କରୋନା କଟକଣା ବଦଳାଇ ଦେଇଛି ଜୀବନ ଜିଇଁବାର ଢଙ୍ଗ

ଭୁବନେଶ୍ବର : ଏଇ କେଇଦିନ ମଧ୍ୟ‌ରେ ବଦଳି ଯାଇଛି ଜୀବନ। ଯେମିତି ସୀମିତ ହେଇଯାଇଛି ଜିଇଁବାର ଧାରା। ନା ଖଟି ତାମସା, ନା ଏକାଠି ସିନେମା ଦେଖାର ମଜା। ନା ସଭା ସମିତି ନା ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିବାର ଅବକାଶ। ଯେଉଁଠି ରାତି ପାହିବାଠୁ ରାତି ନଇଁବା ପର୍ଯ୍ୟନ୍ତ କୋଳାହଳରେ ସହର ଫାଟିପଡ଼େ, ସେଠି ଆଜି ଏକ ଅଜବ ନିରବତା। ମାତ୍ର ଜୀବନରେ ଯେ ଏମିତି ବ୍ରେକ୍‌ ଆସେ, ତାହା ମଣିଷକୁ ସ୍ବୀକାର କରିବାକୁ ପଡ଼ିବ। ସରକାର ଯେତେବେଳେ ୮ ଦିନିଆ ତାଲା ବନ୍ଦ ଘୋଷଣା କରିଛନ୍ତି, ସେତେବେଳେ ଏହି ଗୃହବନ୍ଦୀ କଥା ମଣିଷକୁ ଆହୁରି ଚିନ୍ତିତ କରିପକାଇଛି।

ଏହି ତାଲା ବନ୍ଦକୁ ମଣିଷ ଯେପରି ସକାରାତ୍ମକ ଭାବେ ନେବ ଏବଂ ନିଜ ପରିବାର ସହ ସମୟ କାଟିବାର ନିଆରା ଅବକାଶକୁ ଉପ‌ଭୋଗ କରିବ ସେ ବାବଦରେ ମନସ୍ତତ୍ତ୍ବବିତ୍‌ମାନେ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଇରିସ ଫ୍ରେଞ୍ଚ କ୍ୟାଥଲିକ କବି କ୍ୟାଥଲିନ ଓ ମିରାଙ୍କ ‘ଆଣ୍ଡ୍‌ ପିପୁଲ ଷ୍ଟେଡ୍‌ ହୋମ୍‌’ କବିତାର ପଙ୍କ୍ତି ମନେପଡ଼ିଛି। ଲୋକେ ଘରେ ରହି ବହି ପଢ଼ିବେ, ବିଶ୍ରାମ ନେବେ, ବ୍ୟାୟାମ କରିବେ, କଳା ଚାତୁରି ପ୍ରଦର୍ଶନ ସହ ଖେଳିବେ ଏବଂ କିଛି ବ୍ୟକ୍ତି ଧ୍ୟାନ କରିବେ, ପ୍ରାର୍ଥନା କରିବେ, ନୃତ୍ୟ କରିବେ ଓ ନିଜ ଛାଇକୁ ଭେଟିବେ। ଯେବେ ପୁଣି ବିପତ୍ତି ହଟିଯିବ ପୁଣି ଲୋକେ ପରସ୍ପରକୁ ଭେଟିବେ, ସ୍ବପ୍ନ ଦେଖିବେ ଏବଂ ନୂଆ ଜୀବନ ଆରମ୍ଭ କରିବେ ବୋଲି ସେ ଲେଖିଥିବା ବେଳେ ଆଜି ସେଇ ଉପଲବ୍ଧି ସାଉଁଟିବାର ବେଳ ଆସିଥିବା ମନସ୍ତତ୍ତ୍ବବିତ୍‌ମାନେ କହିଛନ୍ତି।

କଥାରେ ଅଛି ଶାନ୍ତିରେ ଜୀବନ ଜିଇଁବା ପାଇଁ ରାଜପ୍ରାସାଦ କିମ୍ବା ବଡ଼ ଘରର ଆବଶ୍ୟକତା ନାହିଁ, ବରଂ ଗୋଟେ ଭଲ ପରିବାରର ସମର୍ଥନ ମଣିଷକୁ ଖୁସିରେ ରଖିବାରେ ସହାୟକ ହୁଏ। ମହରଗ ଦୁନିଆରେ ମଣିଷ ନିଜର ସୁଖଦ ଜୀବନ ପାଇଁ ନିଜ ସମୟକୁ ବିକିବାରେ ବ୍ୟସ୍ତ। ବ୍ୟାଙ୍କ ବାଲାନ୍ସକୁ ବଢ଼ାଇବାରେ ବ୍ୟସ୍ତ। ମାତ୍ର ଏ ଭିତରେ ଯେ ସେ ନିଜର ସମସ୍ତ ସମୟ ବ୍ୟୟ କରିଚାଲିଛି ତାହା ତାକୁ ମାଲୁମ ନାହିଁ। କରୋନା ଅନ୍ତତଃ ମଣିଷମାନଙ୍କୁ ପରିବାର ସହ ବାନ୍ଧି ହୋଇ ରହିବାର ସୁଯୋଗ ଆଣିଦେଇଥିବାରୁ ଏଭଳି ଘଡ଼ିସନ୍ଧି ମୁହୂର୍ତରେ ଜୀବନକୁ ଠିକଣା ଢଙ୍ଗରେ କିଭଳି ବଞ୍ଚିପାରିବେ ସେନେଇ ପ୍ରଚେଷ୍ଟା କରାଯିବା ଉଚିତ ବୋଲି ସଂସ୍କୃତି ବିଶେଷଜ୍ଞ ଆଶିଷ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର