ଗୁଇନ୍ଦା କାର୍ଯ୍ୟାଳୟକୁ ଛୁଇଁଲା କରୋନା : ବରିଷ୍ଠ ଅଧିକାରୀଙ୍କଠାରୁ ବ୍ୟାପିଲା ସଂକ୍ରମଣ!

କ୍ୟାପିଟାଲ ହସ୍ପିଟାଲରୁ ୨, ବାଳକାଟିରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ପୁଲିସ ବିଭାଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଗୁଇନ୍ଦା କାର୍ଯ୍ୟାଳୟରେ ପହଞ୍ଚିଛି କରୋନା। ସ୍ପେସାଲ ବ୍ରାଞ୍ଚ ପୁଲିସ ସୁରକ୍ଷା ୱିଙ୍ଗର ୩୨ଜଣ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ବଡ଼ କଥା ହେଲା, କଡ଼ା ସୁରକ୍ଷାବଳୟ ଭିତରେ ରହିଥିବା ଏହି କାର୍ଯ୍ୟାଳୟକୁ କରୋନା ଛୁଇଁଲା କେମିତି?

ସୂଚନା ଅନୁସାରେ, ଏହି କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ଧୀରେ ଧୀରେ ଅନ୍ୟ କର୍ମଚାରୀଙ୍କୁ ବ୍ୟାପିଥିଲା। କିନ୍ତୁ ବରିଷ୍ଠ ଅଧିକାରୀଜଣକ କେମିତି ଆକ୍ରାନ୍ତ ହେଲେ ଓ କେଉଁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ, ତାହା ଜଣାପଡ଼ି ନାହିଁ। ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ସମସ୍ତ କର୍ମଚାରୀଙ୍କର ସ୍ବାବ୍ ପରୀକ୍ଷା କରାଯାଇଛି। ବହୁ ସଂଖ୍ୟାରେ ଆକ୍ରାନ୍ତ ବାହାରିଥିବାରୁ କାର୍ଯ୍ୟାଳୟକୁ ବିଶୋଧନ କରାଯାଇଛି। ରାଜୀବ ଭବନ ନିକଟରେ ଥିବା ଏହି କାର୍ଯ୍ୟାଳୟ କୋଠାରେ ଗୁଇନ୍ଦା, ଅପ‌ରେସନ୍‌, ସ୍ପେସାଲ ବ୍ରାଞ୍ଚ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ରହିଛି। ଏ ସମ୍ପର୍କରେ ପୁଲିସ ସୁରକ୍ଷା ୱଙ୍ଗର୍‌ ପ୍ରତିକ୍ରିୟା ମିଳି ପାରିନାହିଁ। ସୂଚନାଯୋଗ୍ୟ, ରାଜଧାନୀରେ ସପ୍ତମ ବାଟାଲିଅନ୍, ରିଜର୍ଭ ଲାଇନ୍, ଏକାଧିକ ଥାନା, ଭିଜିଲାନ୍ସ ଡିଭିଜନ୍ ଓ ଟ୍ରାଫିକ ପୁଲିସରେ କରୋନା ଆକ୍ରାନ୍ତ ବାହାରି ସାରିଛନ୍ତି।

କ୍ୟାପିଟାଲ ହସ୍ପିଟାଲରୁ ୨
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ୱାର୍ଡରୁ ଆଜି ୨ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ୱାର୍ଡକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଆରମ୍ଭରୁ କୋଭିଡ୍‌ ପରୀକ୍ଷା କରାଯାଉଛି। ଏହାପରେ ଆଡମିଟ୍‌ କରାଯାଉଛି। ତେଣୁ ଆଜିର ପରୀକ୍ଷାରେ ୨ଜଣ ପଜିଟିଭ୍ ଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି। ଅପରପକ୍ଷରେ ଗତକାଲି ହସ୍ପିଟାଲର ଜଣେ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରେ ସଂପୃକ୍ତ କର୍ମଚାରୀଜଣକ ଯେଉଁ ରୁମ୍‌ରେ କାର୍ଯ୍ୟ କରୁଥିଲେ, ତାହାକୁ ୪୮ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି।

ବାଳକାଟିରେ ପୁଣି ୪
ବାଲିଅନ୍ତା : ବାଳକାଟି ପ୍ରତାପଶାସନ ପଞ୍ଚାୟତରେ ଆଜି ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସ୍ବାବ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଜଣାପଡ଼ିଥିଲେ ହେଁ ସେମାନଙ୍କଠାରେ ଅସୁସ୍ଥତାର କୌଣସି ଲକ୍ଷଣ ଦେଖା ଦେଇନଥିବାରୁ ସେମାନେ ଗୃହ ସଂଗରୋଧରେ ଥାଇ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର