ଦିନକରେ ୩୨୧ ପଜିଟିଭ୍, ୩ ମୃତ; ରାଜଧାନୀରେ କରୋନା ସଂକ୍ରମଣ ୨୫ହଜାର ଟପିଲା

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ୨୫ହଜାର ପାର୍ କରିଛି। ଗତ ୨୪ଘଣ୍ଟାରେ ୩୨୧ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୫,୧୭୪କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାର ୫୮ପ୍ରତିଶତ ରୋଗୀ କେବଳ ଭୁବନେଶ୍ବରୁ ହିଁ ଚିହ୍ନଟ ହୋଇଛନ୍ତି। ରାଜଧାନୀ‌ରେ ସଂକ୍ରମଣ ବୃଦ୍ଧି ପାଇବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଆଜି ୩ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା ହୋଇଛି। ମୃତକ ସମସ୍ତେ ପୁରୁଷ ଥିବା ବେ‌ଳେ ସେମାନଙ୍କ ବସୟ ୬୨, ୬୬ ଓ ୭୮ବର୍ଷ ରହିଛି। ଭୁବନେଶ୍ବରରେ କରୋନା ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ୩୨୧ ପଜିଟିଭ୍ ମଧ୍ୟରୁ ୮୩ଜଣ ସଙ୍ଗରୋଧରୁ ଓ ୨୨୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ଥାନୀୟ ସଂକ୍ରମିତରେ ପଟିଆ ଓ ରସୁଲଗଡ଼ରୁ ସର୍ବାଧିକ ୧୩ଜଣ ଲେଖାଏଁ ଚିହ୍ନଟ ହେଉଛନ୍ତି। ପୁରୁଣା ଭୁବନେଶ୍ବରରୁ ୧୨, ବମିଖାଲ ୯, ଚନ୍ଦ୍ରଶେଖରପୁର ୭, ଆଚାର୍ଯ୍ୟ ବିହାର ୬, ହଂସପାଳ, ଶୈଳଶ୍ରୀ ବିହାର, ମଞ୍ଚେଶ୍ବର, ନୂଆପଲ୍ଲୀ, ସାଲିଆସାହି, ପଳାଶୁଣୀ, ୟୁନିଟ୍‌-୯, ଟଙ୍କପାଣି ରୋଡ୍, ସତ୍ୟ ବିହାର, ସୌଭାଗ୍ୟ ନଗର, ୟୁନିଟ୍‌-୩, ୪, ୫, ୬ ଓ ୭ରୁ ପୁଳା ପୁଳା ଆକ୍ରାନ୍ତ ବାହାରିଛନ୍ତି। ସେହିପରି ସଙ୍ଗରୋଧରୁ ବରମୁଣ୍ଡା, ନନ୍ଦନ ବିହାର, ମହାଦେବ ନଗର, ଚନ୍ଦ୍ରଶେଖରପୁର, ବମିଖାଲ, ବିନ୍ଦୁସାଗର ରୋଡ୍‌, ଗଣ୍ଡମୁଣ୍ଡା, ଘାଟିକିଆ, ଜାଗମରା, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳ, ନ୍ୟୁ ଏଜି କଲୋନି, ପାତ୍ରପଡ଼ା, ରସୁଲଗଡ଼ ଓ ଅନ୍ୟ ଅଞ୍ଚଳରୁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ସଂକ୍ରମଣ ସହିତ ରାଜଧାନୀରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଦିନକରେ ରାଜଧାନୀରେ ୩୩୧ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୧,୫୪୫କୁ ବୃଦ୍ଧି ପାଇଛି। ଏବେ ଭୁବନେଶ୍ବରରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୪୯୪ ରହିଛି।

ସମ୍ବନ୍ଧିତ ଖବର