ସତ୍ୟନଗର ଶ୍ମଶାନ ଦେଖାଇଲାଣି ଦାରୁଣ ଚିତ୍ର: ୨୪ଘଣ୍ଟାରେ ୭ ଆକ୍ରାନ୍ତଙ୍କ ଶବଦାହ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ବି ବଢ଼ିଲାଣି। ସରକାର ତତ୍‌କ୍ଷଣାତ କରୋନାରେ ମୃତକ ସଂଖ୍ୟା ଘୋଷଣା କରୁନଥିଲେ ହେଁ ଭିତରେ ଭିତରେ ଏହା ବଢ଼ିବାରେ ଲାଗିଛି। ଏବେ ଦିନକୁ ପ୍ରାୟ ୭ରୁ ୮ଜଣଙ୍କର ଶବଦାହ ହେଉଥିବା ଖବର ଆସୁଛି। ସତ୍ୟନଗର ଶ୍ମଶାନ ଏବେଠୁ କରୋନା ସ୍ଥିତିର ଏମିତି ଦାରୁଣ ଚିତ୍ର ଦେଖାଇଲାଣି।

କିଛି ମାସ ହେଲା ସତ୍ୟନଗର ଶ୍ମଶାନରେ ଗହଳଚହଳ ଲାଗୁନଥିବାବେଳେ ଗତ ସପ୍ତାହରୁ ଶ୍ମଶାନ ସମ୍ମୁଖ ରାସ୍ତାରେ ଗହଳି ଜମିଲାଣି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ (ଆଜି ଅପରାହ୍ନ ୨ଟା ସୁଦ୍ଧା) ସତ୍ୟ ନଗର ଶ୍ମଶାନରେ ୭ଜଣ କରୋନା ଆକ୍ରାନ୍ତଙ୍କର ଶବଦାହ ହୋଇଛି। ତେବେ ଯେଉଁ ୭ଜଣଙ୍କର ଶବଦାହ ହୋଇଛି ସେମାନେ ସମସ୍ତେ ଭୁବନେଶ୍ବରର ନା ବାହାର ଜିଲ୍ଲାର ତାହା ସ୍ପଷ୍ଟ ହୋଇନି। ରାଜ୍ୟ ସରକାର କେତେ ଆକ୍ରାନ୍ତଙ୍କର ମୃତ୍ୟୁ ଦେଖାଉଛନ୍ତି ତାହା ଆସନ୍ତାକାଲି ଜଣାପଡ଼ିବ। ଅପରପକ୍ଷେ ଶ୍ମଶାନରେ ଥିବା ବିଦ୍ୟୁତ ଚୁଲା ଏବେ ଚାଲୁ ନଥିବାରୁ ଶ୍ମଶାନରେ ପୂର୍ବଭଳି କାଠ ଚୁଲାରେ ଶବଦାହ ହେଉଛି। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ଶ୍ମଶାନରୁ ନିର୍ଗତ ହେଉଥିବା ଧୂଆଁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ।

ସମ୍ବନ୍ଧିତ ଖବର