ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ଗଞ୍ଜାମକୁ ଟପିଲା ଖୋର୍ଧା

ରାଜଧାନୀରୁ ଦିନକରେ ୧୯୦ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩୭୬୩ରେ ପହଞ୍ଚିଲା
୨୪ ଘଣ୍ଟାରେ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଉଛି: ବିଏମ୍‌ସି

ଭୁବନେଶ୍ୱର : ଖୋର୍ଧା ଜିଲ୍ଲାରେ ଏବେ କରୋନା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଗତ ୬ତାରିଖରେ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଗଞ୍ଜାମକୁ ପଜିଟିଭ୍‌ରେ ପଛରେ ପକାଇଥିବା ଖୋର୍ଧା ଜିଲ୍ଲା ଆଜି ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ମଧ୍ୟ ଗଞ୍ଜାମକୁ ଟପି ଯାଇଛି। ଗଞ୍ଜାମରେ ୨୩୧୯ ସକ୍ରିୟ ରୋଗୀ ଥିବା ବେଳେ ଖୋର୍ଧା ଜିଲ୍ଲାରେ ଏବେ ୩୦୪୧ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜ୍ୟର ୧୧ ସର୍ବାଧିକ ପ୍ରଭାବିତ ଜିଲ୍ଲା ମଧ୍ୟରେ ଖୋର୍ଧାରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ଖୋର୍ଧା ଜିଲ୍ଲାର ରୋଗୀଙ୍କ ମଧ୍ୟରେ ଭୁବନେଶ୍ବରର ୧୩୮୩ଜଣ ଏବେ ବି ସକ୍ରିୟ ରୋଗୀ ରହିଛନ୍ତି। ଯାହାକି ଜିଲ୍ଲାର ସକ୍ରିୟ ରୋଗୀଙ୍କ ୪୪ ପ୍ରତିଶତ। ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରୁ ୧୬୫୮ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି।

ଅପରପକ୍ଷରେ ଗତ ୨୪ଘଣ୍ଟାରେ ରାଜଧାନୀ‌ରେ ୧୯୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜଧାନୀରେ ସମୁଦାୟ ସଂଖ୍ୟା ୩୭୬୩‌ରେ ପହଞ୍ଚିଛି। ଚିହ୍ନଟ ୧୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୮ଜଣ ସଙ୍ଗରୋଧରୁ ଅଛନ୍ତି। ଏଥିରେ କପିଳେଶ୍ବର ଅଞ୍ଚଳରୁ ୨୧ଜଣ, ବରମୁଣ୍ଡା ବେହେରା ସାହିରୁ ୭ଜଣ, ବମିଖାଲ ଗାୟତ୍ରୀ ଏନକ୍ଲେଭ୍ ନିକଟରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ସଙ୍ଗ‌ରୋଧରୁ ରହିଥିବା ବ୍ୟକ୍ତି ନମୁନା ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

DTU

ସେହିପରି ୫୨ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ କପିଳେଶ୍ବର ତଳସାହି, କଟକ ରୋଡ, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୩ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ଏହାସହ ନ୍ୟୁ ଫରେଷ୍ଟ ପାର୍କ, ବରମୁଣ୍ଡା, ଗ୍ୟାରେଜ୍ ଛକ, ତମାଣ୍ଡୋ, ବିଳାସିନୀ ମଣ୍ଡପ, ପାତ୍ରପଡ଼ା କଳିଙ୍ଗ ବିହାର, ଶାସ୍ତ୍ରୀନଗର, ବରମୁଣ୍ଡା, ପୋଖରୀପୁଟ, ଜୟଦେବ ବିହାର ଓ ଅନ୍ୟାନ୍ୟ ଅଞ୍ଚଳରୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେବେ ଗତ କିଛିଦିନ ହେବ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଗତ ଦିନକରେ ଚିହ୍ନଟ ହୋଇଥିବା ରୋଗୀଙ୍କ କ୍ଷେତ୍ରରେ ଏହା ଖସି ଆସିଛି। ୧୯୦ ଆକ୍ରାନ୍ତଙ୍କ ମଧ୍ୟରେ ମାତ୍ର ୨୭ ପ୍ରତିଶତ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି।

୨୪ ଘଣ୍ଟାରେ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଉଛି: ବିଏମ୍‌ସି
ଭୁବନେଶ୍ବର : କରୋନା ଆକ୍ରାନ୍ତ ଚିହ୍ନଟ ହେବାର ଦୁଇରୁ ତିନି ଦିନ ପରେ ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲ/କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଉଥିବାରୁ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏନେଇ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ପକ୍ଷରୁ ତତ୍ପରତା ଦେଖାଦେଇଛି। ଆଜି ବିଏମ୍‌ସି କମିସନର କହିଛନ୍ତି ଯେ, ଆମେ କରୋନା ପଜିଟିଭ୍ ଚିହ୍ନଟ ହେବାର ୨୪ଘଣ୍ଟା ମଧ୍ୟରେ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନେଇଛୁ। ଆକ୍ରାନ୍ତ ଚିହ୍ନଟ ହେବା ଦିନ କିମ୍ବା ତା’ ପରଦିନ (୨୪ ଘଣ୍ଟା ଭିତରେ) ଆମେ ସ୍ଥାନାନ୍ତର କରୁଛୁ। ଏଥିପାଇଁ ବିଏମ୍‌ସି ପକ୍ଷରୁ ୨୪ଟି ଗାଡ଼ି ନିୟୋଜିତ କରାଯାଇଛି। ପୂର୍ବରୁ ୧୪ଟି ଗାଡ଼ି ଥିବାରୁ ଆକ୍ରାନ୍ତଙ୍କ ସ୍ଥାନାନ୍ତର କରିବାରେ ବିଳମ୍ବ ହେଉଥିଲା। କିନ୍ତୁ ଏବେ ଆଉ ସେ ସମସ୍ୟା ନାହିଁ। ସେହିପରି ବର୍ତ୍ତମାନ ସୁଦ୍ଧା ୫୧୫ଜଣ କରୋନା ଆକ୍ରାନ୍ତ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହୋଇଥିବାବେଳେ ଏଥିରୁ ୩୨୭ଜଣ ସୁସ୍ଥ ହୋଇଗଲେଣି। ହୋମ୍‌ ଆଇସୋଲେସନ୍‌ କେସ୍‌ରେ ସୁସ୍ଥ ହାର ୬୦.୧୧% ରହିଛି।

ସମ୍ବନ୍ଧିତ ଖବର