କରୋନା ଯାତନା : ଚେନ୍ନାଇରୁ ଫେରି ପାରିଲାନି ପୁଅ, ଭିଡିଓ କଲିଂରେ ଦେଖିଲେ ବାପାଙ୍କ ଶେଷକୃତ୍ୟ

ଚନ୍ଦ୍ରଶେଖରପୁର : ‌ସାନ ‌ପୁଅ ବୋଲି, ସେ ଥିଲେ ବାପାଙ୍କର ଅତି ଗେହ୍ଲା। ଖାସ୍‌ ସେଇଥିପାଇଁ ଶେଷ ନିଃଶ୍ବାସ ନେଉଥିବା ବ‌େଳେ ବାପା ହଜାରୀ ପ୍ରଧାନ କହିଲେ, ମୋ’ ସାନପୁଅକୁ ଡାକ, ତାକୁ ଟିକେ ଦେଖିବି। ଖବର ପାଇବା କ୍ଷଣି ଚେନ୍ନାଇରେ ଚାକିରି କରିଥିବା ସୁକାନ୍ତ ଓଡ଼ିଶା ଫେରିବାକୁ ଗାଡ଼ି ପାସ୍‌ ଯୋଗାଡ଼ରେ ଲାଗି ପଡ଼ିଥିଲେ। ହେଲେ କେଇଘଣ୍ଟା ପରେ ଖବର ପାଇଲେ, ତାଙ୍କ ବାପା ଆଉ ନାହାନ୍ତି। ଲକଡାଉନ୍‌ରେ ଗାଡ଼ି ମୋଟରର ଅବ୍ୟବସ୍ଥା ଓ ରାଜ୍ୟରେ ସୀମା ସିଲ୍‌ ଯୋଗୁଁ ‌ଶେଷରେ ଗେହ୍ଲା ପୁଅ ନିଜ ବାପାଙ୍କୁ ଶେଷ ସମୟରେ ବି ସଶରୀରେ ଦେଖିବାର ସୁଯୋଗ ପାଇପାରିଲା ନାହିଁ। କ‌ରୋନା ମହାମାରୀର ପ୍ରକୋପ ଯେ ଏତେ ଭୟଙ୍କର ହୋଇପାରେ, ତାହା ପରିଲକ୍ଷିତ ହୋଇଥିଲା ଚେନ୍ନାଇରେ ରହୁଥିବା ସୁକାନ୍ତ ପ୍ରଧାନଙ୍କ କ୍ଷେତ୍ରରେ।

ଗତକାଲି ବିଳମ୍ବିତ ରାତିରେ ସ୍ବାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ହଜାରୀ ପ୍ରଧାନ(୮୨)ଙ୍କ ତାଙ୍କ ଭୁବନେଶ୍ବର ୟୁନିଟ୍‌-୧ସ୍ଥିତ ବାସଭବନରେ ହୃଦ୍‌ଘାତ ହୋଇଥିଲା। ତେଣୁ ଶେଷସମୟରେ ହଜାରୀ ନିଜ ପୁଅ, ଝିଅମାନଙ୍କୁ ପାଖକୁ ଡକାଇଥିଲେ। ଇତିମଧ୍ୟରେ ତାଙ୍କ ବଡ଼ ପୁଅ ସୁଶୀଲ ପ୍ରଧାନ, ମଝିଆ ପୁଅ ସୁରେଶ ପ୍ରଧାନ ଓ ଝିଅମାନେ ତୁରନ୍ତ ନିକଟରେ ପହଞ୍ଚି ଯାଇଥିଲେ। କିନ୍ତୁ ସାନପୁଅ ସୁକାନ୍ତଙ୍କୁ ଖୋଜୁଥିବାରୁ ସୁକାନ୍ତକୁ ଡକରା ଯାଇଥିଲା। ଚେନ୍ନାଇରେ ଏକ ଘରୋଇ କମ୍ପାନିରେ ପ୍ରବନ୍ଧକ ଭାବେ କାର୍ଯ୍ୟରତ ସୁକାନ୍ତ ଓଡ଼ିଶା ଫେରିବାକୁ ଗାଡ଼ିର ପାସ୍‌ ପାଇବା ପାଇଁ ଲାଗିଥିଲେ। ମାତ୍ର କିଛି ସମୟ ପରେ ଭାଇମାନେ ବାପାଙ୍କ ମୃତ୍ୟୁ ଖବର ସୁକାନ୍ତକୁ ଜଣାଇଥିଲେ। ଓଡ଼ିଶା ସୀମା ସିଲ୍‌ ଯୋଗୁଁ ଶେଷରେ ଚେନ୍ନାଇରେ ରହି ବାପାଙ୍କୁ ସ୍ମୃତିଚାରଣ କରିବା ଛଡ଼ା ସୁକାନ୍ତଙ୍କ ପାଖେ ଆଉ କିଛି ଉପାୟ ନଥିଲା।

ଶେଷରେ ବାପାଙ୍କ ଶେଷକୃତ୍ୟ ଦେଖିବାକୁ କହିବାରୁ ଭିଡିଓ କଲିଂ ମାଧ୍ୟମରେ ସୁକାନ୍ତଙ୍କୁ ଶେଷକୃତ୍ୟ ଦୃଶ୍ୟ ଦେଖାଯାଇଥିଲା। ଶେଷକୃତ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ନିଜ ବାପାଙ୍କର ଅନ୍ତିମ ସଂସ୍କାର ଏହି ଭିଡିଓ କଲିଂ ମାଧ୍ୟମରେ ଦେଖିଥିଲେ। ନୟାଗଡ଼ ରଣପୁରସ୍ଥିତ ଦେଉଳି ଗ୍ରାମରେ ହଜାରୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ନିଜ ବାପାଙ୍କ ଶେଷ ଦର୍ଶନ କରି ପାରିନଥିବାରୁ ତାଙ୍କ ଅନ୍ତର କାନ୍ଦିଥିଲେ ବି ପରିସ୍ଥିତି ଆଗରେ ହାର୍‌ ମାନିଥିଲେ ସୁକାନ୍ତ।

ସମ୍ବନ୍ଧିତ ଖବର