ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା, ଲୋକ ଆସୁନାହାନ୍ତି

୯ କେନ୍ଦ୍ରରେ ୧୦୭ଜଣଙ୍କ ପରୀକ୍ଷା, ଆଜିଠୁ ଆଉ ୭ କେନ୍ଦ୍ରରେ

ଭୁବନେଶ୍ବର: ବିଏମ୍‌ସି ପକ୍ଷରୁ ସମସ୍ତ ପ୍ରମୁଖ ଘରୋଇ ହସ୍ପିଟାଲ ଓ ଲାବ୍‌ରେ କରୋନା ପରୀକ୍ଷା ସୁବିଧା କରାଯାଇଛି। ଏଠାରେ ଲୋକ ଟଙ୍କା ଦେଇ କରୋନା ପରୀକ୍ଷା କରିପାରିବେ। କିଛି ଲୋକ ଟଙ୍କା ଖର୍ଚ୍ଚ କରି ପରୀକ୍ଷା କରିବାକୁ ଚାହୁ ନଥିବାରୁ ଏବଂ ବିଏମ୍‌ସି ଅଧିକରୁ ଅଧିକ ଲୋକଙ୍କର କରୋନା ପରୀକ୍ଷା କରିବାକୁ ଯୋଜନା କରିଥିବାରୁ ଆଜିଠାରୁ ରାଜଧାନୀର ୬ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ତିନିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର‌ରେ ମାଗଣା କରୋନା ପରୀକ୍ଷା ଆରମ୍ଭ ହୋଇଛି। ହେଲେ ଆଶାନୁଯାୟୀ ଲୋକ କରୋନା ପରୀକ୍ଷା କରିବାକୁ ଆସିନାହାନ୍ତି।

ବିଏମ୍‌ସି ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ ସହାୟତାରେ ରାଜଧାନୀର ୬ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଯଥା ନୀଳାଦ୍ରିବିହାର, ପୋଖରୀପୁଟ, ସହିଦ୍‌ନଗର, ୟୁନିଟ-୩, ୟୁନିଟ-୮, ୟୁନିଟ-୯ରେ ଏବଂ ସହରାଞ୍ଚଳ ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯଥା ଡୁମଡୁମା, ପଟିଆ, ୟୁନିଟ-୪ରେ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା। ୯ଟି ଯାକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ସକାଳ ୮ଟାରୁ ଅପରାହ୍‌ଣ ୨ଟା ଯାଏ ଲୋକଙ୍କର ମାଗଣା ପରୀକ୍ଷା ହୋଇଥିଲେ ହେଁ ମାତ୍ର ୧୦୭ଜଣ ଆସିଥିଲେ। ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ରରେ ଅତି କମ୍‌ରେ ୫୦ଜଣଙ୍କର ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିରେ ୪୫୦ଜଣଙ୍କର ଆଜି କରୋନା ପରୀକ୍ଷା ହୋଇଥା’ନ୍ତା। କିନ୍ତୁ ମାତ୍ର ୧୦୭ଜଣ ଆସିଥି‌ଲେ। ବିଏମ୍‌ସି ମାଗଣ‌ାରେ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା କରିବ ବୋଲି ଲୋକଙ୍କୁ ଜଣାଇନି। କୌଣସି ପ୍ରକାରର ପ୍ରଚାର ପ୍ରସାର ବି କରିନି। ଏପରିକି ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ୱାର୍ଡ ଅଫିସର୍‌ମାନେ ବି ଲୋକଙ୍କୁ ଏନେଇ ଜଣାଇନାହାନ୍ତି। କେବଳ ଏତିକି ନୁହେଁ, ଏବେ କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ବହୁ ଆଡ଼େ ପ୍ରଚାର ହେଉଥିବାରୁ ଲୋକ ଭୟଭୀତ ହେଉଛନ୍ତି। ତେଣୁ କରୋନା ପରୀକ୍ଷା କରିବାକୁ ରାଜି ହେଉନାହାନ୍ତି। ଲୋକଙ୍କର ଲକ୍ଷଣ ଥିଲେ ବି ଥଣ୍ଡା, ଜ୍ବର ଔଷଧ ଖାଇ ଘରେ ରହୁଛନ୍ତି। ହେଲେ ବିଏମ୍‌ସି ଯେଉଁ ଉଦ୍ଦେଶ୍ୟରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ତରରେ କରୋନା ପରୀକ୍ଷା ଆରମ୍ଭ କରିଛି, ତାହା ସଫଳ ହେଲା ଭଳି ଲାଗୁନି।

ଅପରପକ୍ଷେ ଅଧିକରୁ ଅଧିକ ଲୋକ ଯେପରି କରୋନା ପରୀକ୍ଷା କରିବେ, ସେଥିପାଇଁ ବିଏମ୍‌ସି ପକ୍ଷରୁ ବୁଧବାରଠାରୁ ଆଇଆରସି ଭିଲେଜ, ଘାଟିକିଆ, କଳ୍ପନା ଛକ, ବ୍ରହ୍ମେଶ୍ବର ପାଟଣା, କପିଳପ୍ରସାଦ, ଚନ୍ଦ୍ରଶେଖରପୁରସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପୁରୁଣା ଭୁବନେଶ୍ବରସ୍ଥିତ ବିଏମ୍‌ସି ହସ୍ପିଟାଲରେ କରୋନା ପରୀକ୍ଷା ହେବ। ଏଠାରେ କେବଳ ଆଣ୍ଟ‌ିଜେନ୍ ଟେଷ୍ଟ ହେବ। ଯେଉଁଦିନ ପରୀକ୍ଷା ହେବ ସେହିଦିନ ହିଁ ରିପୋର୍ଟ ଆସିବ। ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ମାଗଣା କରୋନା ପରୀକ୍ଷା କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି। ବିଏମ୍‌ସି ଲୋକଙ୍କ ପାଖରେ ପହଞ୍ଚି ସଚେତନ ନକଲେ ଲୋକ ସ୍ବାସ୍ଥ୍ୟକେନ୍ଦ୍ରକୁ କରୋନା ପରୀକ୍ଷା କରିବାକୁ ସ୍ବତଃସ୍ଫୂର୍ତ୍ତ ଭାବେ ଆସିବା ସହଜ ହେବନି। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ଏହା ଉପରେ ନଜର ଦେଲେ ହିଁ ଅଧିକ ଲୋକ ଉପକୃତ ହେବେ ଓ ବିଏମ୍‌ସିର ଯୋଜନା ସଫଳ ହେବ। ଏବେ ରାଜଧାନୀରେ ୨୨ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଛି। ଏବେ ୧୬ଟିରେ ପରୀକ୍ଷା ହେବ। ଅପରପକ୍ଷେ ଜିଜିପି କଲୋନି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ନିର୍ଭର କରୁଥିବା ବେଳେ ଏହା ନିକଟବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ପଳାସୁଣି, ପାଣ୍ଡରା, ଜିଜିପି କଲୋନି, ରସୁଲଗଡ଼, ଜଗନ୍ନାଥ ନଗର, କେନାଲ ରୋଡ ଆଦି ଅଞ୍ଚଳର ବହୁ ଲୋକ ନିର୍ଭର କରୁଛନ୍ତି। ତେଣୁ ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା କେନ୍ଦ୍ର ହେଲେ ବହୁ ଲୋକ ଉପକୃତ ହେବେ।

ସୂଚନା‌‌‌ଯୋଗ୍ୟ, ସୋମବାର ସୁଦ୍ଧା ରାଜଧାନୀରେ ୭୫ ହଜାର କରୋନା ପରୀକ୍ଷା ହୋଇଥିବା ବେଳେ ଏଥିରେ ସ୍ବାବ୍‌ ଟେଷ୍ଟ (ଆରଟି-ପିସିଆର୍), ଆଣ୍ଟିଜେନ୍ ଓ ଟ୍ରୁ ନାଟ୍‌ ଟେଷ୍ଟ ହେଉଛି। ଏବେ ଦିନକୁ ପ୍ରାୟ ୨ହଜାର ପରୀକ୍ଷା କରାଯାଉଛି। ଅଗଷ୍ଟ ୬ରେ ୨୦୧୦, ଅଗଷ୍ଟ ୭ରେ ୨୨୮୫ଜଣଙ୍କର ପରୀକ୍ଷା ହୋଇଥିଲା। ଅଧିକାଂଶ ଦିନ ୧୭୦୦ରୁ ୧୮୦୦ ଲୋକଙ୍କର ପରୀକ୍ଷା କରାଯାଉଛି।

କ୍ୟାପିଟାଲ ହସ୍ପିଟାଲ ଡାକ୍ତର ପଜିଟିଭ୍
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର କର୍କଟ ୱାର୍ଡକୁ ଛୁଇଁଛି କରୋନା। ‌ୱାର୍ଡର ଜଣେ ଡାକ୍ତର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୨ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇ ସାରିଲେଣି। ସୂଚନା ଅନୁସାରେ, ସଂପୃକ୍ତ ଡାକ୍ତରଜଣକ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା କର୍କଟ ରୋଗୀଙ୍କ ସଂସ୍ପର୍ଶରେ ନିୟମିତ ଭାବେ ଆସୁଥିଲେ। ତାଙ୍କର କୋଭିଡ୍‌ ଲକ୍ଷଣ ପ୍ରକାଶ ପାଇବାରୁ ସ୍ବାବ୍ ନମୁନା ସଂଗ୍ରହ ହୋଇଥିଲା। ଦୁଇଦିନ ତଳେ ସେ ପଜିଟିଭ୍ ଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ସଂସ୍ପର୍ଶରେ ୧୨ଜଣ ଆସିଥିବା ବେଳେ ସେମାନଙ୍କର ନମୁନା ପରୀକ୍ଷା କରାଯାଇଛି। ତେବେ ତାଙ୍କ ରିପୋର୍ଟ ସଂପର୍କରେ କିଛି ସ୍ପଷ୍ଟ ହୋଇପାରି ନାହିଁ। ଏହାକୁ ନଜରରେ ରଖି କର୍କଟ ୱାର୍ଡକୁ ଗତକାଲିଠାରୁ ୪୮ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି। ଏହି ସମୟରେ ୱାର୍ଡରେ ସାନିଟାଇଜ୍ କରାଯିବ। ପୂର୍ବରୁ ଭେଷଜ ୱାର୍ଡର ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଥିଲେ।

ଆଜି ସ୍ତ୍ରୀ ଓ ପ୍ରସୂତି ୱାର୍ଡରୁ ୨ଜଣ ଓ ଫିଭର ୱାର୍ଡରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାର ୨ଜଣ କରୋନା ସୁସ୍ଥ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ନିଜର ପ୍ଲାଜ୍‌ମା ପ୍ରଦାନ କରିଛନ୍ତି। ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ୍ ପ୍ରତିଷ୍ଠା ହେବା ପରେ ଏ ପର୍ଯ୍ୟନ୍ତ ୮ଜଣ ସୁସ୍ଥ ରୋଗୀ ନିଜର ପ୍ଲାଜ୍‌ମା ଦେଇ ସାରିଲେଣି। ପୂର୍ବରୁ ଅନୁଗୁଳ ଜିଲ୍ଲାର ୪ଜଣ ରୋଗୀ ନିଜର ପ୍ଲାଜ୍‌ମା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର