୧୨୦ ନିରାଶ୍ରୟଙ୍କୁ କରୋନା ଟିକା

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ସୀମା ମଧ୍ୟରେ ଥିବା ସହରାଞ୍ଚଳ ଆଶ୍ରୟସ୍ଥଳୀରେ ଟିକାକରଣ ଅନୁଷ୍ଠିତ ହୋଇଛି। ଏହି ଟିକାକରଣ କରିବାକୁ କମିସନର ସଞ୍ଜୟ କୁମାର ସିଂହ ଜୋନାଲ୍ ଡେପୁଟି କମିସନରମାନଙ୍କୁ ନିର୍ଦ୍ଦେଶ ଦେବା ପରେ ଆଜି ଉତ୍ତର ଜୋନ୍‌ର ଚନ୍ଦ୍ରଶେଖରପୁର, ଦକ୍ଷିଣ-ପଶ୍ଚିମ ଜୋନ୍‌ର ଭୀମପୁର ଓ ଗଙ୍ଗନଗର, ଦକ୍ଷିଣ-ପୂର୍ବ ଜୋନ୍‌ର ଅଶୋକନଗର‌ର ସେଲଟର୍‌ ଫର୍‌ ଅର୍ବାନ ହୋମଲେସ୍‌ (ଏସ୍‌ୟୁଏଚ୍‌)ରେ ଟିକାକରଣ ଆରମ୍ଭ କରାଯାଇଛି। ବିଏମ୍‌ସି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ପାଖାପାଖି ୧୨୦ ଅନ୍ତେବାସୀଙ୍କୁ ଆଜି ପ୍ରଥମ ଦିନରେ ଟିକା ଦିଆଯାଇଛି।

ବିଏମ୍‌ସି କମିସନର ଶ୍ରୀ ସିଂ କହିଛନ୍ତି ଯେ ସମାଜର ବିଭିନ୍ନ ବର୍ଗଙ୍କୁ ସାମିଲ କରି ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରୁଛୁ। କେବଳ ଟିକାକରଣ ନୁହେଁ, କୋଭିଡ୍‌ ଟେଷ୍ଟିଂରେ ମଧ୍ୟ ଏଭଳି ସୁବିଧା କରାଯାଇଛି। ଏସ୍‌ୟୁଏଚ୍ ଅନ୍ତେବାସୀଙ୍କ କ୍ଷେତ୍ରରେ ଟିକାକରଣକୁ ପ୍ରୋତ୍ସାହନ କରିବା ଦ୍ବାରା ସେମାନଙ୍କ ମନରେ କରୋନା ଜନିତ ଆଶଙ୍କା ଦୂର ହେବ। କରୋନା ସଚେତନତା ବଢ଼ିବା ସହ ସେମାନଙ୍କର ପ୍ରକୃଷ୍ଟ ଯତ୍ନ ନେବାର ଯଥାର୍ଥତା ରକ୍ଷା ହେବ। ସକାଳ ୯ଟାରେ ଚନ୍ଦ୍ରଶେଖରପୁର ସ୍ବତନ୍ତ୍ର ଆଶ୍ରୟସ୍ଥଳୀରେ ଏହି ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅତିରିକ୍ତ କମିସନର୍‌ ଲକ୍ଷ୍ମୀକାନ୍ତ ସେଠୀ ଓ ଜୋନାଲ୍ ଡେପୁଟି କମିସନର୍‌ ପୂରନ୍ଦର ନନ୍ଦ ଉପସ୍ଥିତ ରହି ଟିକାକରଣ ପ୍ରକ୍ରିୟା ସମ୍ପାଦନ କରିଥିଲେ। ଏଠାରେ ମୋଟ ୩୬ଜଣ ଟିକା ନେଇଛନ୍ତି। ଗଙ୍ଗନଗର ଏସ୍‌ୟୁଏଚ୍ ଓ ଭୀମପୁର ଆଶ୍ରୟସ୍ଥଳରେ ସମୁଦାୟ ୫୦ଜଣ କୋଭିଡ୍‌ ଟିକା ନେଇଥିବା ବେଳେ ଦକ୍ଷିଣ-ପୂର୍ବ ଜୋନ୍‌ର ଡେପୁଟି କମିସନର୍‌ ରବିନାରାୟଣ ଜେଠୀ ଉପସ୍ଥିତ ଥିଲେ। ଦକ୍ଷିଣ-ପୂର୍ବ ଜୋନ୍‌ ଡେପୁଟି କମିସନର୍‌ ଅଂଶୁମାନ ରଥଙ୍କ ଉପସ୍ଥିତିରେ ଅଶୋକ ନଗରସ୍ଥିତ ଏସ୍‌ୟୁଏଚ୍ ୨୫ଜଣଙ୍କୁ ଟିକା ଦିଆଯାଇଛି।

ଖାରବେଳନଗରସ୍ଥିତ ସୋସିଆଲ୍ ଇକ୍ୟୁଇଟି ସେଣ୍ଟର୍‌, ଅଶୋକନଗର, ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌, ଭୀମପୁର, ଘାଟିକିଆ, ଚନ୍ଦ୍ରଶେଖରପୁର, ଗଙ୍ଗନଗର ଓ ମାଳିସାହି ଏସ୍‌ୟୁଏଚ୍‌ରେ ପାଖାପାଖି ୪୦୦ଅନ୍ତେବାସୀଙ୍କ ରହିବା ସୁବିଧା ରହିଛି। ମହାମାରୀ ସମୟରେ ଏହି ସବୁ ସ୍ଥାନରେ ୮୦ରୁ ୯୦ପ୍ରତିଶତ ଅନ୍ତେବାସୀ ରହୁଛନ୍ତି। ଯେଉଁଥିରେ ବୃଦ୍ଧବୃଦ୍ଧା, ମାନସିକ ଭିନ୍ନକ୍ଷମ, ଶ୍ରମିକ ଓ ଅସହାୟ ମହିଳା ଅଛନ୍ତି। ଏସ୍‌ୟୁଏଚରେ ଟିକାକରଣ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ କରାଯିବ। ଏଠାରେ ଥିବା କୌଣସି ଅନ୍ତେବାସୀଙ୍କର କୋଭିଡ୍‌ ଲକ୍ଷଣ ଦେଖାଗଲେ ସଙ୍ଗେ ସଙ୍ଗେ ସେମାନଙ୍କର ଟେଷ୍ଟିଂ କରାଯାଇ ଆବଶ୍ୟକସ୍ଥଳେ କୋଭିଡ୍‌ କେୟାର ସେଣ୍ଟର/କୋଭିଡ୍‌ ହସ୍ପିଟାଲ୍‌କୁ ପଠାଯାଉଛି।

ଆଜିର ଟିକାକରଣରେ ଓଡ଼ିଶା ପତିତା ଉଦ୍ଧାର ସମିତିର ସଂଯୋଜିକା ଦେବୀ ମାତୃମୟୀ ପ୍ରିୟଦର୍ଶିନୀ ଓ ପରିଚାଳିକା ପ୍ରିୟମ୍ବଦା ବିଶ୍ବାଳ ସମସ୍ତ କେନ୍ଦ୍ର ବୁଲି ଟିକାକରଣ ଟିମ୍‌କୁ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର