କରୋନା ବାଣ୍ଟିଦେବେ ଅମାନିଆ ଛାତ୍ରଛାତ୍ରୀ! ରମାଦେବୀରେ ୧୫୦ ଛାତ୍ରୀଙ୍କ କୋଭିଡ୍‌ ପରୀକ୍ଷା

କ୍ୟାମ୍ପସ୍‌ରେ କାଁ ଭାଁ ମାନୁଛନ୍ତି, ବାହାରକୁ ଆସିଲେ ବିନ୍ଦାସ୍, ମୁହଁରେ ମାସ୍କ ରହୁନାହିଁ, ସାମାଜିକ ଦୂରତା ଶୂନ୍

ଭୁବନେଶ୍ୱର: ରାଜଧାନୀର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ମାଡ଼ି ଚାଲିଛି କରୋନା। ପ୍ରଥମେ ଏକ୍ସଆଇଏମ୍‌ବିରୁ ୨୫ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ଏହାକୁ ସିଲ୍‌ କରିଥିଲା। ଏବେ ଡଜନେରୁ ଅଧିକ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇସାରିଲେଣି। ଅମାନିଆ ଛାତ୍ରଛାତ୍ରୀଙ୍କ ଲାଗି ଏହି ଧାରା ଜାରି ରହିଛି। ପ୍ରତିଦିନ ଏକାଧିକ ଶିକ୍ଷାନୁଷ୍ଠାନରୁ କରୋନା ଆକ୍ରାନ୍ତ ବାହାରୁଛନ୍ତି। ‌ଯେଉଁଥିପାଇଁ ଇତିମଧ୍ୟରେ ଦୁଇଟି କୋଚିଂ ସେଣ୍ଟର ସମେତ ମୋଟ ୪ଟି ଶିକ୍ଷାନୁଷ୍ଠାନକୁ ସିଲ୍‌ କରାଯାଇ ସାରିଲାଣି। ଆଗକୁ ଆଉ କେତେ ଯେ ଶିକ୍ଷାନୁଷ୍ଠାନ ସିଲ୍‌ ହେବ ତାହା କହିବା ମୁସ୍କିଲ୍‌। କାରଣ ଅଧିକାଂଶ ଶିକ୍ଷାନୁଷ୍ଠାନରୁ ଆକ୍ରାନ୍ତ ବାହାରୁଥିଲେ ମଧ୍ୟ ତାହାକୁ ଲୋକଲୋଚନକୁ ଅଣାଯାଉ ନାହିଁ। ବରଂ ଚାପି ରଖାଯାଉଛି। ଯାହାକି ଭବିଷ୍ୟତରେ ଭୟଙ୍କର ରୂପ ନେବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ରାଜଧାନୀର ଏକାଧିକ ଘରୋଇ ବିଦ୍ୟାଳୟ ଓ କଲେଜର ବହୁ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା‌ବେଳେ ଏବେ ସରକାରୀ ବିଦ୍ୟାଳୟ ଓ କଲେଜରେ ବି କରୋନା ମାଡ଼ିବା ଆରମ୍ଭ କରିଛି। ଇତିମଧ୍ୟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଜଣେ ଅଧ୍ୟାପିକା ଆକ୍ରାନ୍ତ ହୋଇଥିବା ବେଳେ ବିଜେବି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବି ସଂକ୍ରମଣର ଖବର ଆସିଛି।

ଆଜି ସୁଦ୍ଧା ଦୁଇ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ପିଲା ବି ଆକ୍ରାନ୍ତ ହୋଇଥିଲେ। ଏବେ ରାଜଧାନୀରେ କରୋନା ଉପରମୁହାଁ ରହି ଥିଲେ ହେଁ ଅମାନିଆ ଛାତ୍ରଛାତ୍ରୀ ବୋଲ ମାନୁ ନାହାନ୍ତି। ସବୁ ସତର୍କତା ଓ ନିୟମକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି। କରୋନା ତା’ ବାଟରେ ମାଡ଼ି ଚାଲିଥିବା ବେଳେ ପିଲାମାନେ ସତେ ଯେମିତି କରୋନାକୁ ଖୋଲା ଆମନ୍ତ୍ରଣ କରୁଛନ୍ତି। ଶିକ୍ଷାନୁଷ୍ଠାନ କ୍ୟାମ୍ପସ କିମ୍ବା ବାହାରେ କେଉଁଠି ବି ପାଳନ ହେଉନି କରୋନା କଟକଣା। ଛାତ୍ରଛାତ୍ରୀ ଏପରିକି ଅଧ୍ୟାପକ, ଅଧ୍ୟାପିକାମାନେ ବି ଖୁଲମ୍‌ଖୁଲା ବିନା ମାସ୍କରେ କଲେଜ ଆସୁଛନ୍ତି। କ୍ୟାମ୍ପସ ବାହାରେ ଖଟି ଜମାଉଛନ୍ତି। କେତେକ କ୍ୟାମ୍ପସରେ ଥର୍ମାଲ୍‌ ସ୍କ୍ରିନିଂ ହେଉ ନ ଥିବା ବେଳେ ଆଉ କେତେକ ସ୍ଥାନରେ ହାତ ବିଶୋଧନ ଲାଗି ସାନିଟାଇଜର ନାହିଁ। କ୍ୟାମ୍ପସ ବାହାରେ ଉଠାଦୋକାନୀଙ୍କ ନିକଟରେ ଛାତ୍ରଛାତ୍ରୀଙ୍କ ଏମିତି ଭିଡ଼ ହେଉଛି ଯେ ଦେଖିଲେ ଲାଗୁଛି ସତେ ଯେମିତି ମେଳା ଜମିଛି। ଆଜି ଦିନତମାମ ‘ସମ୍ବାଦ’ର ଏକାଧିକ ଟିମ୍‌ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ କରୋନା କଟକଣା ଯାଞ୍ଚ କରିବା‌ ସମୟରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଥିଲା।

ରମାଦେବୀରେ ୧୫୦ ଛାତ୍ରୀଙ୍କ କୋଭିଡ୍‌ ପରୀକ୍ଷା

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଜଣେ ମହିଳା ପ୍ରଫେସର କରୋନା ଆକ୍ରାନ୍ତ ହେବା ପରେ ଅଧ୍ୟାପକ ଓ କର୍ମଚାରୀଙ୍କୁ ମିଶାଇ ୧୯୮ ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ତେବେ କେହି ଆକ୍ରାନ୍ତ ବାହାରି ନ ଥିଲେ। ଆଜି କ୍ୟାମ୍ପସରେ ଥିବା ହଷ୍ଟେଲ ଅନ୍ତେବାସୀଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି। ମୋଟ ୧୫୦ ଛାତ୍ରୀଙ୍କ ପରୀକ୍ଷା ହୋଇଥିବା ଜଣାପଡ଼ିଛି। ବୁଧବାର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପୁନର୍ବାର କରୋନା ପରୀକ୍ଷା କରାଯିବ। ଆଜି ଯେଉଁମାନଙ୍କର ପରୀକ୍ଷା ହୋଇଛି ସେମାନଙ୍କ ରିପୋର୍ଟ ଆସନ୍ତାକାଲି ଆସିବ।

ବିଜେବିରେ ଆଉ ଜଣେ ଆକ୍ରାନ୍ତ, ପ୍ରି-ବୋର୍ଡ ପରୀକ୍ଷା ସ୍ଥଗିତ

ବିଜେବି ଜୁନିଅର କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଆଉ ଜଣେ କରୋନା ଆକ୍ରାନ୍ତ ବାହାରିଛନ୍ତି। ଦୁଇ ଦିନ ‌ତଳେ ବାଣିଜ୍ୟ ବିଭାଗର ଜଣେ ଛାତ୍ରୀ ଚିହ୍ନଟ ହୋଇଥିବା ବେଳେ ଆଜି ବିଜ୍ଞାନ ବିଭାଗର ଜଣେ ଛାତ୍ରୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ବିଦ୍ୟାଳୟ କର୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହେବା ଆଶଙ୍କ‌ା ପ୍ରକାଶ କରି ୧୩ ତାରିଖ ଯାଏ ଚାଲିବାକୁ ଥିବା ଯୁକ୍ତ୨ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଉକ୍ତ ଛାତ୍ରୀ ଜଣଙ୍କ କ୍ୟାମ୍ପସ ବାହାରେ ରହୁଥିବା ବେଳେ ପ୍ରି-ବୋର୍ଡ ପରୀକ୍ଷା ଦେବା ଲାଗି ଆସିଥିଲେ। ତେଣୁ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ଥିବାରୁ କ୍ୟାମ୍ପସ ହଷ୍ଟେଲରେ ଥିବା ଅନ୍ତେବାସୀଙ୍କ କୋଭିଡ୍ ପରୀକ୍ଷା କରିବା ଲାଗି ବିଦ୍ୟାଳୟ ଅଧ୍ୟକ୍ଷ ଆଜି ବିଏମ୍‌ସିକୁ ଅନୁରୋଧ କରିଛନ୍ତି। ଆଗକୁ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ୪ଟି ଦିନର ପରୀକ୍ଷା ସ୍ଥଗିତ ରହିଛି। ସପ୍ତାହକ ପରେ ସ୍ଥିତିର ଅନୁଧ୍ୟାନ କରାଯାଇ ପରବର୍ତୀ ନିଷ୍ପତ୍ତି ନିଆଯିବ। ତେବେ ଏହି ସମୟରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନିୟମିତ ଭାବେ ଜାରି ରହିବ ବୋଲି ବିଦ୍ୟାଳୟ କର୍ତୃପକ୍ଷ କହିଛନ୍ତି।

ସ୍କୁଲ ଭିତରେ ମାନୁଛନ୍ତି, ବାହାରେ ଭୁଲି ଯାଉଛନ୍ତି
ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୟ ହେଉ କିମ୍ବା ଅନ୍ୟ କୌଣସି କାରଣ ଲାଗି ସ୍କୁଲ ଛାତ୍ରଛାତ୍ରୀ କ୍ୟାମ୍ପସରେ କରୋନା ନିୟମକୁ ପାଳନ କରୁଛନ୍ତି। ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧୁଛନ୍ତି। ତେବେ ଥରେ କ୍ୟାମ୍ପସ ବାହାରକୁ ବାହାରିଲେ ସବୁ ଭୁଲି ଯାଉଛନ୍ତି। କରୋନା ବୋଲି ଗୋଟିଏ ରୋଗ ଅଛି ବୋଲି ସେମାନଙ୍କର ଧାରଣା ହିଁ ନାହିଁ। ପିଲାମାନେ ଦଳଦଳ ହୋଇ ଆଖପାଖରେ ଥିବା ଉଠାଦୋକାନରୁ ଗୁପ୍‌ଚୁପ୍‌, ଚାଟ୍‌ ଖାଉଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ, କ୍ୟାପିଟାଲ ହାଇସ୍କୁଲ କ୍ୟାମ୍ପସ ବାହାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର