେବ ନାହିଁ। ଅନ୍ୟ ପକ୍ଷରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଭିତ୍ତିଭୂମି ଆବଶ୍ୟକ। ଯାହା କି ରବୀନ୍ଦ୍ରମଣ୍ଡପ ଓ ଭଞ୍ଜକଳାମଣ୍ଡପ ଭଳି ପ୍ରେକ୍ଷାଳୟରେ ରହିଛି। ରବୀନ୍ଦ୍ର ମଣ୍ଡପରେ ନୃତ୍ୟ କିମ୍ବା ନାଟ୍ୟ କାର୍ଯ୍ୟକ୍ରମ କଲେ ଆବଶ୍ୟକୀୟ ସରଞ୍ଜାମ ଖଞ୍ଜିବାରେ ଯେଉଁଠି ୫ ହଜାର ଟଙ୍କା ଲାଗିବ ଉତ୍କଳ ମଣ୍ଡପରେ ସେଥିପାଇଁ ୧୫ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏତେ ଟଙ୍କା ଓ ଏତେ କଷ୍ଟରେ କାର୍ଯ୍ୟକ୍ରମ ଆୟୋଜନ କଲେ ବି ଏ କରୋନା ଭୟରେ ୧୦୦ଟା ଲୋକ ହେବା କଷ୍ଟକର ହୋଇଯିବ। ଏଣୁ ଏଭଳି ପରିସ୍ଥିତି କାର୍ଯ୍ୟକ୍ରମ ଆୟୋଜନ ବାସ୍ତବଧର୍ମୀ ନୁହେଁ।
ରତିକାନ୍ତ ମହାପାତ୍ର
ଓଡ଼ିଶୀ ନୃତ୍ୟଗୁରୁ
ଦର୍ଶକ ବିନା ନାଟକ ପରିବେଷଣ ଅର୍ଥହୀନ
ନାଟକର ମୁଖ୍ୟ ଦର୍ଶକ ହେଉଛନ୍ତି ବୟସ୍କ ଓ ବୁଦ୍ଧିଜୀବୀ ବର୍ଗ। କରୋନାର ଏହି ବିସ୍ଫୋରକ ସ୍ଥିତିରେ ସେମାନେ କେବେ ବି ନାଟକ ଦେଖିବାକୁ ଆସିବେ ନାହିଁ। ୫% ଦର୍ଶକ ପାଇବା ବି କଷ୍ଟକର ହୋଇପଡ଼ିବ। ନାଟକ ହେଉଛି ଏକ ଦଳର କଳା ପ୍ରଦର୍ଶନ। ଗୋଟିଏ ଲୋକକୁ ନେଇ ନାଟକ ତ’ ସମ୍ଭବ ନୁହେଁ। କଳାକାରମାନଙ୍କୁ ଏକାଠି କରିବୁ, ବାରମ୍ବାର ଅଭ୍ୟାସ କରିବୁ ଓ ନାଟକ ପରିବେଶଷ କରିବୁ। କିନ୍ତୁ ଦର୍ଶକଙ୍କ ତାଳି ପ୍ରେକ୍ଷାଳୟରେ ଗୁଞ୍ଜରିତ ହେବନାହିଁ। ଏଡ଼େ ବଡ଼ ପ୍ରେକ୍ଷାଳୟରେ ବିନା ଦର୍ଶକରେ ନାଟକ ପରିବେଷଣ କେମିତି କରିବୁ।
ମନୋଜ ପଟ୍ଟନାୟକ, ସଭାପତି, ମନନ ନାଟ୍ୟ ସଂସ୍ଥା
୧୦୦ ଲୋକରେ କାର୍ଯ୍ୟକ୍ରମ ସମ୍ଭବ ନୁହେଁ
କଳାକାର ପାଇଁ କରତାଳି ହେଉଛି ଶକ୍ତି ଓ ପ୍ରଶଂସା। କିନ୍ତୁ ଗାଇଡ୍ଲାଇନ୍ ଅନୁଯାୟୀ ମାତ୍ର ୧୦୦ ଲୋକରେ କାର୍ଯ୍ୟକ୍ରମ କରାଯିବ। ୧୦୦ ଜଣରୁ ଆୟୋଜକ ଦଳର ସଂଖ୍ୟା ୨୦। ବାକି ୮୦ ଜଣରୁ ୫୦ ଜଣ ଯଦିଓ ସ୍ଥିର ଭାବେ ବସିବେ ୨୦ରୁ ୩୦ ଜଣ ଯା’ଆସ କରିବେ। ଉତ୍କଳ ମଣ୍ଡପ ଭଳି ଏଡ଼େ ବଡ଼ ପ୍ରେୟକ୍ଷାଳରେ ମାତ୍ର ୫୦ ଜଣକ ଆଗରେ କଳାକାର ତା’ର କଳା ପ୍ରଦର୍ଶନ କରିବା ବାସ୍ତବରେ ସମ୍ଭବ ନୁହେଁ। ଏଣେ ବର୍ଷା ହେବାର ସମ୍ଭାବନା ରହିଛି। ପୁଣି ୬ ମାସ ଧରି ପ୍ରେକ୍ଷାଳୟ ବନ୍ଦ ଥିବାରୁ ଆବଶ୍ୟକୀୟ ଭିତ୍ତିଭୂମି କାର୍ଯ୍ୟକ୍ଷମ ଅଛି କି ନାହିଁ ତାହା ବି ବିଚାରଯୋଗ୍ୟ। ଏଣୁ ମୁକ୍ତିକାଶ ପ୍ରେକ୍ଷାଳୟ ଖୋଲିବା ଭଳି ସରକାରଙ୍କ ନିଷ୍ପତି ସନ୍ତୋଷଜନକ କିମ୍ବା ବାସ୍ତବଧର୍ମୀ ନୁହେଁ।
ଶ୍ରୀନିବାସ ଘଟୁଆରୀ, କାର୍ଯ୍ୟକ୍ରମ ସଂଯୋଜକ