ଦ୍ବୈତନଗରୀକୁ ବିପଦ ବଢ଼ିଲା, ଡାକ୍ତର, ଝାଡ଼ୁଦାର ଓ ସୁରକ୍ଷା କର୍ମୀ ପଜିଟିଭ୍

ଭୁବନେଶ୍ବର : ଗତ କିଛିଦିନ ଧରି ଭୁବନେଶ୍ବର ଓ କଟକରେ ଏକାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷକରି ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ଝାଡ଼ୁଦାର ଓ ସୁରକ୍ଷା କର୍ମୀ ପଜିଟିଭ୍ ଚିହ୍ନଟ ହେବା ପରେ ଲୋକଙ୍କ ଭିତରେ ଛନକା ପଶିଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଚିହ୍ନଟ ହୋଇଥିବା ଅଞ୍ଚଳକୁ ଅବରୋଧ କରାଯାଉଛି। ତଥାପି କିଛି ସଂକ୍ରମିତଙ୍କ ଯାତ୍ରା ବିବରଣୀ ମିଳୁ ନ ଥିବାରୁ ଏହା ସରକାରଙ୍କ ପାଇଁ ପ୍ରମୁଖ ଆହ୍ବାନ ପାଲଟିଛି। ରାଜଧାନୀରେ ଗତ ୨୪ଘଣ୍ଟା ଭିତରେ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ଭିତରେ ଜଣେ ଏମ୍‌ସର ଜୁନିୟର ମହିଳା ଡାକ୍ତର ରହିଛନ୍ତି। ଡାକ୍ତରଙ୍କ ନିକଟରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ନମୁନା ପରୀକ୍ଷା ପରେ ସେ ପଜିଟିଭ୍ ଥିବା ସ୍ପଷ୍ଟ ହୋଇଥିଲା। ଫଳରେ ସେ ଯେଉଁ ବହିର୍ବିଭାଗରେ କାର୍ଯ୍ୟ କରୁଥିଲେ ତାହାକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଏହାସହ ତାଙ୍କ ସହ ଯେଉଁ କର୍ମଚାରୀମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ସେହିପରି ଆଇଗିଣିଆ ଓ ଡୁମୁଡୁମାରେ ଜଣେ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଡୁମୁଡୁମାର ଯେଉଁ ବ୍ୟକ୍ତି ଜଣକ କରୋନା ପଜିଟିଭ୍ ହୋଇଛନ୍ତି ସେ କଳିଙ୍ଗ ବିହାରରେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।

କିଛିଦିନ ପୂର୍ବରୁ ରାଜଧାନୀରେ ଜଣେ ବିରିୟାନି ଡେଲିଭରି ବୟ ଓ ଗ୍ୟାସ୍‌ ଏଜେନ୍‌ସିରେ କାର୍ଯ୍ୟ କରୁଥିବା ଷ୍ଟୋର କିପର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ଦୁହେଁ କିଭଳି ଭାବେ ସଂକ୍ରମିତ ହେଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ଏହାସହ ପ୍ରଧାନ ସାହି ଅଞ୍ଚଳରେ ଜଣେ ଟିଟିଇ ଓ ପରବର୍ତୀ ସମୟରେ ତାଙ୍କ ପରିବାରର ୪ଜଣ ସଦସ୍ୟ ମଧ୍ୟ କରୋନା ଚିହ୍ନଟ ହୋଇଥିଲେ।

ସେହିପରି କଟକରେ ମଧ୍ୟ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ପୂର୍ବରୁ କଟକ ସିଟି ହସ୍ପିଟାଲର ଜଣେ ଶିଶୁରୋଗ ଡାକ୍ତର କରୋନା ସଂକ୍ରମିତ ହୋଇଥିଲେ। ମାତ୍ର ଡାକ୍ତର ଜଣକ କିଭଳି ସଂକ୍ରମିତ ହେଲେ ସେ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଆଜି ସିଡିଏ ଅଞ୍ଚଳରେ ଥିବା ଡାକ୍ତରଖାନାରେ ଜଣେ ଝାଡ଼ୁଦାର ଓ ସୁରକ୍ଷା କର୍ମୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଡାକ୍ତରଖାନାରେ ସଂକ୍ରମଣ ବଢ଼ୁଥିବାରୁ ଲୋକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର