‘କୋଭାକ୍ସିନ୍’କୁ ଭରସା ପାଉନି! ନିଜ ଅଞ୍ଚଳରେ ‘କୋଭିସିଲ୍‌ଡ’ ନେଉଛନ୍ତି ସ୍ବାସ୍ଥ୍ୟକର୍ମୀ

ରାଜ୍ୟରେ କେବଳ ଭୁବନେଶ୍ବରରେ ଦିଆଯାଉଛି ‘କୋଭାକ୍ସିନ୍‌’ ଟିକା

ଭୁବନେଶ୍ବର: ରାଜ୍ୟରେ ଏବେ ପ୍ରଥମ ଓ ଦ୍ବିତୀୟ ଡୋଜ୍ କରୋନା ଟିକାକରଣ ଜାରି ରହିଛି। ରାଜଧାନୀରେ କେବଳ ଭାରତ ବାଇଓଟେକ୍ ଦ୍ବାରା ପ୍ରସ୍ତୁତ ‘କୋଭକ୍ସିନ୍’ ଦିଆଯାଉଥିବା ବେଳେ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକ ପ୍ରସ୍ତୁତ ‘କୋଭିସିଲ୍‌ଡ’ ଟିକା ରାଜ୍ୟର ଅନ୍ୟ ସବୁ ସ୍ଥାନରେ ଦିଆଯାଉଛି। ହେଲେ ରାଜଧାନୀରେ କାର୍ଯ୍ୟରତ କିଛି ସ୍ବାସ୍ଥ୍ୟକର୍ମୀ ଏଠାରେ ଦିଆଯାଉଥିବା ‘କୋଭାକ୍ସିନ୍’ ବଦଳରେ ନିଜ ଗାଁ କିମ୍ବା ଅନ୍ୟ ସ୍ଥାନକୁ ଯାଇ ‘କୋଭିସିଲ୍‌ଡ’ ଟିକା ନେଉଥିବା ନଜରକୁ ଆସିଛି। ‘କୋଭାକ୍ସିନ୍’ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସଂପର୍କିତ ରିପୋର୍ଟ ଆସି ନ ଥିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଯାହାଫଳରେ ରାଜଧାନୀରେ ଥିବା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସବୁ ନିର୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଟିକା ନେଲେ ମଧ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ବିଶ୍ବାସ ଜମାଇବାରେ ବିଫଳ ହୋଇଛନ୍ତି।

ଗତମାସ ୧୬ ତାରିଖରେ ରାଜ୍ୟ ତଥା ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା। ଏ ସମୟରେ ‘କୋଭିସିଲ୍‌ଡ’ର ୨ଲକ୍ଷରୁ ଅଧିକ ଡୋଜ୍ ଆସିଥିବା ବେଳେ ‘କୋଭାକ୍ସିନ୍’ର କେବଳ ୨୦ହଜାର ଡୋଜ୍ ଆସିଥିଲା। ପରବର୍ତୀ ସମୟରେ ‌ଉଭୟ ଟିକା ଯଥେଷ୍ଟ ପରିମାଣରେ ପହଞ୍ଚିଥିଲା। ହେଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‘କୋଭାକ୍ସିନ୍’ ଟିକାକୁ କେବଳ ଭୁବନେଶ୍ବରର ସ୍ବାସ୍ଥ୍ୟକର୍ମୀଙ୍କୁ ଦେବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟର ଅନ୍ୟ ସ୍ଥାନରେ ‘କୋଭିସିଲ୍‌ଡ’ ଟିକାଦାନ ଜାରି ରହିଥିଲା। ଏହାର ପରବର୍ତୀ ସମୟରେ ଆଗଧାଡ଼ିର ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ ‘କୋଭାକ୍ସିନ୍’ ଟିକା ଦେବା ଜାରି ରହିଛି। ରାଜ୍ୟରେ ଯଥେଷ୍ଟ ପରିମାଣର ‘କୋଭାକ୍ସିନ୍’ ଟିକା ରହିଥିଲେ ହେଁ, କେବଳ ଭୁବନେଶ୍ବରରେ କାହିଁକି ଏହି ଟିକା ଦିଆଯାଉଛି, ସେ ନେଇ ଅନେକ ପ୍ରଶ୍ନ କରିଛନ୍ତି। ରାଜଧାନୀରେ ମଧ୍ୟ ‘କୋଭିସିଲ୍‌ଡ’ ଟିକା ଦେବାକୁ ଅନେକଙ୍କ ଦାବି ରହିଛି। ମାତ୍ର ଏ ସଂପର୍କରେ ଅଧିକାରୀଙ୍କ ନିକଟରେ ଦାବି କରିବା ଲାଗି ସାହସ ଜୁଟାଇପାରୁ ନାହାନ୍ତି। ପ୍ରଥମ ଡୋଜ୍ ଟିକାକରଣର ଅବଧି ଦୁଇଦୁଇ ଥର ବୃଦ୍ଧି ହୋଇଥିବା ବେଳେ ରାଜଧାନୀରେ ଏ ପର୍ଯ୍ୟନ୍ତ ୯୦ ପ୍ରତିଶତ ଟିକାକରଣ ସମ୍ଭବ ହୋଇପାରିଛି।
ରାଜ୍ୟରେ ଟିକାକୁ ନେଇ ହାତଗଣତି ଲୋକଙ୍କ ନିକଟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ରାଜ୍ୟରେ ସମୁଦାୟ ୩୪ଜଣଙ୍କ ନିକଟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ଭୁବନେଶ୍ବରରେ ମଧ୍ୟ ଏହି ସଂଖ୍ୟା ଅତି ନଗଣ୍ୟ ରହିଛି। ହେଲେ ‘କୋଭାକ୍ସିନ୍’ ଟିକା ନେବା ପୂର୍ବରୁ ଏଥିପାଇଁ ରହିଥିବା ଅନୁମତିପତ୍ର ବା କନସେଣ୍ଟ ଫର୍ମ ଅନେକଙ୍କୁ ଚିନ୍ତାରେ ପକାଇଛି। ‘କୋଭିସିଲ୍‌ଡ’ ପାଇଁ ଏଭଳି ବ୍ୟବସ୍ଥା ନ ଥିବା ବେଳେ ‘କୋଭାକ୍ସିନ୍’ ପାଇଁ ଏଭଳି ବ୍ୟବସ୍ଥା ରହିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ ବୋଲି ସ୍ବାସ୍ଥ୍ୟକର୍ମୀମାନେ କହିଛନ୍ତି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଆରମ୍ଭରୁ ରାଜ୍ୟକୁ କମ୍ ପରିମାଣର ‘କୋଭାକ୍ସିନ୍’ ଆସିଥିଲା। ତେଣୁ ଅନ୍ୟ ଜିଲ୍ଲାକୁ ‘କୋଭିସିଲ୍‌ଡ’ ଟିକା ଦିଆଯାଇଥିଲା। ଯଦିଓ ପରବର୍ତୀ ସମୟରେ ଯଥେଷ୍ଟ ପରିମାଣର ‘କୋଭାକ୍ସିନ୍’ ଟିକା ଆସିଛି। ହେଲେ କିଛି ରାଜ୍ୟରେ ଟିକାକରଣ ସମୟରେ ଦୁଇପ୍ରକାର ଟିକା ମିଶି ଯାଇଥିବା ରିପୋର୍ଟ ଆସୁଛି। ତେଣୁ କାଳେ ଦ୍ବିତୀୟ ଡୋଜ୍ ଟିକା ନେବା ସମୟରେ ଏହା ମିଶଯିବ ସେହି ଆଶଙ୍କାରେ ଅନ୍ୟ ଜିଲ୍ଲାକୁ ‘କୋଭାକ୍ସିନ୍’ ଟିକା ଦିଆଯାଇ ନାହିଁ। ଅନ୍ୟ ଜିଲ୍ଲାମାନଙ୍କୁ ‘କୋଭାକ୍ସିନ୍’ ଟିକା ପଠାଇବା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ତେବେ ସ୍ବାସ୍ଥ୍ୟକର୍ମୀ ଅନ୍ୟ ସ୍ଥାନକୁ ଯାଇ ‘କୋଭିସିଲ୍‌ଡ’ ଟିକା ନେବାରେ ସମସ୍ୟା ନାହିଁ ବୋଲି ଡା.ପାଣିଗ୍ରାହୀ କହିଛନ୍ତି।

ଟିକାକରଣ ବିଶେଷଜ୍ଞ ଡା.କ୍ଷୀରୋଦ ରାଉତ କହିଛନ୍ତି, ଯେହେତୁ ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ, ତେଣୁ କିଛି ଲୋକ ଏହି ଟିକା ନେବା ପାଇଁ କୁଣ୍ଠାବୋଧ କରିବା ସ୍ବାଭାବିକ। ପ୍ରଥମ ପର୍ଯ୍ୟାୟ ରିପୋର୍ଟରେ ଏହା ନିରାପଦ ରହିଥିବା ଜଣାପଡ଼ିଛି। ‘କୋଭାକ୍ସିନ୍’ ଟିକା ଭାରତରେ ଦେଖା ଯାଇଥିବା କରୋନା ଭୂତାଣୁର ସମସ୍ତ ଷ୍ଟ୍ରେନ୍‌କୁ ବିଚାରକୁ ନେଇ ଟିକା ପ୍ରସ୍ତୁତ କରାଯାଇଛି। ହେଲେ ‘କୋଭିସିଲ୍‌ଡ’ ୟୁରୋପୀୟ ଦେଶରେ ଉପଲବ୍ଧ ଭୂତାଣୁ ଷ୍ଟ୍ରେନ୍‌ ଉପରେ ପ୍ରସ୍ତୁତ କରାଯାଇଛି। ଦୁଇ ପ୍ରକାର ଟିକାରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେଉଥିବା ନଜରକୁ ଆସିଛି। ତେଣୁ ଦୁଇ ଟିକାରେ ବିଶେଷ ଫରକ୍‌ ନ ଥିବା ଡା.ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର