ରାଜଧାନୀରେ କରୋନା ଭାଙ୍ଗିଲା ସବୁ ରେକର୍ଡ : ଦିନକରେ ୨୪୮ ପଜିଟିଭ୍, ୧୭ % ହାର ବଢ଼ିଲା

ଭୁବନେଶ୍ୱର : ରାଜଧାନୀରେ ଆଜି କରୋନା ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଗୋଟିଏ ଦିନରେ ୧୭ ପ୍ରତିଶତ ହାରରେ ସଂକ୍ରମଣ ବୃଦ୍ଧି ହେବା ସହିତ ୨୪୮ଜଣ ପଜିଟିଭ୍ ଚିହ୍ନଟ ହୋଇଛି। ଯାହାକି ରାଜଧାନୀରେ ଏପର୍ଯ୍ୟନ୍ତ ସର୍ବାଧିକ। ବିଭିନ୍ନ ବସ୍ତି, ହସ୍ପିଟାଲରୁ ପୁଳାପୁଳା ରୋଗୀ ବାହାରିଛନ୍ତି। ଗତ ୫ ଦିନରେ ରାଜଧାନୀରୁ ୫୩୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଲଗାତାର ୨ଦିନ ଧରି ସୁସ୍ଥ ରୋଗୀଙ୍କ ସଂଖ୍ୟା ରାଜଧାନୀରେ ଅଧିକ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଏହାକୁ ବଳି ଯାଇଛି। ଫଳରେ ରାଜଧାନୀର ସୁସ୍ଥ ହାର ପୁଣିଥରେ ଖସି ଆସିଛି।

ଚିହ୍ନଟ ୨୪୮ଜଣଙ୍କ ମଧ୍ୟରୁ ୨୦୭ଜଣ ସଙ୍ଗରୋଧରୁ ଓ ୪୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ବିଜେବିନଗର ହରିନଗରରୁ ୪୫ଜଣ ଓ ନୂ୍ଆପଲ୍ଲୀ ସୀତାପୁର ବସ୍ତିରୁ ୨୦ଜଣଙ୍କୁ ମିଶାଇ ୨ଟି ବସ୍ତିରୁ ୬୫ ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ବିଏମ୍‌ସି ପକ୍ଷରୁ ହରିନଗରକୁ ଆଜି କଣ୍ଟେନମେଣ୍ଟ ବା ସଂକ୍ରମଣ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ମଧ୍ୟ ୨୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତେ ପୂର୍ବରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା କୁହାଯାଇଛି। ସଂପୃକ୍ତ ହସ୍ପିଟାଲରୁ ଗତ ୧୦ ଦିନ ଭିତରେ ୮୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ମାତ୍ର ଏ ପର୍ଯ୍ୟନ୍ତ ସେମାନଙ୍କ ସଂସ୍ପର୍ଶରେ ଘୋଷଣା ହୋଇ ନଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହାବାଦ୍ ରାଜଧାନୀର ସବୁ ଅଞ୍ଚଳକୁ କରୋନା ଛାଇ ଗଲାଣି। ରାଜମହଲରେ ଥିବା କନଷ୍ଟ୍ରକସନ୍‌ କମ୍ପାନିରୁ ପୁଣି ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

୪୧ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶଙ୍କ କୌଣସି ଯାତ୍ରା ଇତିହାସ ନାହିଁ କି ସେମାନେ ହଟ୍‌ସ୍ପଟ୍‌ ଅଞ୍ଚଳକୁ ଗସ୍ତ କରିନାହାନ୍ତି। ତଥାପି ‌କରୋନା ସଂକ୍ରମିତ ହୋଇଛନ୍ତି। ତ୍ରିନାଥ ବସ୍ତି, ମହିଷାଖାଲ ବସ୍ତି, ଆଇଗିଣିଆ ଆଳୁ ଗଦି, ସୀତାରାମ ବସ୍ତି, ନୂଆସାହି ଓ ଶବର ସାହି ଭଳି ବସ୍ତିରୁ ପଜିଟିଭ୍ ବାହରିଛନ୍ତି। ରାଜଧାନୀର‌ ଗୋଟିଏ ପରେ ଗୋଟିଏ ବସ୍ତିକୁ କରୋନା ମାଡ଼ି ଚାଲିଛି। ଗତ ୫ ଦିନରେ ରାଜଧାନୀରୁ ୧୧୩ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ରାଜଧାନୀରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୧୭ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ୮୩୪ଜଣ ସୁସ୍ଥ ହୋଇଥିବା ବେଳେ ୮୭୦ଜଣ ଚିକିତ୍ସିତ ହେଉଛନ୍ତି। ୧୧ ଜଣଙ୍କ ରାଜଧାନୀରେ କରୋନା ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର