କରୋନା ଭୟ : ସବୁ ଜିଲ୍ଲା ଚିକିତ୍ସାଳୟରେ ହେବ ସ୍ବତନ୍ତ୍ର ୱାର୍ଡ

ଚିକିତ୍ସାଳୟ ଅଧୀକ୍ଷକ ଓ ମ୍ୟାନେଜରଙ୍କ ସହ ସ୍ବାସ୍ଥ୍ୟ ସଚିବଙ୍କ ଆଲୋଚନା

ଭୁବନେଶ୍ବର: କରୋନା ଭୂତାଣକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇଉଠିଛି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଘନଘନ ବୈଠକ ଡାକିବା ସହିତ ସମସ୍ତ ପ୍ରକାର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି। ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥାଠାରୁ ୪ଟି ହସ୍ପିଟାଲରେ ଆଇସୋଲେସନ୍‌ ୱାର୍ଡ ନିର୍ମାଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ସବୁ ଜିଲ୍ଲାର ଚିକିତ୍ସାଳୟ ଅଧୀକ୍ଷକ ଓ ହସ୍ପିଟାଲ ମ୍ୟା‌ନେଜର୍‌ଙ୍କ ସହ କରୋନା ଭୂତାଣୁ ସଂପର୍କରେ ଆଲୋଚନା କରିଛନ୍ତି। କରୋନା ଭୂତାଣୁ ପାଇଁ ଏ ପର୍ଯ୍ୟନ୍ତ କୌଣସି ଟିକା ଉପଲବ୍ଧ ହେଉ ନ ଥିବାରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି।

ଆଜି ହୋଟେଲ କଳିଙ୍ଗ ଅଶୋକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଭୂତାଣୁ ନେଇ ଏକ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ବାସ୍ଥ୍ୟ ସଚିବ ଶ୍ରୀ ଧଳ କହିଥିଲେ, ଭୁବନେଶ୍ବରରୁ ମାଲେସିଆକୁ ସିଧାସଳଖ ବିମାନ ଉଡ଼ୁଥିବାରୁ ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହୋଇଛି। କରୋନା ଭୂତାଣୁରେ ଏ ପର୍ଯ୍ୟନ୍ତ ୪୫୬୫ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ ୧୦୬ଜଣଙ୍କ ମୃତ୍ୟୁ ହୋଇଛି। ତହିଁରୁ ୯୮ପ୍ରତିଶତ ମାମଲା ଚୀନ୍‌ର। ରାଜ୍ୟର ୪ଟି ଡାକ୍ତରଖାନାରେ ଆଇସୋଲେସନ୍‌ ୱାର୍ଡର ବ୍ୟବସ୍ଥା କରାଯାଇଛି। ପାରାଦୀପ ବନ୍ଦରକୁ ମଧ୍ୟ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ପାରାଦୀପ ସିଡିଏମ୍‌ଓଙ୍କୁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି। ଏହାସହ ତାରକା ହୋଟେଲରେ ରହିଥିବା ବିଦେଶୀ ନାଗରିକ ବିଶେଷକରି ଚୀନ୍ ନାଗରିକଙ୍କ ସଂପର୍କରେ ସୂଚନା ଦେବା ଲାଗି କୁହାଯାଇଛି। ଏହାସହ ଜିଲ୍ଲାସ୍ତରରେ ଆଇସୋଲେସନ୍‌ ୱାର୍ଡର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି। ଆବଶ୍ୟକସ୍ଥଳେ ଯେଉଁ ବ୍ୟକ୍ତିଙ୍କୁ ସନ୍ଦେହ କରାଯିବ, ତାଙ୍କୁ ଏସ୍‌ସିବି, ଭୀମସାର କିମ୍ବା ଏମ୍‌ସକୁ ସ୍ଥାନାନ୍ତର କରାଯିବ। ତେଣୁ ସବୁ ଥଣ୍ଡା ବା ଫ୍ଲୁ’କୁ କରୋନା ଭୂତାଣୁ ଦ୍ବାରା ହୋଇଛି ବୋଲି କୁହାଯାଇପାରିବ ନାହିଁ। ଜନସାଧାରଣ ଏଥିପାଇଁ ଆତଙ୍କିତ ନ ହେବା ସହ ପରିଷ୍କାର ପରିଚ୍ଛନ୍ନତାକୁ ବଜାୟ ରଖିବା ଜରୁରୀ ବୋଲି ଶ୍ରୀ ଧଳ କହିଛନ୍ତି।

ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି କହିଥିଲେ, କରୋନା ଭୂତାଣୁ ବାୟୁମଣ୍ଡଳରେ ପୂର୍ବରୁ ରହି ଆସିଛି। ୨୦୦୨/୦୩ ମସିହାରେ ଏହା ସାର୍ସ ଓ ୨୦୧୨/୧୩ରେ ଏମ୍‌ଇଆର୍‌ଏସ୍‌ ନାମରେ ଆସିଥିଲା। କ‌ରୋନା ଭୂତାଣରୁ ଆକାର ଅନ୍ୟ ଭୂତାଣରୁ ତୁଳନାରେ ବହୁତ ବଡ଼। ତେଣୁ ଦୀର୍ଘ ଦିନ ଧରି ଏହା ବାୟୁମଣ୍ଡଳରେ ରହିପାରିବ ନାହିଁ। ତେଣୁ ଯେଉଁମାନଙ୍କୁ ସନ୍ଦେହ କରାଯିବ, ସେମାନଙ୍କୁ ଆଇସୋଲେସନ୍‌ ୱାର୍ଡରେ ଚିକିତ୍ସା କରାଯିବ। ଏହାସହ ହସ୍ପିଟାଲର ଯେଉଁ କର୍ମଚାରୀମାନେ ସିଧାସଳଖ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେ, ସେମାନେ ନିଜର ସୁରକ୍ଷା ବା ପିପିଇକୁ ଗୁରୁତ୍ବ ଦେବା ଜରୁରୀ ବୋଲି ପ୍ରଫେସର୍‌ ମହାନ୍ତି କହିଥିଲେ।

ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ଅଜିତ କୁମାର ମହାନ୍ତି କହିଲେ, ଏ ପର୍ଯ୍ୟନ୍ତ ୧୨ଟି ଦେଶ କରୋନା ଭୂତାଣୁକୁ ଚିହ୍ନଟ କରାଯାଇଛି। ରାଜ୍ୟରେ ବିଭାଗ ପକ୍ଷରୁ କରୋନା ଭୂତାଣୁ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଝାରସୁଗୁଡ଼ା ଜିଲ୍ଲାକୁ ନେଇ ଚିନ୍ତା ରହିଛି। ସେଠାରେ ଥିବା ଶିଳ୍ପାନୁଷ୍ଠାନଗୁଡ଼ିକରେ ଅନେକ ଚୀନ୍‌ ନାଗରିକ କାର୍ଯ୍ୟ କରୁଥିବାରୁ ସେମାନଙ୍କ ଗତ ୧ମାସର ଗସ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯିବ। ସ୍ଥାନୀୟ ଜିଲ୍ଲାପାଳ ଏ ସଂପର୍କରେ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର