କରୋନା ଟିକା ନାଁରେ ଲୁଟିବେ ସାଇବର ଠକ: ପଞ୍ଜୀକରଣ ବାହାନାରେ ନେଇଯିବେ ଗୋପନୀୟ ତଥ୍ୟ

ସତର୍କ କରାଇଲା ପୁଲିସ

ଭୁବନେଶ୍ବର: କରୋନା ସଂକ୍ରମଣ ବ୍ୟାପି ଚାଲିଥିବାବେଳେ ହିଁ ସାଇବର ଠକମାନେ ଅଧିକ ସକ୍ରିୟ ହୋଇ ଉଠିଥିଲେ। ମଦ ହୋମ୍ ଡେଲିଭରି, ରେସ୍ତୋରାଁର ଲୋଭନୀୟ ଅଫର, ଘରେ ବସି କୋରିଅର ସେବା, ଅନ୍‌ଲାଇନ୍‌ କାରବାର ନାଁରେ ସାଇବର ଠକମାନେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ। ଏବେ ସେମାନଙ୍କ ପାଇଁ ସେମିତି ଏକ ସୁଯୋଗ ଆସିଛି। କରୋନା ଟିକା ନାଁରେ ସାଇବର ଠକମାନେ ଠକେଇ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି।

ଡିସିପି ଉମାଶଙ୍କର ଦାଶଙ୍କ ସୂଚନାନୁସାରେ ସାଇବର ଠକମାନେ ଲୋକଙ୍କ ପାଖକୁ ଫୋନ୍ କରିବେ। ଟିକା ପାଇଁ ରେଜିଷ୍ଟ୍ରେସନ କରାଇବାକୁ କହି ଆଧାର କାର୍ଡ, ଇ-ମେଲ୍ ଆଇଡି, ଜନ୍ମ ତାରିଖ ଭଳି ତଥ୍ୟ ମାଗି ପାରନ୍ତି। ଏହି ତଥ୍ୟ ପାଇବା ପରେ ମୋବାଇଲ୍‌ ଫୋନ୍‌କୁ ଯେଉଁ ଓଟିପି ଯିବ ତାହାକୁ ଦେବା ପାଇଁ ଠକ କହିପାରେ। ବ୍ୟାଙ୍କ୍‌ ଆକାଉଣ୍ଟ ସହ ଆଧାର କାର୍ଡର ସଂଯୋଗ ଥିବାରୁ ଓଟିପି ପାଇଲା ପରେ ଠକ ଅନ୍‌ଲାଇନ୍ ଟ୍ରାଞ୍ଜାକସନ୍ କରିବାର ସମ୍ଭାବନା ରହିଛି। ତେଣୁ ଯଦି ଏଭଳି ଫୋନ୍‌ କଲ୍ ଆସେ, ତା’ହେଲେ କିଛି ତଥ୍ୟ ନ ଦେବା ପାଇଁ ଲୋକଙ୍କୁ ଡିସିପି ଶ୍ରୀ ଦାଶ କହିଛନ୍ତି। ଏଭଳି ଫୋନ୍‌ ନମ୍ବର ପାଇଲେ, ତାହାକୁ ସହାୟତା ଡେସ୍କ୍‌କୁ ଦେବା ଲାଗି ସେ ଅନୁରୋଧ କରିଛନ୍ତି। ଟିକା ସମ୍ପର୍କରେ ସରକାରଙ୍କ ଵେବ୍‌ସାଇଟ୍, ଟ୍ବିଟର, ଟୋଲ୍ ଫ୍ରି ନମ୍ବରରେ ତଥ୍ୟ ଉପଲବ୍ଧ ହୋଇପାରେ। ତେଣୁ ଅନ୍ୟ ଫୋନ୍‌ କଲ୍‌ ଆସିଲେ, କୌଣସି ତଥ୍ୟ ନ ଦେବା ଲାଗି କହିଛନ୍ତି ସାଇବର ବିଶେଷଜ୍ଞ। ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣ ସମୟରେ ଯେତେବେଳେ ବଜାରରେ ସାନିଟାଇଜର, ମାସ୍କ, ପିପିଇ କିଟ୍‌ର ଅଭାବ ଥିଲା, ସେତେବେଳେ ସାଇବର ଅପରାଧୀମାନେ ଏହାକୁ ଆଳ କରି ଠକେଇ କରିଥିଲେ। ବିଭିନ୍ନ ଅନ୍‌ଲାଇନ୍ ବିଜ୍ଞାପନ ମାଧ୍ୟମରେ ଠକେଇ ହୋଇଥିଲା।

ସମ୍ବନ୍ଧିତ ଖବର