ଭୁବନେଶ୍ୱର : ରାଜଧାନୀରେ କୋଭିଡ୍‌ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ‌ଶଯ୍ୟା ମିଳୁନି। ଆଇସିୟୁ, ଭେଣ୍ଟିଲେଟର୍‌ରେ ସବୁ ପ୍ରାୟ ଫୁଲ୍‌। ‌କେଉଁଠି ଆଇସିୟୁରେ ୨ଟା ଶଯ୍ୟା ଖାଲି ଅଛି ତ କେଉଁଠି ୪ଟି ଅଛି। ନହେଲେ ସବୁ ଶଯ୍ୟାରେ ଆକ୍ରାନ୍ତ। ଏପରିକି ଆଇସିୟୁରେ ଶଯ୍ୟା ନ ଥିବାରୁ ୱାର୍ଡରେ ଅକ୍ସିଜେନ୍‌ ଦେଇ ଆକ୍ରାନ୍ତଙ୍କୁ ରଖାଯାଉଛି। ଭାଗ୍ୟ ଭଲ ଥିଲେ ଆକ୍ରାନ୍ତ ବଞ୍ଚୁଛନ୍ତି ନହେଲେ ମରୁଛନ୍ତି। ରାଜଧାନୀରେ କୋଭିଡ୍‌ ଆକ୍ରାନ୍ତଙ୍କୁ ବିଭିନ୍ନ କୋଭିଡ ହସ୍ପିଟାଲରେ ଶଯ୍ୟା ମିଳୁନି ବୋଲି ବିଏମ୍‌ସି ଗୃହ ପୃଥକବାସରେ ରହିବାକୁ କହୁଛି। କିନ୍ତୁ ଏପଟେ ରାଜ୍ୟ ସରକାର କହୁଛନ୍ତି, ହସ୍ପିଟାଲରେ ଶଯ୍ୟା ଅଭାବ ନାହିଁ। ତେବେ ମିଛ କହୁଛି କିଏ?

Advertisment

ରବିବାର ରାଜ୍ୟ ସରକାର କହିଲେ, ଭୁବନେଶ୍ବରରେ ଆଇସିୟୁ ଓ ଏଚ୍‌ଡିୟୁରେ ୫୧% ଶଯ୍ୟା ଫାଙ୍କା ଅଛି। ହେଲେ ଆଜି ଆଇସିୟୁରେ ୯୫% ଶଯ୍ୟା ପୂରଣ। ୬ଟି କୋଭିଡ୍‌ ହସ୍ପିଟାଲ ଓ ଗୋଟିଏ କୋଭିଡ କେୟାର ସେଣ୍ଟରରେ ଆଇସିୟୁ ସୁବିଧା ଥିବା ବେଳେ ଏଥିରେ ମୋଟ୍‌ ୩୨୧ଟି ଆଇସିୟୁ ଶଯ୍ୟା ଅଛି। ଏଥିରୁ ୩୦୫ଟିରେ ଆକ୍ରାନ୍ତ ଅଛନ୍ତି। ଗୁରୁତର ଆକ୍ରାନ୍ତଙ୍କୁ ଆଇସିୟୁରେ ରଖାଯାଉଥିବା ବେଳେ ସରକାରଙ୍କ ହିସାବକୁ ଦେଖିଲେ ଦୁଇ ଦିନରେ ଯଦି ଏତେ ଆକ୍ରାନ୍ତ ବଢ଼ି ଯାଉଛନ୍ତି, ତେବେ ସ୍ଥିତି ସାଂଘାତିକ ବୋଲି ଧରାଯିବ। ଏପରିକି ୱାର୍ଡରେ ୧୬୧୭ଟି ଶଯ୍ୟା ଥିବା ବେଳେ ଏହାର ୭୮% ଅର୍ଥ‌ାତ୍ ୧୨୬୯ ଶଯ୍ୟା ପୂରଣ ହୋଇଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଥିଲା।

publive-image image source- new indian express

ଭୁବନେଶ୍ବରରେ ଏବେ ୯୦%ରୁ ଅଧିକ ଆକ୍ରାନ୍ତ ଗୃହ ପୃଥକବାସରେ ରହି ଚିକିତ୍ସିତ ହେଉଥିବା ବେଳେ ଦିନକୁ ପ୍ରାୟ ୩୦ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି। କିନ୍ତୁ ଏହାଠାରୁ ଢେର୍ ଅଧିକ ହସ୍ପିଟାଲରୁ ସୁସ୍ଥ ହୋଇ ଆସୁଛନ୍ତି ବୋଲି ବିଏମ୍‌ସିର ଦୈନିକ ଆକ୍ରାନ୍ତ ଓ ସୁସ୍ଥ ତଥ୍ୟରୁ ଜଣାପଡ଼ୁଛି। କିନ୍ତୁ ସରକାରୀ ତଥ୍ୟକୁ ଦେଖିଲେ, ତାହା ଜଣାପଡ଼ୁନି। ଏପରିକି ସ୍ବାସ୍ଥ୍ୟ ବିଭାଗ ରବିବାର ଯେଉଁ ହିସାବ ଦେଇଛି, ତାହା ବିଏମ୍‌ସିର କୌଣସି ତଥ୍ୟ ସହ ତାଳମେଳ ଖାଉନି। ନା ୱାର୍ଡରେ ଥିବା ଶଯ୍ୟା ସଂଖ୍ୟାରେ ନା ଆଇସିୟୁରେ ଥିବା ଶଯ୍ୟା ସଂଖ୍ୟାରେ। କେବଳ ଲୋକଙ୍କୁ ଭୁଆଁ ବୁଲାଇବାକୁ ଯିଏ ଯେଝା ଉପାୟରେ ତଥ୍ୟ ଦେଉଛନ୍ତି। ଅସଲ ଚିତ୍ର ‌ଯିଏ ହସ୍ପିଟାଲରେ ଶଯ୍ୟା ପାଇଁ ସଂଘର୍ଷ କରୁଛି ସେ ଜାଣୁଛି।

କୋଭିଡ ହସ୍ପିଟାଲକୁ ସାଧାରଣ ଲୋକ ପଶି କେତେ ଶଯ୍ୟା ଅଛି ଗଣିବା ସମ୍ଭବ ନୁହେଁ କି ଯେ କେହିବି ହଠାତ୍‌ ହସ୍ପିଟାଲରେ ପଶି ଯାଞ୍ଚ କରିପାରିବେନି। ଶଯ୍ୟା ନାହିଁ ବୋଲି କହି ଫେରାଇଦେଲେ କେହି ଯାଇ ହସ୍ପିଟାଲ ସମ୍ମୁଖରେ ହୋହଲ୍ଲା କରିବାର ନାହିଁ। ତେଣୁ ସ୍ବାସ୍ଥ୍ୟ ବିଭାଗ ଓ ବିଏମ୍‌ସି କର୍ତ୍ତୃପକ୍ଷ ନିଜ ମନଇଚ୍ଛା‌ ହସ୍ପିଟାଲରେ ଶଯ୍ୟା ସଂଖ୍ୟା କେତେ, କେତେ ଆକ୍ରାନ୍ତ ଅଛନ୍ତି, ଆଇସିୟୁ ଶଯ୍ୟା କେତେ, କେତେ ଆକ୍ରାନ୍ତ ଅଛନ୍ତି ତା’ର ତଥ୍ୟ ଦେଉଛନ୍ତି। ସରକାରଙ୍କ ଆକଳନ ଗୋଟେ ପ୍ରକାରର ଚିତ୍ର ଉପସ୍ଥାପନ କରୁଥିବା ବେଳେ ବାସ୍ତବ ଚିତ୍ର ସତ୍ୟନଗର ଶ୍ମଶାନ ଦେଖାଉଛି। ପ୍ରତିଦିନ କରୋନାରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ସରକାରୀସ୍ତରରେ ଏବେ ସୁଦ୍ଧା ବି ଏନେଇ ତତ୍ପରତା ଦେଖାଦେଇନି।

ବିଏମ୍‌ସିର ସୂଚନା ଅନୁଯାୟୀ, ସାଧାରଣ ଶଯ୍ୟା ସହ ଆଇସିୟୁ ଥିବା ୬ଟି କୋଭିଡ ହସ୍ପିଟାଲ ଓ ଗୋଟିଏ କୋଭିଡ କେୟାର ସେଣ୍ଟରରେ ମୋଟ୍‌ ୧୮୯୬ଟି ସାଧାରଣ ଶଯ୍ୟା ଥିବାବେଳେ ଏଥିରୁ ୧୪୦୧ଟିରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସବୁଠୁ ବିଡମ୍ବନାର ବିଷୟ ଏବେ ରାଜଧାନ‌ୀରେ ବହୁ ଆକ୍ରାନ୍ତଙ୍କର ମୃତ୍ୟୁ ହେଉଥିବା ବେଳେ ସେମାନଙ୍କ ଚିକିତ୍ସା ପାଇଁ ଶଯ୍ୟା ନାହିଁ। ବାହାର ଜିଲ୍ଲାର ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଯାଇଛନ୍ତି। ଆଜିକା ଦିନରେ ୧୭୦୬ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଏଥିରୁ ୭୧୧ଜଣ ବିଏମ୍‌ସି ଅଞ୍ଚଳର। ବାକି ସବୁ ବାହାର ଜିଲ୍ଲାର।