ଅଗଷ୍ଟର ୧୬ ଦିନ ଜୁଲାଇକୁ ବଳିଗଲା : ଜୁଲାଇ ମାସରେ ଚିହ୍ନଟ ହୋଇଥିଲେ ୨୪୧୫ଜଣ, ଅଗଷ୍ଟ ୧୬ଦିନରେ ୨୫୫୪ ଆକ୍ରାନ୍ତ

ଶେଷ ୨୬ଦିନରୁ ୨୪ଦିନ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି

ଭୁବନେଶ୍ୱର : ‌ମାର୍ଚ୍ଚ ୧୫ରୁ ମେ’ ୩୧ ମଧ୍ୟରେ ରାଜଧାନୀରେ ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁନ୍‌ ୩୦ ବେଳକୁ ରାଜଧାନୀରେ ୩୨୦ଜଣ ଚିହ୍ନଟ ହୋଇଥିଲେ, ଏଥିରୁ ୧୩୦ଜଣ ଚିକିତ୍ସାଧୀନ ଥିଲେ। କିନ୍ତୁ ଜୁଲାଇ ୩୧ ବେଳକୁ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୩୫ରେ ପହଞ୍ଚିଗଲା। ଏଥିରୁ ୧୨୮୫ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିଲେ। ଜୁଲାଇ ମାସରେ ରାଜଧାନୀରେ ୨୪୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁଲାଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ ବୋଲି ପୂର୍ବରୁ କୁହାଯାଇଥିଲା। ତେଣୁ ଲୋକ ଏତିକି ଦେଖି ଟିକେ ଆଶ୍ବସ୍ତ ହେଲେ। ହେଲେ ଅଗଷ୍ଟ ମାସ ସମସ୍ତଙ୍କ ନିଦ ହଜାଇ ଦେଲାଣି। ଜୁଲାଇରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଅଗଷ୍ଟର ୧୬ଦିନରେ ତାହାକୁ ବଳି ଗଲାଣି। ଅଗଷ୍ଟ ୧ରୁ ୧୬ ମଧ୍ୟରେ କେବଳ ୨୫୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଅଗଷ୍ଟ ମାସରେ ଏବେ ଯେଉଁ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ମାସ ଶେଷକୁ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ଟପିବାର ଆଶଙ୍କାକୁ ଏଡ଼ାଇ ହେବନି। କାରଣ ୧୬ ଦିନରେ ୨୫୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାସ ଶେଷକୁ ଏହା ୫ ହଜାର ଟପିବାର ସମ୍ଭାବନା ସୃଷ୍ଟି ହୋଇଛି। ଆଜି ସୁଦ୍ଧା ରାଜଧାନୀରେ ୫୨୮୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪୩୫ଜଣ ସୁସ୍ଥ ହେଲେଣି। ୧୮୨୩ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର୍‌ରେ ଚିକିତ୍ସାଧୀନ ଅଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ଅଗଷ୍ଟ ମାସର ୧୬ ଦିନରେ ମାତ୍ର ଦିନଟିଏ ୧୦୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୩ରେ ୮୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସବୁ ଦିନ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ଅଗଷ୍ଟରେ ତିନି ଥର ଦୁଇ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୩ରେ ୨୩୭, ୧୪ରେ ୨୪୭ ଏବଂ ଅଗଷ୍ଟ ୧୫ରେ ସବୁ ରେକର୍ଡ ଭାଙ୍ଗି ୨୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଏତିକି ନୁହେଁ, ଏହି ମାସରେ ଦୁଇ ଥର ଦୁଇ ଶହ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୮ରେ ୧୯୦ଜଣ ଏବଂ ଅଗଷ୍ଟ ୧୨ରେ ୧୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୧୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କେବଳ ଅଗଷ୍ଟ ନୁହେଁ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଧାରା ଜୁଲାଇ ୨୨ରୁ ଆରମ୍ଭ ହୋଇଛି। ଜୁଲାଇ ୨୨ରୁ ଅଗଷ୍ଟ ୧୬ ମଧ୍ୟରେ ମାତ୍ର ଦୁଇ ଥର ଶହେରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାକି ସବୁ ଦିନ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୁଲାଇ ୨୪ରେ ୨୪୮ଜଣ ଓ ୨୮ରେ ୨୧୫ଜଣ ଚିହ୍ନଟ ହୋଇଛନ୍ତି। ଏହିପରି ଜୁଲାଇ ଓ ଅଗଷ୍ଟରେ ମୋଟ୍‌ ୫ଥର ଦୁଇ ଶହରୁ ଅଧିକ ଆକ୍ରାନ୍ତ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଜୁଲାଇ ୧୬ରେ ରାଜଧାନୀରେ ୯୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦୩ଜଣ ସୁସ୍ଥ ହୋଇଥିଲେ। ୧୧ଜଣଙ୍କର ମୃତ୍ୟୁ ହୋଇଥିଲା। ୫୦୪ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ ଥିଲେ। କିନ୍ତୁ ଅଗଷ୍ଟ ୧୬ରେ ରାଜଧାନୀରେ ୫୨୮୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୫ ଜଣଙ୍କର ମୃତ୍ୟୁ ହୋଇଛି। ୧୮୨୩ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ମାର୍ଚ୍ଚରୁ ଜୁନ୍‌ ମାସ ପର୍ଯ୍ୟନ୍ତ ରାଜଧାନୀର କେଉଁ ଅଞ୍ଚଳରେ କେତେ ଆକ୍ରାନ୍ତ ଚିହ୍ନଟ ହେଉଥି‌ଲେ, ତାହା ଲୋକଙ୍କ ମୁହଁରେ ମୁହଁରେ ରହୁଥିଲା। ସମସ୍ତେ ବିଏମ୍‌ସିର ଟୁଇଟ୍‌କୁ ଚାତକ ଭଳି ଚାହିଁ ରହୁଥିଲେ। ସେମାନଙ୍କ ଅଞ୍ଚଳରେ କେହି କରୋନା ଆକ୍ରାନ୍ତ ବାହାରିଲେ କି ନାହିଁ। କିନ୍ତୁ ଜୁଲାଇ ଓ ଅଗଷ୍ଟ ସବୁ ଚିତ୍ର ବଦଳାଇ ଦେଇଛି। ଘର ପାଖରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ବି ଲୋକଙ୍କ ଉପରେ ଫରକ ପଡ଼ୁନି। ଏବେ ଗଳିକନ୍ଦି ସବୁଠି କରୋନା ଆକ୍ରାନ୍ତ ଛାଇଗଲେଣି। କେଉଁଠି ଏକାବେଳକେ ୧୦ ଆକ୍ରାନ୍ତ ବାହାରୁଛନ୍ତି ତ କେଉଁଠି ୨୦। କରୋନା ଯେତେ ବ୍ୟାପୁଛି ଲୋକଙ୍କ ମଧ୍ୟରେ କରୋନା ଆକ୍ରାନ୍ତ କେଉଁଠୁ ଚିହ୍ନଟ ହେଉଛନ୍ତି, ସେନେଇ ଜାଣିବାର ଆଗ୍ରହ ସେତେ କମିକମି ଯାଉଛି।

ଅପରପକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେଲା ଗଞ୍ଜାମକୁ ପଛରେ ପକାଇ ଖୋର୍ଦ୍ଧା ଜିଲ୍ଲା ଦୈନିକ ଆକ୍ରାନ୍ତଙ୍କ ତାଲିକାରେ ଉପରେ ରହୁଛି। ଏପଟେ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସମସ୍ତଙ୍କ ନିଦ ହଜାଇ ଦେଲାଣି।

ସମ୍ବନ୍ଧିତ ଖବର