ରାଜ୍ୟରେ ଏମିତି ଚାଲିଛି କରୋନା ସନ୍ଦିଗ୍ଧଙ୍କ ଯାଞ୍ଚ: ହୋଟେଲରୁ ଧରାପଡ଼ିଲେ ବିଦେଶୀ, ଏସ୍‌ସିବିରୁ ଖସି ପଳାଇଥିଲେ

ହସ୍ପିଟାଲକୁ ଆଣିବା ପାଇଁ ରାତିସାରା କସରତ, କ୍ୟାପିଟାଲ ହସ୍ପିଟାଲରେ ଆଡମିଟ୍ ହେଲେ

ଭୁବନେଶ୍ବର: କରୋନା ସନ୍ଦିଗ୍ଧ ବୋଲି ଗତକ‌ାଲି ତାଙ୍କୁ ବିମାନବନ୍ଦରରୁ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା। ହେଲେ ସେ ହସ୍ପିଟାଲରୁ ଖସି ପଳାଇଥିଲେ। ଏସ୍‌ସିବି କର୍ତୃପକ୍ଷ କଟକ ମଙ୍ଗଳବାଗ ଥାନାରେ ମୌଖିକ ଅଭିଯୋଗ କରିବା ପର୍ଯ୍ୟନ୍ତ କଥା ଯାଇଥିଲା। ତେବେ ବିଳମ୍ବିତ ରାତିରେ ସଂପୃକ୍ତ ସନ୍ଦିଗ୍ଧ ବିଦେଶୀ ଯୁବକଙ୍କୁ ରାଜଧାନୀର ଏକ ନାମୀ ହୋଟେଲରେ ଠାବ କରାଯାଇଥିଲା। ଆଜି ତାଙ୍କୁ ଓ ତାଙ୍କ ସହଯୋଗୀ ଜଗତ୍‌ସିଂହପୁର ଅଞ୍ଚଳର ଜଣେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଆଡମିଟ୍ କରାଯାଇଛି। ଦୁହିଁଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। କରୋନାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି‌ ହୋଇଥିବା ବେଳେ ରାଜ୍ୟରେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ବିଦେଶୀ ଯୁବକଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲ ଓ ଏସ୍‌ସିବି ହସ୍ପିଟାଲ ମଧ୍ୟରେ ତାଳମେଳ ନ ରହିବା ଘଟଣାକୁ ଅଧିକ ରହସ୍ୟମୟ କରିଦେଇଛି। ଯଦି ପରବର୍ତ୍ତୀ ସମୟରେ ଯୁବକ ଜଣକ କରୋନାରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୁଏ ଏବଂ ହୋଟେଲରେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକ କରୋନା ସଂକ୍ରମିତ ହୁଅନ୍ତି, ତେବେ ଏଥିପାଇଁ କିଏ ଦାୟୀ ରହିବ, ତାହାକୁ ନେଇ ପ୍ରଶ୍ନ ଉଠିଲାଣି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆର୍ୟାଲାଣ୍ଡର ଏହି ଯୁବକ ଜଣକ ଏକ ଅନ୍ତର୍ଜାତୀୟ ମଦ କମ୍ପାନିରେ କାର୍ଯ୍ୟରତ। ସେ ଭାରତର ଜୋନାଲ ମୁଖ୍ୟ ଥିବାରୁ ଗତକାଲି ଓଡ଼ିଶା ପରିଦର୍ଶନରେ ଆସିଥିଲେ। ବିମାନବନ୍ଦରରେ ତାଙ୍କର ସ୍କ୍ରିନିଂ କରାଯିବା ସମୟରେ ତାଙ୍କ ଶରୀରରେ ଉତ୍ତାପ ରହିଥିଲା। ତେଣୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ପରେ ସେଠାରୁ ଏସ୍‌ସିବିକୁ ରେଫର୍‌ କରାଯାଇଥିଲା। ସଂପୃକ୍ତ ବ୍ୟକ୍ତିଙ୍କ ସହଯୋଗୀ ରେଫରାଲ ଟିକେଟ୍ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ। ବିଦେଶୀ ଯୁବକଙ୍କୁ ହସ୍ପିଟାଲରେ ଆଡମିଟ୍‌ କରିବାକୁ କୁହାଯିବାରୁ ତାଙ୍କୁ ଆଣିବା ପାଇଁ ‌ତଳକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ଉଭୟ ନ ଫେରିବାରୁ ଏସ୍‌ସିବି ହସ୍ପିଟାଲ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ପରେ ପୁଲିସକୁ ମୌଖିକ ଭାବେ ଅଭିଯୋଗ ହୋଇଥିଲା।
ଏହାକୁ ନେଇ ହଇଚଇ ସୃଷ୍ଟି ହେବା ପରେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ସଂପୃକ୍ତ ବିଦେଶୀ ଦେଇଥିବା ଠିକଣା ଅନୁସାରେ ରାଜଧାନୀର ନାମୀ ହୋଟେଲରେ ତାଙ୍କୁ ଠାବ କରିଥିଲେ। ତାଙ୍କୁ ହସ୍ପିଟାଲ ଆସିବା ପାଇଁ ବାଧ୍ୟ କରାଯାଇଥିଲେ ହେଁ ଥକି ଯାଇଥିବାରୁ ହସ୍ପିଟାଲ ଯାଇପାରିବେ ନାହିଁ ବୋଲି ବିଦେଶୀ ଓ ତାଙ୍କ ସହଯୋଗୀ ରୋକଠୋକ ଶୁଣାଇ ଦେଇଥିଲେ। ଏହାକୁ ନେଇ ଚାରିଆଡ଼େ ଜୋରଦାର ଚର୍ଚା ହେବା ପରେ ଆଜି କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରାଇଛନ୍ତି। ଦୁହିଁଙ୍କ ରକ୍ତ ଓ ଲାଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣାରେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ନିରବତା ଅବଲମ୍ବନ କରୁଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ୍‌ ୱାର୍ଡ ରହିଥିବା ବେଳେ ସଂପୃକ୍ତ କରୋନା ସନ୍ଦିଗ୍ଧ ଓ ତାଙ୍କ ସହଯୋଗୀ କିଭଳି ଏସ୍‌ସିବିକୁ ଗଲେ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏଥିପାଇଁ ତାଙ୍କୁ କିଏ ଅନୁମତି ଦେଇଥିଲା ? ଏହାସହ କରୋନା ଚୀନ୍‌ରେ ବ୍ୟାପିବା ସମୟରେ ହିଁ ରାଜଧାନୀର ସମସ୍ତ ହୋଟେଲମାନଙ୍କୁ ବିଦେଶୀ ଫେରନ୍ତା ନାଗରିକମାନଙ୍କ ସଂପର୍କରେ ସୂଚନା ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା। ତେଣୁ ଆୟର୍ଲାଣ୍ଡର ଏହି ନାଗରିକ ରାଜଧାନୀର ନାମୀ ହୋଟେଲରେ ରହୁଥିବା ନେଇ ସଂପୃକ୍ତ ହୋଟେଲ କର୍ତୃପକ୍ଷ ସ୍ବାସ୍ଥ୍ୟ ବିଭାଗକୁ ଏ ସଂପର୍କରେ ସୂଚନା ଦେଇଥିଲେ କି ନାହିଁ, ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ଅଜିତ ମହାନ୍ତି କହିଛନ୍ତି, କେଉଁ ପରିସ୍ଥିତିରେ ଏପରି ଘଟିଲା, ସେ ସଂପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ତେବେ ସଂପୃକ୍ତ ବିଦେଶୀ ଓ ତାଙ୍କ ସହଯୋଗୀଙ୍କୁ ଆଜି ଆଡମିଟ୍‌ କରାଯାଇଥିବା ବେଳେ ତାଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ସରକାରୀ ହସ୍ପିଟାଲରେ ଏନ୍‌-୯୫ ମାସ୍କ୍‌ର ସଂକଟ ସଂପର୍କିତ ଖବରରେ କୌଣସି ସତ୍ୟତା ନାହିଁ। ଏନ୍‌-୯୫ ମାସ୍କ ବି ଖୋଲା ବଜାରରେ ଉପଲବ୍ଧ ହୋଇ ନ ଥାଏ। ତେବେ ଲୋକମାନେ ଅଯଥା ମାସ୍କ ପଛରେ ଧାଇଁବା ଉଚିତ ନୁହେଁ। ଏହାସହ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀମାନଙ୍କୁ ଏଥିପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ପଠାଯାଇଛି। ସବୁ ଜିଲ୍ଲାକୁ ଏହି ମାର୍ଗଦର୍ଶିକା ଜାରି କରାଯାଇଛି। ଫଳରେ ସେମାନେ ନିଜ ଅଞ୍ଚଳରେ ଏଭଳି କୌଣସି ଲୋକଙ୍କଠାରେ କରୋନା ସନ୍ଦିଗ୍ଧଙ୍କୁ ହସ୍ପିଟାଲକୁ ଆଣିପାରିବେ ବୋଲି ଡା. ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର