ବସ୍ତିବାସିନ୍ଦାଙ୍କୁ କରୋନା ଯାତନା! ପଜିଟିଭ୍‌ କହି ଉଠାଇନେଲେ, ନେଗେଟିଭ୍ ଆସିବାରୁ ଛାଡ଼ି‌ଦେଲେ

ଭିଡିଓ ଭାଇରାଲ୍ ପରେ ବିଏମ୍‌ସି କହିଲା ଅଭିଯୋଗ ଭିତ୍ତିହୀନ

ଭୁବନେଶ୍ୱର : ରାଜଧାନୀର ଏକ ବସ୍ତିରେ ବହୁ ସଂଖ୍ୟାରେ ଲୋକଙ୍କ କୋଭିଡ୍‌ ପଜିଟିଭ୍‌ ଥିବା କହି ସେମାନଙ୍କୁ ଉଠାଇ ନିଆଗଲା। କିନ୍ତୁ ପରବର୍ତୀ ସମୟରେ ରିପୋର୍ଟ ନେଗେଟିଭ୍‌ ଥିବା କୁହାଗଲା। ତେଣୁ କିଛି ଦିନ ପରେ ସେମାନଙ୍କୁ ଛାଡ଼ି ଦିଆଗଲା। ଏଭଳି ପରିସ୍ଥିତି ଯୋଗୁଁ ସମାଜରେ ସେମାନେ ଅଛୁଆଁ ହୋଇଯାଇଥିବା ବେଳେ କର୍ମନିଯୁକ୍ତି ହରାଇଥିବା ଅଭିଯୋଗ କରିଛନ୍ତି। ପିଜିଟିଭ୍‌-ନେଗେଟିଭ୍‌ ଦ୍ବନ୍ଦ୍ବ ଭିତରେ ସେମାନଙ୍କୁ ଅଯଥାରେ ବିଏମ୍‌ସି ଫସାଇ ଦେଲା ବୋଲି କହିଛନ୍ତି। ଏମିତି ଭ‌ାବେ କରୋନା ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ବିଜେବିନଗରସ୍ଥିତ ହରିନଗର ବସ୍ତିବାସିନ୍ଦା। ତେଣୁ ସେମାନଙ୍କୁ ସମସ୍ତ ଭରଣପୋଷଣ ଦେବା ଲାଗି ଦାବି ମଧ୍ୟ କରିଛନ୍ତି। ଏକ ଭିଡିଓ ଜରିଆରେ ବସ୍ତିର ଅନେକ ବାସିନ୍ଦା ଏଭଳି ଅଭିଯୋଗ ଓ ଦାବି କରିବା ପରେ ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଘଟଣାକୁ ବିଏମ୍‌ସି ପକ୍ଷରୁ ଖଣ୍ଡନ କରାଯିବା ସହ ଏଥିରେ କୌଣସି ସତ୍ୟତା ନ ଥିବା କୁହାଯାଇଛି।

Childrens Choice Therapy

ରାଜଧାନୀର ବିଜେବି ନଗରସ୍ଥିତ ହରିନଗର ବସ୍ତିରେ ଗତ ୨୩ ତାରିଖରେ ୪୫ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏକ ଭୋଜିରୁ ସେଠାରେ ସଂକ୍ରମଣ ବ୍ୟାପିଥିବା କୁହାଯାଇଥିଲା। ତେବେ ବସ୍ତିବାସିନ୍ଦାଙ୍କ କହିବାନୁଯାୟୀ, ଗତ ୧୯ ତାରିଖରେ ସେମାନେ ଏକ ସ୍କୁଲରେ ସ୍ବାବ୍ ଦେଇଥିଲେ। ୨୩ ତାରିଖ‌ ରାତିରେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା କୁହାଯାଇଥିଲା। ୨୪ ତାରିଖରେ ଆମ୍ବୁଲାନ୍‌ସରେ କୋଭିଡ୍‌ କେୟାର ସେଣ୍ଟର୍‌କୁ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଣ୍ଟରରେ ୨ଦିନ ରହଣି ପରେ ବିଏମ୍‌ସି ପକ୍ଷରୁ ସେମାନଙ୍କ ନିକଟରୁ ଫୋନ୍ ଯିବା ସହ ରିପୋର୍ଟ ନେଗେଟିଭ୍ ଥିବା ସୂଚନା ଦିଆଯାଇଥିଲା। ଭୁଲ୍‌ରେ ଆଣିଥିବାରୁ ଆକ୍ରାନ୍ତମାନଙ୍କୁ କ୍ଷମାପ୍ରାର୍ଥନା ମଧ୍ୟ କରାଯାଇଥିଲା। ତେବେ ସେତେବେଳକୁ ସେମାନେ ଭୁଲ୍ ରିପୋର୍ଟ ଯୋଗୁଁ ଯଥେଷ୍ଟ ଯାତନା ପାଇ ସାରିଥିଲେ। ‌ତେଣୁ ନମୁନା ରିପୋର୍ଟ ନେଗେଟିଭ୍‌ ଥିବା ସତ୍ତ୍ବେ ପଜିଟିଭ୍ କହି କାହିଁକି କୋଭିଡ୍‌ ସେଣ୍ଟରକୁ ନିଆଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ବିଏମ୍‌ସିର ଏହି କାର୍ଯ୍ୟ ପାଇଁ ସେମାନେ ସମାଜରେ ଅଛୁଆଁ ହୋଇଯାଇଥିବା ବେଳେ କର୍ମନିଯୁକ୍ତି ମଧ୍ୟ ହରାଇଥିବା ଅଭିଯୋଗ କରିଛନ୍ତି। ତେଣୁ ଏ ବାବଦ କ୍ଷତିପୂରଣ ସେମାନଙ୍କୁ ପ୍ରଦାନ କରାଯାଉ ବୋଲି ବସ୍ତିବାସିନ୍ଦା ଦାବି କରିଛନ୍ତି। ବସ୍ତିର ଅନେକ ଯୁବତୀ/ମହିଳା ଏଭଳି ଅଭିଯୋଗ ଆଣିଛନ୍ତି।

ଅପରପକ୍ଷରେ ଏହି ଭିଡିଓକୁ ବିଏମ୍‌ସି ପକ୍ଷରୁ ଖଣ୍ଡନ କରାଯିବା ସହ ଭିତ୍ତିହୀନ ବୋଲି କୁହାଯାଇଛି। ଏକ ଟ୍ବିଟ୍‌ ଜରିଆରେ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ହରିନଗର ଅଞ୍ଚଳର ବସ୍ତିବାସିନ୍ଦା ଜଣେ ଡ୍ରାଇଭର୍‌ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ। ସଂପୃକ୍ତ ଡ୍ରାଇଭରଜଣକ ନିୟମିତ ଭାବେ ହଟ୍‌ସ୍ପଟ୍‌ ଜିଲ୍ଲାକୁ ଗସ୍ତ କରୁଥିଲେ। ୨୪ ତାରିଖ ଦିନ ବିଏମ୍‌ସି ପକ୍ଷରୁ ଧାର୍ଯ୍ୟ ପ୍ରୋ‌ଟୋକଲ୍‌ ଅନୁଯାୟୀ, କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ପରୀକ୍ଷାର ୧୦ ଦିନ ପରେ ଅର୍ଥାତ୍ ୩୦ତାରିଖରେ ସେମା‌ନଙ୍କୁ ସୁସ୍ଥ ଘୋଷଣା ପରେ ଛାଡ଼ି ଦିଆଯାଇଥିଲା। ସମସ୍ତ ସଂକ୍ରମିତଙ୍କ କୌଣସି ଲକ୍ଷଣ ନ ଥିବାରୁ ସେମାନଙ୍କୁ ୧୪ ଦିନ ପାଇଁ ଘରେ ସଙ୍ଗରୋଧରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ/ଆଇସିଏମ୍‌ଆର ଧାର୍ଯ୍ୟ ନିର୍ଦେଶାବଳି ଅନୁଯାୟୀ, କୋଭିଡ୍‌ ପରୀକ୍ଷା, ଚିକିତ୍ସା ଓ ଡିସ୍‌ଚାର୍ଜ କରାଯାଇଛି। ତେଣୁ ଏଭଳି ଖବରରେ କୌଣସି ସତ୍ୟତା ନଥିବା ବିଏମ୍‌ସି କହିଛି।

ସମ୍ବନ୍ଧିତ ଖବର