ସାଇବର ଠକଙ୍କ କରୋନା ଅସ୍ତ୍ର, ଦୁଃସମୟର ଫାଇଦା ଉଠାଇ ଲୁଟୁଛନ୍ତି

ଆଇସିୟୁ ବେଡ୍, ଅକ୍ସିଜେନ୍, ଅକ୍ସିମିଟର, ମେଡିସିନ୍ ନାଁରେ ଠକୁଛନ୍ତି, କେତେ ଠକେଇ ହେଲେ ଜାରି ହେବ ଆଡଭାଇଜରି?

ଶୁଭକାନ୍ତ ପଢ଼ିହାରୀ
ଭୁବନେଶ୍ବର: ଯେତେବେଳେ ଲୋକ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି, ସେତେବେଳେ ଲୁଟିବା ପାଇଁ ଜାଲ ବିଛାଇଛନ୍ତି ସାଇବର ଠକ। କରୋନାକୁ କରିଛନ୍ତି ଅମୋଘ ଅସ୍ତ୍ର। ନିଜର ପରିବାର ଲୋକ, ସମ୍ପର୍କୀୟଙ୍କୁ ବଞ୍ଚାଇବା ପାଇଁ ଲୋକଟିଏ ଯେତେବେଳେ ଅସହାୟ ହୋଇ ଅନଲାଇନରେ ଆଇସିୟୁ, ଭେଣ୍ଟିଲେଟର ବେଡଟିଏ ଖୋଜୁଛି; ସେତେବେଳେ ଲୋକଙ୍କ ଏହି ଦୁଃସମୟର ଫାଇଦା ଉଠାଉଛନ୍ତି ସାଇବର ଅପରାଧୀ। ସହାୟତାର ହାତ ବଢ଼ାଇବା ନାଁରେ କୋଟି କୋଟି ଟଙ୍କା ଲୁଟୁଛନ୍ତି ଏହି ଅଦୃଶ୍ୟ ଅପରାଧୀ।

ଗତ ସପ୍ତାହରେ ଝାରପଡ଼ାର ବର୍ଷା ପଟ୍ଟନାୟକ କୋଭିଡ୍ ଚିକିତ୍ସା ପାଇଁ ଅନଲାଇନରେ ଆଇସିୟୁ ବେଡ୍ ଖୋଜୁଥିଲେ। ସେହି ସମୟରେ ଲୁଇସରୋଡରେ ଥିବା ଏକ ଘରୋଇ ହସ୍ପିଟାଲର ଫୋନ୍ ନମ୍ବର ମିଳିଥିଲା। ସେବି ନମ୍ବରକୁ କଲ୍ କରିବା ପରେ ଆଗୁଆ ୨୬ ହଜାର ଟଙ୍କା ଦେବାକୁ ପଡ଼ିଥିଲା। କିନ୍ତୁ ବେଡ୍ ମିଳି ନ ଥିଲା। ଯାଞ୍ଚ ପରେ ସାଇବର ଅପରାଧୀଙ୍କ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଖାଲି ବର୍ଷା ନୁହନ୍ତି, ପ୍ରତିଦିନ ତାଙ୍କ ଭଳି ଅନେକ ଲୋକଙ୍କ ଅସହାୟତାର ସୁଯୋଗ ନେଉଛନ୍ତି ସାଇବର ଠକ। ଶରୀରର ଅକ୍ସିଜେନ ଲେଭଲ ମାପିବା ପାଇଁ ଏବେ ଅକ୍ସିମିଟର ଚାହିଦା ବଢ଼ି ଯାଇଛି। ଅକ୍ସିମିଟର ଆପ୍ ଜରିଆରେ ଅକ୍ସିଜେନ୍ ଲେଭଲ ମାପି ହେବ ବୋଲି ବିଜ୍ଞାପନ ଦିଆଯାଉଛି। କିନ୍ତୁ ଆପ୍‌କୁ ଡାଉନଲୋଡ୍ କରିବା ପରେ ମୋବାଇଲ ଫୋନର ସମସ୍ତ ତଥ୍ୟ ହ୍ୟାକର ପାଖକୁ ପଳାଉଛି। ଆଉ ଲୋକେ ଠକାମିର ଶିକାର ହେଉଛନ୍ତି । ସେହିପରି ସବୁଠୁ ଅଧିକ ଖୋଜା ପଡ଼ୁଥିବା ଅକ୍ସିଜେନ୍ ସିଲିଣ୍ଡର, ରେମିଡେସିଭର ଇଞ୍ଜେକସନ୍ ଓ କରୋନା ଔଷଧ ନାଁରେ ମଧ୍ୟ ଠକାମିର ଶିକାର ହେଉଛନ୍ତି ଲୋକେ। ଅନଲାଇନରେ ଖୋଜିବା ସମୟରେ ଠକଙ୍କ ନମ୍ବର ଆସୁଛି। କିନ୍ତୁ ତାହାକୁ ସହଜରେ ଲୋକ ଜାଣି ପାରୁ ନାହାନ୍ତି।
ସେତିକିରେ ସରିନି ସାଇବର ଅପରାଧୀଙ୍କ ଠକାମିର କଳା କରାନାମା।

ଏବେ ଦେଶରେ ଟିକାର ସଂକଟ ଦେଖାଦେଇଛି। ଟିକା ନେବାକୁ ଲୋକ ଚାତକ ପରି ଚାହିଁ ବସିଛନ୍ତି। ଏହି ସମୟରେ ଠକ ବିଛାଇଛନ୍ତି ଜାଲ। ଲୋକଙ୍କୁ ଟିକା ନେବା ଲାଗି ମେସେଜ୍ ପଠାଉଛନ୍ତି। ଟିକା ପାଇ ନ ଥିବା କେତେକ ବ୍ୟକ୍ତି ଏହି ମେସଜକୁ ବିଶ୍ବାସ କରି ଯାଉଛନ୍ତି। ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରିବା ପରେ ଆଧାର କାର୍ଡ, ଫୋନ୍ ନମ୍ବର ଭଳି ସବିଶେଷ ତଥ୍ୟ ପୂରଣ କରିବାକୁ କୁହାଯାଉଛି। ଏହା ପରେ ଠକ ସବୁ ସୂଚନା ପାଇବା ସହ ମୋବାଇଲକୁ ମଧ୍ୟ ହ୍ୟାକ୍ କରି ତଥ୍ୟ ଚୋରି କରି ନେଉଛି ଏବଂ ଆକାଉଣ୍ଟରୁ ଟଙ୍କା ମଧ୍ୟ ନେଇଯାଉଛି। କରୋନା କାଳରେ ଲୋକଙ୍କ ଦୁର୍ବଳ ମୁହୂର୍ତ୍ତର ଫାଇଦା ଉଠାଇ ବିଭିନ୍ନ ଉପାୟରେ ଠକି ଚାଲିଛନ୍ତି ଠକ। ଗୋଟିଏ ପଟେ ଠକେଇ ବଢ଼ି ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚ କିମ୍ବା ରାଜ୍ୟ ପୁଲିସ ପକ୍ଷରୁ କେବେ ସଚେତନତା ଆଡଭାଇଜରି ଜାରି କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ।

କରୋନା କାଳରେ ହେଉଥିବା ଆଉ କିଛି ଠକେଇ
କରୋନା ସମୟରେ ଆଉ କିଛି ଠକେଇ ମଧ୍ୟ ସାମ୍ନାକୁ ଆସିଛି। ଅନେକ ବ୍ୟକ୍ତି ରୋଜଗାର ହରାଇଛନ୍ତି। ଯୋଗ୍ୟତା ଭିତ୍ତିରେ ସରକାରୀ ଓ ବେସରକାରୀ ବିଜ୍ଞାପନ ଦେଇ ଠକ ଠକି ଚାଲିଛନ୍ତି। ଘରେ ବସି ସୋସିଆଲ ମିଡିଆ ପୋଷ୍ଟକୁ କ୍ଲିକ୍ କଲେ ରୋଜଗାର କରିବାର ଲୋଭ ଦେଖାଇ ଠକେଇ ହେଉଥିବା ମଧ୍ୟ ସାମ୍ନାକୁ ଆସିଛି। ସେହିପରି ଗାଡ଼ି, ଘର କିମ୍ବା କୌଣସି ଆସବାବପତ୍ର ଫାଇନାନ୍ସରେ ଆଣିଥିବା ବ୍ୟକ୍ତିଙ୍କୁ କଲ୍ ମଧ୍ୟ ଆସୁଛି। କରୋନା ପାଇଁ ରୋଜଗାର କମି ଥିବାରୁ ରିହାତି ମିଳିବ ବୋଲି ଠକ କହୁଛି। ଏଥିପାଇଁ ବ୍ୟାଙ୍କ ଓ ବ୍ୟକ୍ତିଗତ ବିବରଣୀ ମାଗି ଠକେଇ କରୁଛି। ସେହିପରି ଚିକିତ୍ସା ଓ ଜୀବନ ବୀମା ଲୋଭ ଦେଖାଇ ମଧ୍ୟ ଠକେଇ ହେଉଥିବା ଜଣାପଡ଼ିଛି।

ଠକଙ୍କ ଜାଲରୁ ବର୍ତ୍ତିବେ କେମିତି?
ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ ଆପ୍ ଦ୍ବାର ଶରୀରର ଅକ୍ସିଜେନ ଲେଭଲ ମାପିବା ପାଇଁ କୌଣସି ବୈଷୟିକ ଜ୍ଞାନକୌଶଳ ନାହିଁ। ଏଥିପାଇଁ ଅକ୍ସିମିଟର ଆବଶ୍ୟକ। ସ୍ମାର୍ଟ ଘଣ୍ଟାରେ ମଧ୍ୟ ଏହି ବ୍ୟବସ୍ଥା ରହିଛି। ଲୋକ ଏହାକୁ ବିଶ୍ବାସ କରିବା ଉଚିତ୍ ନୁହେଁ। ସେହିପରି ମେଡିସିନ୍, ଅକ୍ସିଜେନ୍ ସିଲିଣ୍ଡର, ଇଞ୍ଜେକସନ କିଣିବା ଓ ହସ୍ପିଟାଲ ବେଡ୍ ପାଇବା ପାଇଁ ଆଗୁଆ ଟଙ୍କା ଦିଅନ୍ତୁ ନାହିଁ। କିମ୍ବା ନିଜର ବ୍ୟକ୍ତିଗତ ତଥ୍ୟ ଦେବା ମଧ୍ୟ ଉଚିତ ନୁହେଁ। ଫଳରେ ଜଣେ ଠକାମିରୁ ବର୍ତ୍ତି ଯାଇ ପାରିବ। ହସ୍ପିଟାଲର ଲ୍ୟାଣ୍ଡ ଲାଇନ୍ ନମ୍ବର କିମ୍ବା ଇମେଲ୍ ଯୋଗେ ଯୋଗାଯୋଗ କଲେ ଠକେଇରୁ ଜଣେ ବର୍ତ୍ତି ଯାଇପାରିବ।

ସମ୍ବନ୍ଧିତ ଖବର